AHRCCରେ ରୋଗୀ ଓ ସହାୟକଙ୍କୁ ବଡ଼ ଆଶ୍ୱସ୍ତି, ଯୁଦ୍ଧକାଳୀନ ଭିତ୍ତିରେ ତିଆରି ହେଲା ବିଶ୍ରାମ ସ୍ଥଳ

କଟକ: କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନ୍ସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନକୁ ଦୈନିକ ଆସୁଛନ୍ତି ଅନେକ ରୋଗୀ । ତେବେ ଏଠାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ପ୍ରକାର ଅସୁବିଧା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସିଛି । ଏନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହାର ଆଶୁ ସମାଧାନ ପାଇଁ ବିଶ୍ରାମସ୍ଥଳ ନିର୍ମାଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ହସ୍ପିଟାଲ୍ ପରିସରରେ ପୁର୍ତ୍ତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କ୍ୟାମ୍ପ ନିର୍ମାଣ ଆରମ୍ଭ କରିଛି । ନିର୍ମାଣ ହେଉଥିବା ୩ଟି କ୍ୟାମ୍ପ୍ ମଧ୍ୟରୁ ଆଜି(ସୋମବାର) ପୂର୍ବାହ୍ନରେ ଗୋଟିଏ ଶିବିର କାର୍ଯ୍ୟକ୍ଷମ ହୋଇଛି । ଏଥିରେ ରୋଗୀ ଏବଂ ତାଙ୍କର ସହାୟକମାନେ ରହୁଛନ୍ତି । ଆସନ୍ତାକାଲି ସୁଦ୍ଧା ୨ୟ ଶିବିର ଏବଂ ସପ୍ତାହ ଶେଷ ସୁଦ୍ଧା ୩ୟ ଶିବିର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଶିବିରରେ ଆଲୋକ, ଫ୍ୟାନ୍ ଏବଂ ପାନୀୟଜଳ ଆଦିର ଅତି ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଢଙ୍ଗୀ କହିଛନ୍ତି ଯେ, ”କାର୍ଯ୍ୟକ୍ଷମ ହୋଇଥିବା ୧ମ ଶିବିରରେ ପ୍ରାୟ ୫୦ ଜଣ ରୋଗୀ ଆଶ୍ରୟ ନେଇଛନ୍ତି । ୨ୟ ଏବଂ ୩ୟ ଶିବିର କାର୍ଯ୍ୟକ୍ଷମ ହୋଇଗଲେ ୧୦୦ରୁ ୧୫୦ ରୋଗୀ ଏବଂ ତାଙ୍କର ସହାୟକମାନେ ଆଶ୍ରୟ ନେଇପାରିବେ । ଶିବିରରେ ଆବଶ୍ୟକୀୟ ଲାଇଟ୍, ଫ୍ୟାନ୍ ଓ ପାନୀୟଜଳ ଆଦିର ବ୍ୟବସ୍ଥା କରାଯାଇଛି । ପାଖରେ ଆହାର କେନ୍ଦ୍ର ମଧ୍ୟ ଅଛି । ସାଧାରଣତଃ ରେଡିଏସନ୍ ନେଉଥିବା ରୋଗୀ ଓ ତାଙ୍କର ସହାୟକମାନେ ହସ୍ପିଟାଲ୍ ବାରଣ୍ଡା ଆଦିରେ ବିଶ୍ରାମ ନେଉଥିଲେ ।”

ହସ୍ପିଟାଲରେ ଦୈନିକ ହାରାହାରି ୩୫୦ ରୋଗୀ ରେଡିଏସନ୍ ନେଉଛନ୍ତି । ରେଡିଏସନ୍ ଏକ ଆଉଟଡୋର ଚିକିତ୍ସା । ବର୍ତ୍ତମାନ ହସ୍ପିଟାଲର ବେଡ୍ ସଂଖ୍ୟା ୨୮୧ । ଯେଉଁଥିରେ ଗୁରୁତର ଚିକିତ୍ସାଧିନ ରୋଗୀମାନେ ରହୁଛନ୍ତି । ଏହାଛଡ଼ା ପ୍ରତିଦିନ ହାରାହାରି ୫୦୦ ନୂଆରୋଗୀ ହସ୍ପିଟାଲକୁ ଆସୁଛନ୍ତି । କିଛି ରୋଗୀଙ୍କର ପ୍ରାକ୍-ଆଡ୍‌ମିସନ୍ ପରୀକ୍ଷା ନିରୀକ୍ଷା ଦରକାର ପଡୁଛି । କ୍ୟାନ୍ସର ରୋଗର ନିରୂପଣ ମଧ୍ୟ ଏକ ସମୟ ସାପେକ୍ଷ ପରୀକ୍ଷା । ତାଛଡ଼ା ଦୂର ଦୁରନ୍ତରୁ ଆସି ରେଡିଏସନ୍ ନେଉଥିବା ରୋଗୀମାନେ ଅନେକ ସମୟରେ ନିଜ ଘରକୁ ଫେରିନପାରି ସାଧାରଣ ଭାବେ ହସ୍ପିଟାଲ୍ ବାରଣ୍ଡାରେ ଆଶ୍ରୟ ନେଇଥାଆନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ନିର୍ମାଣ ହେଇଥିବା ଆଶ୍ରୟସ୍ଥଳ ଏହି ପ୍ରକାର ଲୋକମାନଙ୍କୁ ଅନେକ ଆଶ୍ୱସ୍ତି ଦେଇଛି । ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ୨୦୦ ବେଡ୍ ବିଶିଷ୍ଟ ନୂଆ ଓ୍ୱାର୍ଡ ତିଆରି କରାଯାଉଛି । ଚଳିତ ବର୍ଷ ଜୁନ୍ ମାସ ଶେଷସୁଦ୍ଧା ଏହି ୱାର୍ଡ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହା କାର୍ଯ୍ୟକ୍ଷମ ହୋଇଗଲେ ଦୈନିକ ନୂଆ ରୋଗୀଙ୍କ ଆଡ୍‌ମିଶନ୍ ସମସ୍ୟାର ସମାଧାନ ହୋଇଯିବ । ସମସ୍ତ ରୋଗୀ ହସ୍ପିଟାଲରେ ଆଡମିସନ୍ ହୋଇପାରିବେ । ନିର୍ମାଣ ହୋଇଥିବା ଏହି ୩ଟି ଆଶ୍ରୟ ଶିବିର ଭବିଷ୍ୟତରେ ରୋଗୀଙ୍କର ସହାୟକମାନଙ୍କ ନିମନ୍ତେ ବ୍ୟବହାର ହୋଇପାରିବ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.