ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ମିଳିବନି ବିଜେଡି ଓ ୱାଇଏସ୍‌ଆର କଂଗ୍ରେସର ସମର୍ଥନ!

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ରଣନୀତି କରୁଥିବା ବିରୋଧୀ ଦଳଗୁଡ଼ିକୁ ଶକ୍ତ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରମୁଖ ଆଞ୍ଚଳିକ ଦଳ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ଓ ନବୀନ ପଟ୍ଟନାୟକଙ୍କ ବିଜେଡି ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମର୍ଥନ କରିବେ ନାହିଁ ବୋଲି ଜଣାପଡ଼ିଛି। ଅବଶ୍ୟ ଏଯାଏ ଦୁଇ ଦଳ ଏ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। କିନ୍ତୁ ବିଶେଷସୂତ୍ରରୁ ଏପରି ତଥ୍ୟ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଏହି ଦୁଇ ଦଳ ସହ କିଛି ବିରୋଧୀ ଦଳ ନେତା ବ୍ୟକ୍ତିଗତ ସ୍ତରରେ ଆଲୋଚନା କରିଥିଲେ। ଏହି ସମୟରେ ସେମାନେ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସକୁ ବିଜେପି ବିରୋଧରେ ଯିବାକୁ କହିଥିଲେ। ହେଲେ ଦୁଇ ଦଳ ପକ୍ଷରୁ ପରୋକ୍ଷରେ ସେମାନେ ବିଜେପି ବିରୋଧରେ ଯିବାକୁ ଚାହୁଁ ନଥିବା ସଙ୍କେତ ଦିଆଯାଇଛି।
ଏ ସମ୍ପର୍କରେ ଜଣେ ବରିଷ୍ଠ ବିରୋଧୀ ଦଳ ନେତା ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି, “ସେମାନେ ଶାସକ ଦଳ ସହ କୌଣସି ବିବାଦ କରିବାକୁ ଚାହୁଁନାହାନ୍ତି। ସେହିପରି ସେମାନେ କୌଣସି ରାଜନୀତିକ ବିବୃତି ଦେବା ସପକ୍ଷରେ ନାହାନ୍ତି। ଉଭୟ ଦଳ ନିଜକୁ ସରକାରୀ ସପକ୍ଷବାଦୀ ଓ ବିପକ୍ଷବାଦୀ ମେଣ୍ଟରୁ ଦୂରେଇ ରହଖିବାକୁ ଅଧିକ ପସନ୍ଦ କରୁଛନ୍ତି। ସେମାନେ ସବୁବେଳେ ସମଦୂରତା ନିୟମ ପାଳନ କରିବା ସପକ୍ଷରେ ରହିବାକୁ ଚାହୁଁଛନ୍ତି।”
ବର୍ତ୍ତମାନ ସୁଦ୍ଧା ଦୁଇ ଦଳ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ମେଣ୍ଟ ସହ ରହିବାକୁ ଚାହୁଁ ନଥିବା ସ୍ପଷ୍ଟ ହୋଇଛି। ତେବେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କୁ ଦେଖି ଉଭୟ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ନିଜର ଆଭିମୁଖ୍ୟ ବଦଳାଇବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ବିଜେପି କାହାକୁ ପ୍ରାର୍ଥୀ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପକ୍ଷରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏପରି ସ୍ଥିତିରେ ଅନେକ ଆଞ୍ଚଳିକ ଦଳଗୁଡ଼ିକ କଂଗ୍ରେସ ବିରୋଧୀ ମେଣ୍ଟର ନେତୃତ୍ୱ ନେଉ ବୋଲି ଚାହୁଁନାହାନ୍ତି। ଏଥିପାଇଁ ସେମାନଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖାଯାଉଛି। ଏପରି ସ୍ଥିତିରେ କଂଗ୍ରେସ ରାଷ୍ଟ୍ରପତି ନିର୍ବାଚନରେ ଅନ୍ୟ ଦଳଗୁଡ଼ିକୁ କେମିତି ନିଜ ସପକ୍ଷକୁ ଆଣୁଛି, ତା’ହା ମଧ୍ୟ ବଡ଼ ପ୍ରସଙ୍ଗ।
ସେ ଯାହା ବି ହେଉ ଯଦି ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ଶାସକ ଦଳର ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରୁଛନ୍ତି, ତା’ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ୨୦୧୪ ପରେ ବିଜେଡି ଓ ୨୦୧୯ ପରେ ୱାଇଏସ୍‌ଆର କଂଗ୍ରେସ ଅନେକ ସମୟରେ ବିରୋଧୀଙ୍କ ଅପେକ୍ଷା ଶାସନ ଦଳର ସପକ୍ଷରେ ହିଁ ରହିଥିବାର ନିଜର ରହିଛି।

nis-ad
Leave A Reply

Your email address will not be published.