କ୍ୟାମ୍ପସ୍‌ ପରିଦର୍ଶନ ପାଇଁ ରାହୁଲ୍‌ ଗାନ୍ଧୀଙ୍କୁ ଅନୁମତି ଦେଲାନି ହାଇଦ୍ରାବାଦ୍‌ର ଓସ୍‌ମାନିଆ ବିଶ୍ବବିଦ୍ୟାଳୟ

ହାଇଦ୍ରାବଦ: ରାହୁଲ୍‌ ଗାନ୍ଧୀଙ୍କୁ କ୍ୟାମ୍ପସ୍‌କୁ ଆଣିବା ଲାଗି କଂଗ୍ରେସ ପାର୍ଟିକୁ ତେଲେଙ୍ଗାନାସ୍ଥିତ ଓସ୍‌ମାନିଆ ବିଶ୍ବବିଦ୍ୟାଳୟ ଅନୁମତି ଦେବା ଲାଗି ଅଗ୍ରାହ୍ୟ କରି ଦେଇଛି। ମେ ୬ ଓ ୭ ତାରିଖରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ତେଲେଙ୍ଗାନା ଗସ୍ତରେ ବାହାରି ଥିବାରୁ ରାଜ୍ୟ କଂଗ୍ରେସ ୟୁନିଟ୍‌ ୫ ଲକ୍ଷ ସମର୍ଥକଙ୍କୁ ନେଇ ୱାରାଙ୍ଗଲ୍‌ରେ ଗୋଟାଏ ମହାସଭା ଆୟୋଜନ କରୁଛି। ପୃଥକ୍‌ ରାଜ୍ୟ ଦାବି ଆନ୍ଦୋଳନର ମୁଖ୍ୟସ୍ଥଳୀ ଥିବା ହାଇଦ୍ରାବାଦସ୍ଥିତ ଓସ୍‌ମାନିଆ ବିଶ୍ବବିଦ୍ୟାଳୟକୁ ଯିବା ପାଇଁ ରାହୁଲ୍‌ ଗାନ୍ଧୀଙ୍କର କାର୍ଯ୍ୟସୂଚୀ ଥିଲା।
ପ୍ରଶାସନ ଅନୁମତି ଦେବାକୁ ଅଗ୍ରାହ୍ୟ କରିବାରୁ ରାହୁଲଙ୍କ ବିଶ୍ବବିଦ୍ୟାଳୟ ଗସ୍ତରେ ବାଧା ସୃଷ୍ଟି ହୋଇଛି। କ୍ୟାମ୍ପସ୍‌ରେ ରାଜନୈତିକ ସଭା କରାଯାଏ ନାହିଁ କହି ଓସ୍‌ମାନିଆ ବିଶ୍ବବିଦ୍ୟାଳୟ ଅଧିକାରୀମାନେ ଅନୁମତି ଦେବାକୁ ଅଗ୍ରାହ୍ୟ କରିଦେଇଛନ୍ତି।
ସେପଟେ, ତେଲେଙ୍ଗାନା କଂଗ୍ରେସ୍‌ ଦୃଢ଼ତାର ସହିତ କହିଛି ଯେ, ଶିକ୍ଷାର୍ଥୀମାନଙ୍କ ସହ ଭାବବିନିମୟ ପାଇଁ ସେମାନେ ରାହୁଲ୍‌ ଗାନ୍ଧୀଙ୍କୁ କ୍ୟାମ୍ପସ୍‌କୁ ନେବେ।
ରାହୁଲ୍‌ ଗାନ୍ଧୀଙ୍କୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌କୁ ନ ଛାଡ଼ିବାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନେତୃତ୍ବାଧୀନ ‌‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ସରକାରଙ୍କର ଭୂମିକା ରହିଛି ବୋଲି ‌ତେଲେଙ୍ଗାନା କଂଗ୍ରେସ୍‌ ଅଭିଯୋଗ କରିଛି।
ସଭା ପାଇଁ ଅନୁମତି ଦାବି କରି କ୍ୟାମ୍ପସ୍‌ରେ ପ୍ରତିବାଦ କରୁଥିବା ସଭାପତି ବି. ଭେଙ୍କଟଙ୍କ ସମେତ ‘ନ୍ୟାସ୍‌ନାଲ୍‌ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ ଅଫ୍‌ ଇଣ୍ଡିଆ’ର ଅନ୍ୟୂନ ୧୮ଜଣ କର୍ମୀଙ୍କୁ ପୁଲିସ ଗିରଫ କରିଛି।

nis-ad
Leave A Reply

Your email address will not be published.