ଦକ୍ଷତା ବିକାଶ କ୍ଷେତ୍ରରେ ନବ ଦିଗନ୍ତରେ ସୁନ୍ଦରଗଡ଼ ଜିଲ୍ଲା…


ସୁନ୍ଦରଗଡ଼ : ଦକ୍ଷତା ବିକାଶ ହେଉଛି ଆଜିର ସମାଜକୁ ଆଗକୁ ନେବାର ମୁଖ୍ୟ ଅସ୍ତ୍ର। ଏହି ଆୟୁଧ ବଳୀୟାନ କରେ ବେରୋଜଗାରମାନଙ୍କୁ ରୋଜଗାରକ୍ଷମ କରାଇବାରେ। ବିଭିନ୍ନ ବର୍ଗର ପିଲା ଲାଭାନ୍ଵିତ ହୁଅନ୍ତି ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାକୁ ସର୍ବଶ୍ରେଷ୍ଠ ଜିଲ୍ଲା ଭାବରେ ଚୟନ କରାଯାଇଛି ଦକ୍ଷତା ବିକାଶ ପ୍ରଦାନ କ୍ଷେତ୍ରରେ ସବୁଠାରୁ ବେଶୀ ଉନ୍ନତି ଲାଭ କରିଥିବା ଜିଲ୍ଲା ଭାବରେ। ଏହି ଅବସରରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଇଣ୍ଡିଆ ଟୁଡେ
କନ୍ କ୍ଲେଭ ଏହି ପୁରସ୍କାର ଗ୍ରହଣ କରି ଆଣି ଦେଇଛନ୍ତି ଜିଲ୍ଲା ପାଇଁ ଗୌରବ। ପ୍ରକାଶ ଯୋଗ୍ୟ ଯେ ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲାର ସମସ୍ତ ସ୍ତରରେ ପ୍ରୋତ୍ସାହନ ଦେଇ ଆସୁଛି ଜିଲ୍ଲା ପ୍ରଶାସନ। ଆଭ୍ୟନ୍ତରୀଣ ଗ୍ରାମ ଗୁଡିକରୁ ଆରମ୍ଭ କରି ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଜୋର୍ ଦେଉଛି। ଖଣି ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଗ୍ରାମ ପଞ୍ଚାୟତ ଭିତ୍ତିରେ ତାଲିମ କେନ୍ଦ୍ର ଖୋଲିବାର ଯୋଜନା ରଖିଛି । ସାମ୍ପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ବହୁଚର୍ଚ୍ଚିତ ସୁଦକ୍ଷ ( ନିଯୁକ୍ତି ପୂର୍ବ ତାଲିମ୍) , ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା, ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା, ସିପେଟ୍, ସରକାରୀ ପଲିଟେକ୍ନିକ କଲେଜ୍ ଇତ୍ୟାଦିଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମ, ଆଇ.ଆଇ.ଟି ଓ ନିଟ ତଥା ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ, କର୍ମ ପ୍ରଦାନ ପ୍ରସ୍ତୁତି କାର୍ଯ୍ୟକ୍ରମ, ଡିଜିଟାଲ ଫ୍ରି ଲାନସିଂ କାର୍ଯ୍ୟକ୍ରମ, ଭାରୀ ଯାନ ଚାଳନା ପାଇଁ ଚାଳକ ପ୍ରଶିକ୍ଷଣ ଭଳି କାର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲା ପ୍ରଶାସନ। ଏହା ସହିତ ଏଭଳି ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ। ଗତ ଛଅ ମାସ ମଧ୍ୟରେ ୭୦୦ରୁ ଉର୍ଦ୍ଧ୍ୱ ପିଲା ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇ ସରକାରୀ ଓ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟନିଯୁକ୍ତି ପାଇସାରିଛନ୍ତି।
ଜିଲ୍ଲାର ଏଭଳି କୃତିତ୍ୱରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଖୁସି ଜାହିର କରିଛନ୍ତି । ଆଗକୁ ଏଭଳି ସୁଯୋଗକୁ ପାଥେୟ କରି ଜିଲ୍ଲା କର୍ମନିୟୋଜନ କ୍ଷେତ୍ରରେ ଆଗେଇବ ବୋଲି ସୁନ୍ଦରଗଡ଼ ଜନ ସାଧାରଣ ଆଶା ପ୍ରକାଶ କରିବା ସହିତ ଜିଲ୍ଲାପାଳଙ୍କ ସକ୍ରିୟ ଭୂମିକାକୁ ପ୍ରଶଂସା କରୁଛନ୍ତି।

nis-ad
Leave A Reply

Your email address will not be published.