ସଜାଡ଼ି ହେଉଛି କଂଗ୍ରେସ: ଭୂପିନ୍ଦର ହୁଡ୍ଡାଙ୍କ ବିଶ୍ୱସ୍ତଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ନିଜର ଅସଜଡ଼ା ଘରକୁ ସଜାଡ଼ିବା ଆରମ୍ଭ କରିଛି କଂଗ୍ରେସ। ପ୍ରଥମ ପଦକ୍ଷେପ ସ୍ୱରୂପ ଦଳ ହରିଆଣାରେ ସାଂଗଠନିକ ପରିବର୍ତ୍ତନ କରିଛି। କଂଗ୍ରେସ ପକ୍ଷରୁ ଉଦୟ ଭାନଙ୍କୁ ହରିଆଣାର ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ କୁମାର ସୈଲଜା ଏହି ପଦବୀରେ ଥିଲେ। ହେଲେ ତାଙ୍କୁ ନିୟମିତ ଭାବେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ବିରୋଧ କରି ଆସୁଥିଲେ। ଏବେ ଦଳୀୟ କନ୍ଦଳକୁ ଦୃଷ୍ଟିରେ ରଖି ହୁଡ୍ଡାଙ୍କ ବିଶ୍ୱସ୍ତ କୁହାଯାଉଥିବା ଉଦୟ ଭାନଙ୍କୁ ହରିଆଣାର କଂଗ୍ରେସ କମାଣ ମିଳିଛି। ସେହିପରି ସୈଲଜାଙ୍କ ଇସ୍ତଫାପତ୍ରକୁ ମଧ୍ୟ କଂଗ୍ରେସ ହାଇକମାଣ୍ଡ ଗ୍ରହଣ କରି ନେଇଛନ୍ତି।
ଉଦୟ ଭାନଙ୍କୁ ରାଜ୍ୟ କଂଗ୍ରେସ ମୁଖିଆ କରାଯାଇଥିବା ବେଳେ ୪ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି। ଏହି ୪ ଜଣଙ୍କ ମଧ୍ୟରେ ଶ୍ରୁତି ଚୌଧୁରୀ, ରାମକୃଷ୍ଣ ଗୁଜ୍ଜାର, ଜିତେନ୍ଦ୍ର କୁମାର ଭରଦ୍ୱାଜ ଓ ସୁରେଶ ଗୁପ୍ତା ରହିଛନ୍ତି। କଂଗ୍ରେସର ବରିଷ୍ଠ ନେତା କେସି ଭେନୁଗୋପାଲଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ହରିଆଣା ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରୁ କୁମାର ସୈଲଜା ଇସ୍ତଫା ଦେବାକୁ ଚାହିଁଥିଲେ। ତାଙ୍କ ଇସ୍ତଫାପତ୍ରକୁ କଂଗ୍ରେସ ସଭାପତି ଗ୍ରହଣ କରି ନେଇଛନ୍ତି। ଏହାକୁ ତତ୍କାଳ ଭାବେ ଲାଗୁ କରାଯାଉଛି।”
କୁମାର ସୈଲଜା କହିଛନ୍ତି, “ମୁଁ କଂଗ୍ରେସର ସଚ୍ଚା ସୈନିକ। ହାଇକମାଣ୍ଡଙ୍କ ଉପରେ ମୋର ଭରସା ରହିଛି ଓ ଆମେ ସମସ୍ତେ ଏକାଠି କାମ କରିବୁ। ମୁଁ କିଛି ଦିନ ତଳେ ଇସ୍ତଫାପତ୍ର ହାଇକମାଣ୍ଡଙ୍କ ନିକଟକୁ ପଠାଇ ଦେଇଥିଲି। ମୁଁ ନୂଆ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ଶୁଭେଚ୍ଛା ଜଣାଉଛି।”
ହରିଆଣାର ନୂଆ କଂଗ୍ରେସ ମୁଖ୍ୟ ଉଦୟ ଭାନ ଜଣେ ଅନୁସୂଚିତ ଜାତିର ନେତା। ସେ ହୋଡାଲ୍‌ରୁ ବିଧାନସଭାକୁ ମଧ୍ୟ ଯାଇଥିଲେ। ଏଥିସହ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଡ୍ଡାଙ୍କ ଅତ୍ୟନ୍ତ ଘନିଷ୍ଠ। ତେଣୁ ତାଙ୍କୁ କଂଗ୍ରେସର ହରିଆଣା ମୁଖ୍ୟ କରାଯାଇଥିବାରୁ ହୁଡ୍ଡା ବେଶ ଖୁସି ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଉଦୟ ଭାନ ଜଣେ କଠିନ ପରିଶ୍ରମୀ ନେତା। ତୃଣମୂଳ ସ୍ତରରେ ତାଙ୍କର ବେଶ ଦବଦବା ରହିଛି। ତାଙ୍କ ନିଯୁକ୍ତି କଂଗ୍ରେସକୁ ରାଜ୍ୟରେ ଆହୁରି ସଶକ୍ତ କରିବ ବୋଲି ହୁଡ୍ଡା କହିଛନ୍ତି।

nis-ad
Leave A Reply

Your email address will not be published.