ନୂଆଦିଲ୍ଲୀ: ସୁଦୂର ଅନ୍ତରୀକ୍ଷରୁ ପୃଥିବୀକୁ ଜୀବନର ରାସାୟନିକ ସାମଗ୍ରୀ (ଡିଏନ୍ଏ) ଆସିଥିବା କଥା ଉଲ୍କା ପିଣ୍ଡରେ ଥିବା ଶିଳା ବିଶ୍ଳେଷଣରୁ ଜଣାପଡ଼ିଛି। ଅଙ୍ଗାର ପାଲଟି ଯାଇଥିବା ୩ଟି ଉଲ୍କା ଖଣ୍ଡରୁ ‘ନ୍ୟୁକ୍ଲିଓବେସ୍’ ଆବିଷ୍କୃତ ହୋଇଥିବା କଥା ‘ହୋକ୍କାଇଦୋ ୟୁନିଭର୍ସିଟି’ର ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲୋ-ଟେମ୍ପେରେଚର୍ ସାଇନ୍ସ୍’ର ଦଳେ ଗବେଷକ ରିପୋର୍ଟ କରିଛନ୍ତି। ‘ନ୍ୟୁକ୍ଲିଓବେସ୍’ ହେଉଛି ‘ନାଇଟ୍ରୋଜେନ୍’ ଥିବା ଉପାଦାନ। ଏହି ଉପାଦାନ ‘ଡିଏନ୍ଏ’ର ବୈଶିଷ୍ଟ୍ୟ ‘ଡବଲ୍-ହେଲିକ୍ସ୍’ର ଢାଞ୍ଚା ତିଆରିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
‘ନେଚର୍ କମ୍ୟୁନିକେସନ୍’ ପତ୍ରିକାରେ ପ୍ରକାଶିତ ଉକ୍ତ ଗବେଷକମାନଙ୍କ ଅଧ୍ୟୟନ କହେ ଯେ, ଗବେଷକମାନେ ‘ସାଇଟୋସାଇନ୍’, ‘ୟୁରାସିଲ୍’ ଏବଂ ‘ଥାଇମିନ୍’ ଭଳି ବର୍ଣ୍ଣହୀନ ସ୍ଫଟିକ ‘ନ୍ୟୁକ୍ଲିଓବେସ୍’ ଏବଂ ‘ଆଇସୋସାଇଟୋସିନ୍’ ‘ଇମିଡେଜୋଲ୍-୪-କାର୍ବୋଲିକ୍ ଏସିଡ୍’, ‘୬-ମେଥିଲୁରାସିଲ୍’ ଭଳି ସେଗୁଡ଼ିକର ଗଠନରେ ଥିବା ‘ଆଇସୋମର୍’ ଚିହ୍ନଟ କରିଛନ୍ତି।
ସୂଚନାଯୋଗ୍ୟ, ‘ଆଡେନାଇନ୍’ (ଏ), ‘ଥାଇମିନ୍’ (ଟି), ‘ସାଇଟୋସାଇନ୍’ (ସି), ଏବଂ ‘ଗୁଆନାଇନ୍’ (ଜି) କୁହାଯାଉଥିବା ‘ନ୍ୟୁକ୍ଲିଓବେସ୍’ରେ ‘ଡିଏନ୍ଏ’ ନିର୍ମିତ। ‘ଆର୍ଏନ୍ଏ’ ମଧ୍ୟ ‘ଏ’, ‘ସି’ ଏବଂ ‘ଜି’ ଥାଏ, କିନ୍ତୁ ‘ଥାଇମିନ୍’ ପରିବର୍ତ୍ତେ ‘ୟୁ’ ଥାଏ।
ଆଦ୍ୟ କାଳରେ ଉଲ୍କାରେ ଥିବା ବିଭିନ୍ନ ପ୍ରକାରର ‘ନ୍ୟୁକ୍ଲିଓବେସ୍’ ‘ଡିଏନ୍ଏ’ ଏବଂ ‘ଆର୍ଏନ୍ଏ’ ତିଆରି ଉପକରଣ ହୋଇଥାଇ ପାରେ ବୋଲି ଉକ୍ତ ଅଧ୍ୟୟନରେ ଦର୍ଶାଯାଇଛି।
୧୯୫୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକୀୟ ପ୍ରଦେଶ କେଣ୍ଟୁକି ଅନ୍ତର୍ଗତ ମୁରେ ନଗରୀ, ୧୯୬୯ ମସିହାରେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ଷ୍ଟେଟ୍ ଅନ୍ତର୍ଗତ ମର୍ସିସନ୍ ନଗରୀ ଏବଂ ୨୦୦୦ ମସିହାରେ କାନଡାର ବ୍ରିଟିସ୍ କଲମ୍ବିଆ ପ୍ରଦେଶ ଅନ୍ତର୍ଗତ ଟାଗିସ୍ ହ୍ରଦ ନିକଟରେ ପଡ଼ିଥିବା ୩ଟି ଉଲ୍କାରେ ଥିବା ଉପାଦନାକୁ ଗବେଷକମାନେ ପରୀକ୍ଷା କରିଥିଲେ।
Sign in
Sign in
Recover your password.
A password will be e-mailed to you.