କରାଚି ବିଶ୍ୱବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ

କରାଚି: ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗୋଟିଏ କାର୍‌ ଦ୍ୱାରା ବିଶ୍ୱବିଦ୍ୟାଳୟ ଭିତରେ ବିସ୍ଫୋରଣ କରାଯାଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଚାଇନିଜ ଶିକ୍ଷା‌ର୍ଥୀ ରହିଛନ୍ତି। ସେହିପରି ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଶିକ୍ଷାର୍ଥୀ, ରେଞ୍ଜର ଓ ସିକ୍ୟୁରିଟି ଗାର୍ଡ ରହିଛନ୍ତି।
ଘଟଣାରେ ପରେ ପୂରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ସୁରକ୍ଷାକର୍ମୀମାନେ ଘଟଣାସ୍ଥଳକୁ ଘେରି ଯାଇ ସର୍ଚ୍ଚ ଅପରେସନ କରୁଛନ୍ତି। ଦମକାଳ ବାହିନୀ ପହଞ୍ଚି ବିସ୍ଫୋରଣ ଯୋଗୁ ଘଟିଥିବା ଅଗ୍ନିକାଣ୍ଡକୁ ଲିଭାଇବାକୁ ପ୍ରୟାସ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, କରାଚି ବିଶ୍ୱବିଦ୍ୟାଳୟ ମଧ୍ୟରେ ଚାଇନିଜ ଦାର୍ଶନିକ କନଫ୍ୟୁସିୟସଙ୍କ ନାଁରେ ଗୋଟିଏ ଇନଷ୍ଟିଚ୍ୟୁଟ ରହିଛି। ଏହି କନଫ୍ୟୁସିୟସ ଇନଷ୍ଟିଚ୍ୟୁଟ ନିକଟରେ ହିଁ ସ୍ଥାନୀୟ ସମୟ ୧.୫୨ରେ ଭ୍ୟାନ ଯୋଗେ ବିସ୍ଫୋରଣ କରାଯାଇଛି। ଖବର ପାଇ ସୁରକ୍ଷାକର୍ମୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ପୂରା ଅଞ୍ଚଳକୁ କର୍ଡନ କରି ଯାଞ୍ଚ କରୁଛନ୍ତି। ଫରେନ୍ସିକ ଟିମ ଓ ସନ୍ଧାନୀ କୁକୁରଙ୍କୁ ମଧ୍ୟ ଘଟଣାସ୍ଥଳକୁ ଅଣାଯାଇଛି। ଭ୍ୟାନ ମଧ୍ୟରେ ୭ରୁ ୮ ଜଣ ଲୋକ ଥିବା କୁହାଯାଉଛି। ହେଲେ ପ୍ରକୃତ ସଂଖ୍ୟା ଜଣାପଡ଼ିନି। ସେହିପରି ଭ୍ୟାନ ମଧ୍ୟରେ ଥିବା ଲୋକଙ୍କ ପରିଚୟ ମଧ୍ୟ ସାର୍ବଜନୀନ କରାଯାଇନି।
ପୁଲିସ୍‌ କହିଛି ଯେ ପ୍ରାଣ ହରାଇଥିବା ୩ ଚାଇନିଜ୍‌ଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ପ୍ରଥମେ ଗ୍ୟାସ ସିଲିଣ୍ଡର ଯୋଗୁ ବିସ୍ଫୋରଣ ହୋଇଛି ବୋଲି ଆଶଙ୍କା କରାଯାଉଥିଲା। ତେବେ ଆତ୍ମଘାତୀ ହମଲା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଅଧିକାଂଶ ମୃତାହତ ଚାଇନିଜ୍‌ ଭାଷାରେ ପାଠ ପଢ଼ାଯାଉଥିବା କଫ୍ୟୁସିୟସ ଇନିଷ୍ଟିଚ୍ୟୁଟର ଶିକ୍ଷାର୍ଥୀ। ୨ ଜଣ ବିଦେଶୀ ସେମାନଙ୍କ ଗେଷ୍ଟ ହାଉସରୁ ନିଜ ବିଭାଗକୁ ଯାଉଥିବା ବେଳେ ହିଁ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

nis-ad
Leave A Reply

Your email address will not be published.