ଘର ସଜାଡ଼ିବା ମୁଡରେ କଂଗ୍ରେସ, ବିଶୃଙ୍ଖଳିତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବାରମ୍ବାର ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଏବେ ଘର ସଜାଡ଼ି ମୁଡରେ ଲାଗିଛି। ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ଦଳର ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହିକ୍ରମରେ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଜଖରଙ୍କ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ତାଙ୍କୁ କଂଗ୍ରେସରୁ ୨ ବର୍ଷ ପାଇଁ ନିଲମ୍ବିତ କରିବା ସହ ସମସ୍ତ ପଦପଦବୀରୁ ବିଦା କରିବା ପାଇଁ ଦଳର ଶୃଙ୍ଖଳା କମିଟି ପ୍ରସ୍ତାବ ଦେଇଛି।
ଏହି ପ୍ରସ୍ତାବ ଉପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ମୋହର ମାରିବା ମାତ୍ରେ ଏହାକୁ ସାର୍ବଜନୀନ କରାଯିବ। ଏହାବାଦ ଏକେ ଆଣ୍ଟୋନୀଙ୍କ ନେତୃତ୍ୱାଧୀନ ଶୃଙ୍ଖଳା କମିଟି କେରଳ କଂଗ୍ରେସ ନେତା କେଭି ଥୋମାସଙ୍କୁ ସମସ୍ତ ପଦପଦବୀରୁ ହଟାଇବାକୁ ପ୍ରସ୍ତାବ ଦେଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ଖାଲି ସେତିକି ନୁହେଁ ଦଳର ନିର୍ଦ୍ଦେଶକୁ ବେଖାତିର କରି ମେଘାଳୟରେ ଶାସକ ବିଜେପି ସମର୍ଥିତ ଏମଡିଏକୁ ସମର୍ଥନ କରିଥିବା କଂଗ୍ରେସର ୫ ବିଧାୟକଙ୍କୁ ନିଲମ୍ବିତ କରାଯିବ। ମଙ୍ଗଳବାର ସକାଳେ ଆଣ୍ଟୋନୀଙ୍କ ନେତୃତ୍ୱାଧୀନ ୫ ଜଣିଆ କଂଗ୍ରେସ କମିଟିର ସଦସ୍ୟମାନେ ଦିଲ୍ଲୀରେ ବୈଠକ କରିଥିଲେ। ଏହି ବୈଠକରେ ହିଁ ବିଶୃଙ୍ଖଳା କରୁଥିବା ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି।
ସୁନୀଲ ଜଖର ପଞ୍ଜାବରେ କଂଗ୍ରେସ ହାରିବା ଦିନଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ସମାଲୋଚନା କରି ଆସୁଛନ୍ତି। ଚନ୍ନିଙ୍କ ପାଇଁ ହିଁ କଂଗ୍ରେସ ରାଜ୍ୟରେ ହାରିଲା ବୋଲି ସେ କହୁଛନ୍ତି। ଏଥିସହ ଦଳର ହାଇକମାଣ୍ଡ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବାରୁ ଶ୍ରୀ ଜଖର ଏହାକୁ ମଧ୍ୟ ସମାଲୋଚନା କରିଥିଲେ।
କେରଳ କଂଗ୍ରେସ ନେତା ଥୋମାସ ଦଳର ନିଷ୍ପତ୍ତି ବିରୋଧରେ କାମ କରିଥିଲେ। ସେ ଏପ୍ରିଲ ୯ରେ ବାମଦଳ ପକ୍ଷରୁ ଆୟୋଜିତ ସେମିନାରରେ ଯୋଗଦେବାରୁ କଂଗ୍ରେସ ଭିତରୁ ଏହାକୁ ବିରୋଧ କରାଯାଇଥିଲା। ସ୍ଥାନୀୟ ନେତାମାନେ ଥୋମାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି କରିଥିଲେ।
ଅନ୍ୟପକ୍ଷରେ ମେଘାଳୟର ୫ ବିଧାୟକ ବିଜେପି ସମର୍ଥିକ ସରକାରରେ ସାମିଲ ହୋଇଛନ୍ତି। ଏଥିପାଇଁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ହେଲେ ଏବେ ସମସ୍ତଙ୍କୁ ନିଲମ୍ବିତ କରିବାକୁ ପ୍ରସ୍ତାବ ଦିଆଯାଇଛି।

nis-ad
Leave A Reply

Your email address will not be published.