କରୋନାର ତୃତୀୟ ଲହରରୁ ସୁରକ୍ଷା ଦେଇଛି ବୁଷ୍ଟର ଡୋଜ୍‌ ! 

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଟିକାର ବୁଷ୍ଟର ଡୋଜ୍‌ କେତେ ଫଳପ୍ରଦ ହୋଇଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ମହାମାରୀ କରୋନାର ତୃତୀୟ ଲହର ବେଳେ ବୁଷ୍ଟର ଡୋଜ୍‌ ଗେମ ଚେଞ୍ଜର ସାଜିଥିଲା। ବୁଷ୍ଟର ଡୋଜ୍‌ ନେଇଥିବା ୭୦% ଲୋକ କରୋନା ସଂକ୍ରମଣରୁ ବର୍ତ୍ତି ଯାଇଥିଲେ।
ଭାରତରେ ହୋଇଥିବା ନୂଆ ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ବୁଷ୍ଟର ଡୋଜ୍‌ ନେଇଥିବା ପ୍ରାୟ ୬ ହଜାର ଲୋକଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା। ଏହାପରେ ପରୀକ୍ଷା ରିପୋର୍ଟକୁ ସାର୍ବଜନୀନ କରାଯାଇଛି।
କୋରନା ଭାଇରସ ପାଇଁ ଇଣ୍ଡିଆନ ମେଡିକାଲ ଆସୋସିଏସନ ଗଠନ କରିଥିବା ନ୍ୟାଶନାଲ ଟାସ୍କ ଫୋର୍ସର ସହ ଅଧ୍ୟକ୍ଷ ଡା ରାଜୀବ ଜୟେଦେବାନଙ୍କ ନେତୃତ୍ୱରେ ଏପରି ସର୍ଭେ କରାଯାଇଥିଲା। ଡାକ୍ତର ରାଜୀବ ସର୍ଭେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଟିକାର ଦୁଇଟି ଡୋଜ୍‌ ନେଇଥିଲେ ମଧ୍ୟ ବୁଷ୍ଟର ଡୋଜ୍‌ ଗ୍ରହଣ କରି ନଥିବା ପ୍ରାୟ ୪୫% ଲୋକ କରୋନାର ତୃତୀୟ ଲହର ବେଳେ ସଂକ୍ରମିତ ହୋଇଥିଲେ।
ସର୍ଭେରେ ଟିକା ନେଇଥିବା ମୋଟ ୫,୯୭୧ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୨୪% ଲୋକଙ୍କ ବୟସ ୪୦ ବର୍ଷରୁ କମ ଥିଲା। ସେହିପରି ୫୦% ଲୋକଙ୍କ ବୟସ ୪୦-୫୯ ବର୍ଷ। ସେହିପରି ଏଥିରେ ୪୫% ମହିଳା ଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୫୩% ରହିଥିଲା।
ସର୍ଭେରେ ସାମିଲ ଥିବା ମୋଟ ୫,୯୭୧ ଜଣଙ୍କ ମଧ୍ୟରୁ ୨,୩୮୩ ଜଣ ବୁଷ୍ଟର ଡୋଜ୍‌ ନେଇଥିଲେ। ବୁଷ୍ଟର ଡୋଜ୍‌ ନେଇ ମଧ୍ୟ ୩୦% ଲୋକ କରୋନାର ତୃତୀୟ ଲହର ବେଳେ ସଂକ୍ରମିତ ହୋଇଥିଲେ। ବାକି ୭୦% ଲୋକ ସଂକ୍ରମଣରୁ ବର୍ତ୍ତି ଯାଇଥିଲେ। ବୁଷ୍ଟର ଡୋଜ୍‌ ନେଇଥିବା ଅଧିକାଂଶ ଲୋକ ସ୍ୱାସ୍ଥ୍ୟକର୍ମୀ ଓ ଏନ ୯୫ ମାସ୍କ ବ୍ୟବହାର କରୁଥିଲେ।
ସର୍ଭେରୁ ଜଣାପଡ଼ିଛି ଯେ ଦ୍ୱିତୀୟ ଡୋଜ୍‌ ନେବାର ୬ ମାସ ମଧ୍ୟରେ ବୁଷ୍ଟର ଡୋଜ୍‌ ନେଲେ ଏହା ସଂକ୍ରମଣ ହାରରେ କୌଣସି ପ୍ରଭାବ ପକାଉ ନାହିଁ। ସେହିପରି ତୃତୀୟ ଲହର ୪୦ ବର୍ଷରୁ କମ ବୟସ୍କଙ୍କୁ ଅଧିକ ମାତ୍ରାରେ ସଂକ୍ରମିତ କରିଥିଲା। ଏହି ବୟସ ବର୍ଗରେ ଥିବା ପ୍ରାୟ ୪୫% ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ।
ତୃତୀୟ ଲହର ବେଳେ ୪୦ରୁ ୫୯ ବର୍ଷ ବୟସ ବର୍ଗର ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୩୯.୬% ଥିବାବେଳେ ୬୦ରୁ ୭୯ ବର୍ଷ ବୟସ ବର୍ଗର ୩୧.୮% ଲୋକ ସଂକ୍ରମିତ ହୋଇଥିଲେ। ୮୦ ବର୍ଷରୁ ଅଧିକ ବୟସର ମାତ୍ର ୨୧.୨% ଲୋକଙ୍କୁ କରୋନାର ତୃତୀୟ ୱେଭ ସଂକ୍ରମିତ କରିଥିଲା।
ସଂକ୍ରମିତ ହୋଇଥିବା ୨୩୧୧ ଜଣଙ୍କ ମଧ୍ୟରୁ ୪.୮% ଲୋକଙ୍କର କୌଣସି ଲକ୍ଷଣ ନଥିଲା। ୫୩% ଲୋକଙ୍କ କ୍ଷେତ୍ରରେ ମଧ୍ୟମଧରଣର ଲକ୍ଷଣ ଥିଲା। ସେହିପରି ୪୧.୫% ଲୋକଙ୍କ କ୍ଷେତ୍ରରେ ସାମାନ୍ୟ ଅଧିକ ଲକ୍ଷଣ ଦେଖା ଯାଇଥିବା ବେଳେ ୦.୬୯% ଲୋକଙ୍କ କ୍ଷେତ୍ରରେ ଗୁରୁତର ଲକ୍ଷଣ ସବୁ ଚିହ୍ନଟ ହୋଇଥିଲା।
ଗବେଷକମାନେ କହିଛନ୍ତି, ତୃତୀୟ ଲହର ବେଳେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ ସଂକ୍ରମଣ ହାର ପ୍ରାୟ ସମାନ ରହିଥିଲା। ମୋଟ ୫,୧୫୭ ଜଣ କୋଭିସିଲ୍ଡ ଟିକା ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୧୦(୩୯%) ଲୋକ ତୃତୀୟ ୱେଭ ବେଳେ କରୋନାରେ ସଂକ୍ରମିତ ହୋଇଥିଲେ। ସେହିପରି କୋଭାକ୍ସିନ ନେଇଥିବା ୫୨୩ ଜଣଙ୍କ ମଧ୍ୟରୁ ୨୦୧ ଜଣ ଅର୍ଥାତ ୪୦% ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ।
ସୂଚନାଯୋଗ୍ୟ, ଭାରତରେ କରୋନାର ତୃତୀୟ ଲହର ଡିସେମ୍ବରରୁ ଆରମ୍ଭ ହୋଇ ମାର୍ଚ୍ଚ ଯାଏ ଅନୁଭୂତ ହୋଇଥିଲା। ଜାନୁଆରୀ ୧୦ରୁ ସରକାର ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବୁଷ୍ଟର ଡୋଜ୍‌ର ବ୍ୟବସ୍ଥା କରିଥିଲେ।

nis-ad
Leave A Reply

Your email address will not be published.