କଂଗ୍ରେସ ପାଇଁ ଚାଣକ୍ୟ ସାଜିବେନି ପ୍ରଶାନ୍ତ କିଶୋର, ଦଳର ପ୍ରସ୍ତାବକୁ ମନା କରିଦେଲେ

ନୂଆଦିଲ୍ଲୀ: କଂଗ୍ରେସ ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଯୁଗଳବନ୍ଦୀକୁ ନେଇ ଚାଲିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଦଳରେ ମିଶିବାକୁ ପ୍ରଶାନ୍ତ କି‌ଶୋରଙ୍କୁ କଂଗ୍ରେସ ଦେଇଥିବା ପ୍ରସ୍ତାବକୁ ସେ ମନା କରିଦେଇଛନ୍ତି। ଏହାର ଅର୍ଥ କଂଗ୍ରେସ ପାଇଁ ଚାଣକ୍ୟ ସାଜି ଆଉ ରଣନୀତି ପ୍ରସ୍ତୁତ କରିବେ ନାହିଁ ପ୍ରଶାନ୍ତ କିଶୋର।
ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରି କଂଗ୍ରେସ କ୍ଷମତାସମ୍ପନ୍ନ କ୍ରିୟାନୁଷ୍ଠାନ ଗୋଷ୍ଠୀ ବା ସ୍ୱତନ୍ତ୍ର ଟାସ୍କଫୋର୍ସର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲା। ଏହି ଗୋଷ୍ଠୀ ୨୦୨୪ ପୂର୍ବରୁ କଂଗ୍ରେସ ସମ୍ମୁଖୀନ ହେଉଥିବା ରାଜନୀତିକ ଚ୍ୟାଲେଞ୍ଜର ମୁକାବିଲା କରି ଥାଆନ୍ତା। ହେଲେ ଏହି ପ୍ରସ୍ତାବକୁ ପ୍ରଶାନ୍ତ କିଶୋର ମନା କରି ଦେଇଛନ୍ତି। ଦଳକୁ ସଶକ୍ତ କରିବା ପାଇଁ ପ୍ରଶାନ୍ତ କିଶୋର ମୁକ୍ତ ଭାବେ କାମ କରିବାକୁ ଚାହୁଁଥିଲେ। ହେଲେ କଂଗ୍ରେସ ତାଙ୍କୁ ମୁକ୍ତ ଭାବେ କାମ କରିବାର ସୁଯୋଗ ନ ଦେବାରୁ ସେ ଦଳ ସାମିଲ ହେବେ ନାହିଁ ବୋଲି କହିଥିବା ଜଣାପଡ଼ିଛି।
ପ୍ରଶାନ୍ତ କିଶୋର କଂଗ୍ରେସକୁ ନା କହିବା ସମ୍ପର୍କରେ ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପ୍ରଶାନ୍ତ କିଶୋରଙ୍କ ସହ ଏକାଧିକ ପ୍ରେଜେନଟେସନ ଓ ଆଲୋଚନା ପରେ କଂଗ୍ରେସ ଅଧ୍ୟକ୍ଷ କ୍ଷମତାସମ୍ପନ୍ନ କ୍ରିୟାନୁଷ୍ଠାନ ଗୋଷ୍ଠୀ ୨୦୨୪ ଗଠନ କରିଥିଲେ। ଏହି ଗୋଷ୍ଠୀରେ ପ୍ରଶାନ୍ତ କିଶୋରଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ନେଇ ସାମିଲ ହେବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ଏହି ପ୍ରସ୍ତାବକୁ ମନା କରିଦେଇଛନ୍ତି। ଦଳକୁ ସେ ଦେଇଥିବା ପରାମର୍ଶ ଓ ଦଳ ପ୍ରତି କରିଥିବା ଉଦ୍ୟକୁ ଆମେ ପ୍ରଶଂସା କରୁଛ।”
କଂଗ୍ରେସର ଏପରି ଘୋଷଣା ପରେ ପ୍ରଶାନ୍ତ କିଶୋର ମଧ୍ୟ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, “କ୍ଷମତାସମ୍ପନ୍ନ କ୍ରିୟାନୁଷ୍ଠାନ ଗୋଷ୍ଠୀରେ ସାମିଲ ହେବାକୁ ମୋତେ କଂଗ୍ରେସ ମିଶିବା ପାଇଁ ଦିଆଯାଇଥିବା ଉଦାର ପ୍ରସ୍ତାବକୁ ମୁଁ ମନା କରିଦେଇଛି। ମୋତେ ନିର୍ବାଚନ ପାଇଁ ଦାୟିତ୍ୱ ନେବାକୁ ମଧ୍ୟ କୁହାଯାଇଥିଲା। ମୋର ବିନମ୍ର ମତରେ, ପରିବର୍ତ୍ତନଶୀଳ ସଂସ୍କାର ମାଧ୍ୟମରେ ତୃଣମୂଳ ସ୍ତରରେ ଗଠନମୂଳକ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ମୋ ଅପେକ୍ଷା ନେତୃତ୍ୱ ଓ ସାମୂହିକ ଇଚ୍ଛାଶକ୍ତିର ଅଧିକ ଆବଶ୍ୟକ କରେ।”

nis-ad
Leave A Reply

Your email address will not be published.