ସପ୍ତାହକ ମଧ୍ୟରେ ଦୁଇ ଗୁଣ ବଢ଼ିଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ କରୋନାର ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଗତ ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ କରୋନାର ଦୈନିକ ସଂକ୍ରମଣ ପ୍ରାୟ ଦୁଇ ଗୁଣ ବଢ଼ିଲାଣି। ବିଶେଷ କରି ଦେଶର ୧୨ ରାଜ୍ୟର କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସପ୍ତାହକ ମଧ୍ୟରେ କରୋନା ସଂକ୍ରମଣ ୨ ଗୁଣ ବଢ଼ିଥିଲେ ମଧ୍ୟ କେହି ବି ଏହାକୁ ଗୁରୁତ୍ୱର ସହ ନେଇନାହାନ୍ତି। କିଛି ରାଜ୍ୟ କେବଳ ମାସ୍କ ବାଧ୍ୟତାମୂଳକ କରି ଚୁପ ବସି ଯାଇଛନ୍ତି। ହେଲେ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଯାଏ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନି।
ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୧୮ରୁ ୨୪ ମଧ୍ୟରେ ଦେଶରୁ ୧୫,୭୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବ ସପ୍ତାହ ତୁଳନାରେ ସଂକ୍ରମଣ ପ୍ରାୟ ୯୫% ବଢ଼ିଛି। ଗତ ସପ୍ତାହରେ ମୋଟ ୮,୦୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ଦୈନିକ ସଂକ୍ରମଣ ବଢ଼ିଛି। ପୂର୍ବରୁ ୧୧ ସପ୍ତାହ ଯାଏ କରୋନା ସଂକ୍ରମଣ ତଳମୁହାଁ ହୋଇ ରହିଥିଲା।
ଏପ୍ରିଲ ୧୮ରୁ ୨୪ ମଧ୍ୟରେ ଦିଲ୍ଲୀ, ହରିଆଣା ଓ ଉତ୍ତର ପ୍ରଦେଶରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି ଏନସିଆରରେ ସବୁଠାରୁ ଅଧିକ ସଂକ୍ରମିତ ରହିଛନ୍ତି। କେବଳ ଏହି ୩ ରାଜ୍ୟ ନୁହେଁ, ଗତ ସପ୍ତାହରେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକା, ତାମିଲନାଡୁ, ବେଙ୍ଗଲ, ରାଜସ୍ଥାନ ଓ ପଞ୍ଜାବରେ ମଧ୍ୟ ସଂକ୍ରମଣ ବଢ଼ିଛି।
ସପ୍ତାହକ ମଧ୍ୟରେ ଦିଲ୍ଲୀରୁ ୬,୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା’ ପୂର୍ବ ସପ୍ତାହରେ ୨୩୦୭ ଜଣଙ୍କ ଟେଷ୍ଟ ରିପୋର୍ଟ ଆସିଥିଲା। ସେହିପରି ହରିଆଣାରେ ୨,୨୯୬ ଓ ଉତ୍ତର ପ୍ରଦେଶରୁ ୧୨୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶର ସପ୍ତାହିକ ସଂକ୍ରମଣ ମଧ୍ୟରୁ ଏହି ୩ ରାଜ୍ୟରୁ ଏକ ତୃତୀୟାଂଶ ସଂକ୍ରମିତ ରହିଛନ୍ତି।
ଓମିକ୍ରନର ସବ ଭ୍ୟାରିଏଣ୍ଟଗୁଡ଼ିକ ଯୋଗୁ ସଂକ୍ରମଣ ବଢ଼ୁଥିବା ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଏଯାଏ ଏ ସମ୍ପର୍କରେ କୌଣସି ପ୍ରକାରର ସରକାରୀ ତଥ୍ୟ ଦିଆଯାଇନି।

nis-ad
Leave A Reply

Your email address will not be published.