ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର

ଭୁବନେଶ୍ବର: ‘ମୁଁ ହତ୍ୟା କରିଛି । ହତ୍ୟାକାଣ୍ଡ ପାଇଁ ମୁଁ ଦାୟୀ । ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି ।’ ଏ ହେଉଛି ରାଜଧାନୀ ଡବଲ ମର୍ଡର ଯାଞ୍ଚରୁ ମିଳିଥିବା ନୂଆ ତଥ୍ୟ । ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ପୋଲିସ ଉଦ୍ଦେଶ୍ୟରେ ଏମିତି ଚିଠି ଲେଖିଥିଲା ଅଭିଯୁକ୍ତ ବିଜୟ ସେଠୀ ।

ପୋଲିସ ଅଭିଯୁକ୍ତ ବିଜୟଙ୍କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି । ରାଜଧାନୀରେ ଘଟିଥିବା ଏହି ବିଭତ୍ସ ହତ୍ୟା ପଛରେ ଏକାଧିକ କାରଣ ଥିବା ଅନୁମାନ କରାଯାଉଛି । ଯାହାକୁ ଆଧାର କରି ପୋଲିସ ତା’ର ତଦନ୍ତ ଆଗକୁ ବଢାଇଛି ।

ଆଜି ସକାଳୁ ସାକଳୁ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ପଡିଯାଇଥିଲା ହୋହାଲ୍ଲା । କାରଣ ଅଭିଯୁକ୍ତ ବିଜୟ ରହୁଥିବା ଘରୁ ବାହାରୁଥିଲା ଦୁର୍ଗନ୍ଧ ଓ ଗୁରୁବାରଠାରୁ ତାଙ୍କ ପତ୍ନୀ ଗାୟତ୍ରୀ ଏବଂ ଶାଳୀ ସରସ୍ବତୀ ଥିଲେ ନିଖୋଜ । ୪ ଦିନ ପୂର୍ବରୁ ଟାଙ୍ଗିଆରେ ହାଣି ବିଜୟ ଉଭୟଙ୍କୁ ହତ୍ୟା କରିଥିଲେ । ଘରୁ ପଚା ଗନ୍ଧ ବାହାରିବାରୁ ଶବକୁ ଗାଏବ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡି ଯାଇଥିଲେ । ମୃତ ଦୁଇ ଭଉଣୀଙ୍କ ବାପା ଓ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ଏହାପରେ ଜଣାପଡିଥିଲା ସଇତାନ ବିଜୟର ହତ୍ୟା କାହାଣୀ ।

ହତ୍ୟାକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସ୍ତ୍ରୀକୁ ହତ୍ୟା କରିବା ପରେ ଶାଳୀକୁ କାହିଁକି ହତ୍ୟା କରିଥିଲେ ବିଜୟ ତାହା ମଧ୍ୟ ରହସ୍ୟ ଘେରରେ ରହିଛି । ତେବେ ବିଜୟ ଲେଖିଥିବା ହାତ ଲେଖା ଚିଠିରେ କେତେ ସତ୍ୟତା ରହିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ମୃତ ଶାଳୀ ସରସ୍ବତୀ ସେଠୀ ଦୁଇ ମାସ ତଳେ ବିବାହ କରିଥିଲେ । ଘରୋଇ ହସ୍ପିଟାଲରେ ଚାକିରି କରୁଥିବାରୁ ସେ ଭୁବନେଶ୍ବରରେ ଏକ ହଷ୍ଟେଲରେ ରହୁଥିଲେ । ଗତ ଗୁରୁବାର ଦିନ ବିଜୟ ଯାଇ ତାଙ୍କୁ ଘରକୁ ଆଣିଥିଲେ । ଅପରାହ୍ଣରେ ସରସ୍ବତୀ ଏବଂ ତାଙ୍କ ଭଉଣୀ ଘର ଲୋକଙ୍କ ସହ ଶେଷ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ ଫୋନ ଅଫ୍ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପତ୍ନୀ ନିଖୋଜ ଥିବା ନେଇ ସରସ୍ବତୀଙ୍କ ସ୍ବାମୀ ଥାନାରେ ନିଖୋଜ ଏତଲା ଦେଇଥିଲେ । ପରିବାର ଲୋକେ ଆସି ବିଜୟଙ୍କ ପଡୋଶୀଙ୍କୁ ପଚରାଉଚରା କରି ନିରାଶ ହୋଇଥିଲେ । ଏହାପରେ ସେମାନେ ବିଜୟଙ୍କ ଘର ଉପରେ ନଜର ରଖିଥିଲେ । ଆଜି ବିଜୟ ଘରକୁ ଆସିଥିବା ବେଳେ ତାଙ୍କ ଶ୍ବଶୁର ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଧରିଥିଲେ ।

ପାରିବାରିକ କଳହରୁ ବିଜୟ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ବିବାହର ୧୧ ବର୍ଷ ପରେ ବି ବିଜୟ ବାପା ହୋଇ ପାରିନଥିଲେ । ଏହାକୁ ନେଇ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁ ସମୟରେ ଝଗଡା ହେଉଥିଲା । ଗୁରୁବାର ଦିନ ଏମିତି କିଛି ହୋଇଥିବା ଓ ରାଗରେ ବିଜୟ ଦୁଇ ଭଉଣୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.