ଜମ୍ମୁ-କଶ୍ମରୀରେ : ହାଇଡ୍ରୋଇଲେକ୍ଟ୍ରିକ ପାୱାର ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମରୀରେ ଚାଲିଥିବା ହାଇଡ୍ରୋଇଲେକ୍ଟ୍ରିକ ପାୱାର ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଛି। ସେହିପରି ଗୋଟିଏ ବୀମା ଯୋଜନାରେ ହେରଫେର କରାଯାଇଥିବା ଅଭିଯୋଗ ଆସିବା ପରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଦୁଇ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପ୍ରଥମେ ଅଭିଯୋଗ କରିଥିଲେ। ଏହାପରେ ହିଁ ସିବିଆଇ ଘଟଣାର ଯାଞ୍ଚ କରି ମାମଲା ରୁଜୁ କରିଛି।
ମିଳିଥିବା ସୂଚନା ଅନୁଯାୟୀ, କିରୁ ହାଇଡ୍ରୋଇଲେକ୍ଟ୍ରିକ ପାୱାର ପ୍ଲାଣ୍ଟ ପ୍ରକଳ୍ପକୁ ୨୦୧୯ ମସିହା ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଅନୁମୋଦନ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା ୬୨୪ ମେଗାୱାଟ୍ଟର ବିଜୁଳି ଉତ୍ପାଦନ ହେବ ଓ ଏଥିପାଇଁ ୪,୨୮୭.୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା।
ହେଲେ ପ୍ରକଳ୍ପ ନାଁରେ ବ୍ୟାପକ ହେରଫେର ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ସିବିଆଇ ପକ୍ଷରୁ ଜମ୍ମୁ-କଶ୍ମୀର, ବିହାର, ମୁମ୍ବାଇ ଓ ଦିଲ୍ଲୀରେ ରେଡ୍‌ କରାଯାଇଛି। ସେହିପରି ଆଇଏଏସ୍‌ ଅଫିସର ନବୀନ ଚୌଧୁରୀଙ୍କ ଘରେ ମଧ୍ୟ ସିବିଆଇ ସର୍ଚ୍ଚ ଅପରେସନ କରିଥିଲା। ଶ୍ରୀ ଚୌଧୁରୀ ହେଉଛନ୍ତି ଚେନେବା ଭ୍ୟାଲି ପାୱାର ପ୍ରୋଜେକ୍ଟ ପ୍ରାଇଭେଟ ଲିଃ(CVVPPL )ର ପୂର୍ବତନ ଅଧ୍ୟକ୍ଷ। ତାଙ୍କ ବ୍ୟତୀତ CVVPPLର ବରିଷ୍ଠ ଏକ୍ସ୍ୟୁକେଟିଭ ଏମଏସ୍‌ ବାବୁ ଓ ଏମକେ ମିତ୍ତଲ, ପଟେଲ ଇଞ୍ଜିନିୟରିଂ ଲିଃ ଓ CVVPPLର ପୂର୍ବତନ ନିର୍ଦ୍ଦେଶକ ଅରୁଣ କୁମାର ମିଶ୍ରଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
ସିବିଆଇ ତା’ର ଏଫଆଇଆର୍‌ରେ କହିଛି ଯେ ପଟେଲ ଇଞ୍ଜିନିୟରିଂକୁ ୨୨୪୦ କୋଟି ଟଙ୍କାର ସରକାରୀ ନିର୍ମାଣ କାମ ଦେବା ପୂର୍ବରୁ ଇ-ଟେଣ୍ଡର ପ୍ରକ୍ରିୟାକୁ ପାଳନ କରାଯାଇ ନଥିଲା। CVVPPL ବୋର୍ଡ ସମସ୍ତ ବଡ଼ବଡ଼ କାମର ପୁଣି ଇ-ଟେଣ୍ଡର ପ୍ରକ୍ରିୟାରେ କରିବାକୁ ୨୦୧୯ରେ ନିଷ୍ପତ୍ତି ନେଇଥିଲା। ହେଲେ ଏହି ନିଷ୍ପତ୍ତିକୁ ସେହିବର୍ଷ ଅଗଷ୍ଟ ମାସରେ ହୋଇଥିବା ଆଉ ଗୋଟିଏ ବୈଠକରେ ସଂଶୋଧନ କରାଯାଇଥିଲା। ଏହାପରେ ହିଁ ପଟେଲ ଇଞ୍ଜିୟରିଂ ଲିଃକୁ କାମ ମିଳିଥିଲା। ତେଣୁ ଏଥିରେ ଲାଞ୍ଚ କାରବାର ହୋଇଥିବା ସମ୍ଭାବନା ରହିଥିବା ସିବିଆଇ କହିଛି।
ଅନ୍ୟପକ୍ଷରେ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ହୋଇଥିବା ଗୋଟିଏ ମେଡିକାଲ ବୀମା ଯୋଜନାରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ୨୦୧୮ ମସିହା ଅକ୍ଟୋବର ମାସରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ହେଲେ ମାତ୍ର କିଛି ମାସ ପରେ ଦୁର୍ନୀତି ଅଭିଯୋଗ ଆସିବାରୁ ଏହି ଯୋଜନାକୁ ବନ୍ଦ କରାଯାଇଥିଲା। ସତ୍ୟପାଲ ମଲ୍ଲିକ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ବେଳେ ଏହି ପ୍ରକଳ୍ପ ସଂକ୍ରାନ୍ତ ଦୁଇଟି ଫାଇଲକୁ ଅନୁମୋଦନ ଦେବାକୁ ତାଙ୍କୁ ୩୦୦ କୋଟି ଟଙ୍କା ଅଫର କରାଯାଇଥିବା ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ଏହାକୁ ନେଇ ବେଶ ବାଦବିବାଦ ଲାଗିଥିଲା। ଏବେ ସିବିଆଇ ଆକ୍ସନ ମୋଡକୁ ଆସି ମାମଲା ରୁଜୁ କରିଛି।

nis-ad
Leave A Reply

Your email address will not be published.