ବଢ଼ିଲା ଓମଫେଡ କ୍ଷୀର ଦର

ପୁଣି ଖାଉଟିଙ୍କ ଉପରେ ପଡିବ ମହଙ୍ଗା ମାଡ । ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ପରିବା ପରେ ଏବେ ବଢିଲା ଓମଫେଡ୍ କ୍ଷୀର ଦର । ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି ଓମଫେଡ କ୍ଷୀର ଦର । ଏପ୍ରିଲ ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ । ନୂଆ ଦର ବୃଦ୍ଧି ପରେ ଓମଫେଡ୍ ଗୋଲ୍ଡ ମୂଲ୍ୟ ୫୦୦ ମିଲି ପ୍ରତି ୨୪ ଟଙ୍କା, ଓମଫେଡ୍ ପ୍ରମିୟମ ୫୦୦ ମିଲି ପ୍ରତି ୨୪ ଟଙ୍କା, ଓମଫେଡ ଟୋନଡ ୫୦୦ ମିଲି ପ୍ରତି ୨୧ ଟଙ୍କାରେ କିଣିବେ ଖାଉଟି । ଶେଷ ଥର ପାଇଁ ୨୦୨୦ରେ ଓମଫେଡ୍‌ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇଥିଲା।

ଓମଫେଡ୍‌ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରି କୁହାଯାଇଛି ଯେ ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଇଛି। ତେଣୁ ଦୁଗ୍ଧ ଦର ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଇନପୁଟ୍‌ ଖର୍ଚ୍ଚର ବୃଦ୍ଧିକୁ ବିଚାରକୁ ନେଇ ଦୁଗ୍ଧ କ୍ରୟ ମୂଲ୍ୟକୁ ୫%ରୁ ଅଧିକ ବୃଦ୍ଧି କରାଯାଇଛି। ପୂର୍ବରୁ ଦୁଗ୍ଧ କ୍ରୟ ମୂଲ୍ୟ ଲିଟର ପିଛା ୩୩.୯୪ ଟଙ୍କା ଥିବା ବେଳେ ଏବେ ଏହା ୩୫.୬୪ ଟଙ୍କାକୁ ବୃଦ୍ଧି ପାଇବ । ଏହା ଦ୍ୱାରା ଦୁଗ୍ଧ ଉତ୍ପାଦକମାନେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଉତ୍ସାହିତ ‌ହେବେ। ତେବେ ଓମଫେଡ୍ ଦର ବଢିଲେ ଏହାର ପ୍ରଭାବ ସେତେଟା ପଡିବନି ବୋଲି କହିଛନ୍ତି ଜଣେ ଗ୍ରାହକ । ଯେହେତୁ ଅନ୍ୟ କମ୍ପାନିର କ୍ଷୀରର ଓମଫେଡ ଦର ଠାରୁ ଅଧିକ ରହିଛି ତେଣୁ ଦରବୃଦ୍ଧି କୌଣସି ପ୍ରଭାବ ପକାଇବ ନାହିଁ । ସେହିଭଳି ଓମଫେଡ କ୍ଷୀର ବିକୁଥିବା ଦୋକାନୀ କହିଛନ୍ତି, ଦର ବୃଦ୍ଧି ପରେ କଣ ପ୍ରଭାବ ପଡିବ ତାହା କ୍ଷୀର ବିକ୍ରି ହେବା ପରେ ଜଣାପଡିବ ।

ଏସବୁ ଭିତରେ ଆସନ୍ତା ୨୧ ତାରିଖରୁ ଓମଫେଡ୍ ପକ୍ଷରୁ ଭୁବନେଶ୍ୱର, କଟକ ଓ ପୁରୀରେ ନୂଆ ପ୍ରକାର କ୍ଷୀର ବିକ୍ରି ଆରମ୍ଭ କରାଯିବ । ଓମଫେଡର ଚା’ ସ୍ପେଶାଲ ନାମରେ ଏହି କ୍ଷୀର ବଜାରରେ ଉପଲବ୍ଧ ହେବ । ଏହି କ୍ଷୀର ଚା’କୁ ଅଧିକ ସ୍ୱାଦିଷ୍ଟ କରିବ । ଏହାର ଦର ୫୦୦ ମିଲିକୁ ୨୩ ଟଙ୍କା ରହିବ । ସେହିଭଳି କ୍ଷୀର ବ୍ୟତୀତ ୧୫ ଟଙ୍କାରେ ୨୦୦ ମିଲିର ପ୍ୟାକେଟ ଦହି ମଧ୍ୟ ଓମଫେଡ୍ ପକ୍ଷରୁ ବଜାରକୁ ଛଡାଯିବ ।

nis-ad
Leave A Reply

Your email address will not be published.