ରୁଷ ସ୍ଥିତି ଅସମ୍ଭାଳ, ଭାରତକୁ ମାଗିଲା ମେଡିକାଲ ସାମଗ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ସ୍ଥିତି ଏବେ ଅସମ୍ଭାଳ ହେବାକୁ ଲାଗିଲାଣି। ଆମେରିକା ସମେତ ବିଭିନ୍ନ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଇଥିବାରୁ ମସ୍କୋରେ ବିଭିନ୍ନ ସାମଗ୍ରୀର ଅଭାବ ଦେଖାଗଲାଣି। ବିଶେଷ କରି ମେଡିକାଲ ଇକ୍ୟୁପମେଣ୍ଟ ବା ଚିକିତ୍ସା ସଂଶାଧନର ଅଭାବ ରୁଷ ଅନୁଭବ କରିବା ଆରମ୍ଭ କରିଛି। ଏଥିପାଇଁ ରୁଷ ଏବେ ଭାରତର ଶରଣ ପଶିଛି।
ପଶ୍ଚିମ ଦେଶଗୁଡ଼ିକ କଟକଣା ଲଗାଇଥିବାରୁ ରୁଷ ଭାରତକୁ ମେଡିକାଲ ଇକ୍ୟୁପମେଣ୍ଟ ଯୋଗାଇ ଦେବାକୁ ଅନୁରୋଧ କରିଛି। ଏହାଦ୍ୱାରେ ରୁଷର ଚାହିଦା ମେଣ୍ଟି ପାରିବ ବୋଲି ମସ୍କୋ ଆଶା କରିଛି।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା ଆରମ୍ଭ କରିଛନ୍ତି। ଏବେ ବି ଆକ୍ରମଣ ଜାରି ରହିଛି। ତେବେ ଆକ୍ରମଣ ଆରମ୍ଭ ହେବା ଦିନଠାରୁ ୟୁରୋପ ଓ ଚାଇନାରୁ ରୁଷର ଆମାଦାନୀ ଆଶାତୀତ ଭାବେ ହ୍ରାସ ପାଇଛି। ଏବେ ଏହି ଅଭାବକୁ ପୂରଣ କରିବା ପାଇଁ ରୁଷ ପକ୍ଷରୁ ଭାରତ ସହ ଯୋଗାଯୋଗ କରାଯାଇଛି। ମେଡିକାଲ ଇକ୍ୟୁପମେଣ୍ଟ ପାଇଁ ରୁଷର କମ୍ପାନୀଗୁଡ଼ିକ ଏପ୍ରିଲ ୨୨ରେ ଭାରତୀୟ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିବେ।
ଏହି ସମୟରେ ଦୁଇ ଦେଶ ମଧ୍ୟରେ ମେଡିକାଲ ଇକ୍ୟୁପମେଣ୍ଟ ଯୋଗାଣକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆସୋସିଏସନ ଅଫ ଇଣ୍ଡିଆନ ମେଡିକାଲ ଡିଭାଇସ ଇଣ୍ଡଷ୍ଟ୍ରୀର ସଂଯୋଜକ ରାଜୀବ ନାଥ ସୂଚନା ଦେଇଛନ୍ତି। ସେହିପରି ଦ୍ୱିପାକ୍ଷିକ ସମ୍ପର୍କ କଥା ବୁଝୁଥିବା ରୁଷର ‘ବିଜନେସ ରୁଷ’ ମଧ୍ୟ ଏପ୍ରିଲ ୨୨ରେ ଆଲୋଚନା ହେବାକୁ ଯାଉଥିବା କହିଛି।
ରୁଷକୁ ରପ୍ତାନୀ ବୃଦ୍ଧି କରିବାକୁ ଭାରତ ବେଶ ଆଶା ରଖିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସ୍ଥାନୀୟ ମୁଦ୍ରାରେ ବିଭିନ୍ନ ଦେଶଗୁଡ଼ିକ ପରସ୍ପର ସହ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିଥିଲେ। ଏବେ ଭାରତ ଓ ରୁଷ ମଧ୍ୟ ସମାନ ନୀତିରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏହା ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ ସହ ଥିବା ଭାରତର ସମ୍ପର୍କରେ ଫାଟ ସୃଷ୍ଟି କରିବାର ଆଶଙ୍କା ରହିଛି।
ପୂର୍ବରୁ ଭାରତ ସରକାର ଶସ୍ତାରେ ରୁଷ ଠାରୁ ତେଳ କିଣିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଆମେରିକା ବିରୋଧ କରିଥିଲା। ଏବେ ପୁଣି ମେଡିକାଲ ଇକ୍ୟୁପମେଣ୍ଟ ରପ୍ତାନୀ କରିବାକୁ ଭାରତ ଲକ୍ଷ୍ୟ ରଖିଥିବାରୁ ଆମେରିକା ଆଭିମୁଖ୍ୟ ଉପରେ ନଜର ରହିଛି।
ଅନ୍ୟପକ୍ଷରେ ରାଜୀବ ନାଥ କହିଛନ୍ତି, ରୁଷ ବଜାରରେ ଏବେ ଭାରତ ପ୍ରମୁଖ ଅଶିଂଦାର ଭାବେ କାମ କରୁଛି। ଏଭଳି ସ୍ଥିତି ଲାଗି ରହିଲେ ଭାରତର ରପ୍ତାନୀ ଚଳିତ ବର୍ଷ ୧୦ ଗୁଣ ବଢ଼ି ୨ ବିଲିୟନ ଟଙ୍କା ବା ୨୬.୨ ମିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

nis-ad
Leave A Reply

Your email address will not be published.