ସ୍କୁଲକୁ ଟାର୍ଗେଟ କରି ସିରିଜ୍‌ ବିସ୍ଫୋରଣ, ୨୫ ଶିକ୍ଷାର୍ଥୀ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକାଧିକ ସ୍କୁଲକୁ ଟାର୍ଗଟ କରି ଆଜି ବଡ଼ ବଡ଼ ବିସ୍ଫୋରଣ କରାଯାଇଛି। ଏଯାଏ ଏଥିରେ ୨୫ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ଜଣାପଡ଼ି ନଥିଲେ ମଧ୍ୟ ଆମ୍ବୁଲାନ୍ସ ଓ ସୁରକ୍ଷାକର୍ମୀଙ୍କ ଗାଡ଼ିରେ ମୃତାହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଉଥିବା ଟୋଲ ନ୍ୟୁଜ ପକ୍ଷରୁ କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ୱେଷ୍ଟର୍ଣ୍ଣ କାବୁଲରେ ଥିବା ମମତାଜ ସ୍କୁଲ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ସେହିପରି ଦ୍ୱିତୀୟ ବିସ୍ଫୋରଣଟି ଅବଦୁଲ ରହିମ ସାହିଦ ହାଇସ୍କୁଲ ଆଗରେ କରାଯାଇଛି। ଆଉ ଗୋଟିଏ ବିସ୍ଫୋରଣ କେଉଁ ସ୍କୁଲ ଆଗରେ ହୋଇଛି, ସେକଥା ସ୍ପଷ୍ଟ ହୋଇନି।
ସାମ୍ବାଦିକ ଇଶାନୁଲ୍ଲା ଆମୀର କହିଛନ୍ତି, କାବୁଲର ଦଶଟେ ବାରଚିରେ ଥିବା ଗୋଟିଏ ସ୍କୁଲରେ ଆତ୍ମଘାତୀ ହମଲା ହୋଇଛି। ଅବଦୁଲ ରହିମ ସାହିଦ ସ୍କୁଲ ମୁଖ୍ୟ ପ୍ରସ୍ଥାନ ରାସ୍ତାରେ ଏହି ବିସ୍ଫୋରଣ ହୋଇଛି। ଏହି ସମୟରେ ଅନେକ ଶିକ୍ଷାର୍ଥୀ ସେଠାରେ ଥିଲେ। ତେଣୁ ମୃତାହତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିବାର ଆଶଙ୍କା କରାଯାଉଛି। ସେ ଓ ଆଉ ଜଣେ ଶିକ୍ଷକ ଅଳ୍ପକେ ବିସ୍ଫୋରଣରୁ ବର୍ତ୍ତି ଯାଇଥିବା ଆମୀର ଟ୍ୱିଟ କରି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ରୁଷର ସ୍ପୁଟନିକ ନ୍ୟୁଜ କହିଛି ଯେ ୩ଟି ବ୍ଲାଷ୍ଟରେ ଏଯାଏ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୫ରୁ ଅଧିକ ପିଲା ଓ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ବିସ୍ଫୋରଣ ହୋଇଥିବା ସ୍କୁଲ ଗୁଡ଼ିକରେ ହାଜରା ସଂପ୍ରଦାୟର ପିଲାମାନେ ପାଠପଢ଼ନ୍ତି। ତେଣୁ ସେମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ହମଲା କରିଛନ୍ତି ବୋଲି କୁହାଯାଇଛି। ହେଲେ ଏଯାଏ କୌଣସି ଆତଙ୍କୀ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ବର୍ତ୍ତମାନ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ମଧ୍ୟ ବିସ୍ଫୋରଣ ସମ୍ପର୍କରେ କୌଣସି ପ୍ରକାରର ବିସ୍ତୃତ ସୂଚନା ଦେଇନାହିଁ।

nis-ad
Leave A Reply

Your email address will not be published.