ଯୁବତୀଙ୍କୁ ଅପହରଣ ପରେ ୨ ଦିନ କାଳ ଦୁଷ୍କର୍ମ, ଟିଆରଏସର ନେତାଙ୍କ ପୁଅ ସଂପୃକ୍ତ

ସୂର୍ଯ୍ୟପେଟ: ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଅପହରଣ ପରେ ୨ ଦିନ କାଳ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତ ପ୍ରଥମେ ଯୁବତୀଙ୍କୁ ନିଶା ଦେଇଥିଲେ ଓ ଏହାପରେ ପଣବନ୍ଦୀ କରି ତାଙ୍କୁ ଦୁଷ୍କର୍ମ କରିଥିବା ଖୋଦ ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି।
ତେଲେଙ୍ଗାନାର ସୂର୍ଯ୍ୟପେଟ ଅନ୍ତର୍ଗତ କୋଡାଡ ସହରରେ ଏପରି ଘଟଣା ଘଟିଛି। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ୍‌ ନେତାଙ୍କ ପୁଅ  ରହିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଶେଖ ଜି ପାଶା ଓ ତାଙ୍କ ବନ୍ଧୁ ସାଇରାମ ରେଡ୍ଡୀ।
ଶେଖ ଜି ପାଶା ହେଉଛନ୍ତି ଟିଆରଏସ୍‌ର ମ୍ୟୁନସିପାଲ ୱାର୍ଡ ସଦସ୍ୟ ମହମ୍ମଦ ଖାଜାଙ୍କ ପୁଅ। ପୀଡ଼ତା ଜଣଙ୍କ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୯.୩୦ରେ ତାଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ସାଇରାମ ଓ ଶେଖ ପ୍ରଥମେ କିଛି ସଫ୍ଟ ଡ୍ରିଙ୍କ ଦେଇଥିଲେ। ଏଥିରେ ନିଶା ମିଶା ଯାଇଥିବାରୁ ସେ ଅଚେତ ହୋଇ ଯାଇଥିଲେ। ଏହାପରେ ଦୁଇ ଅଭିଯୁକ୍ତ ତାଙ୍କୁ ପଣବନ୍ଦୀ କରି ଗୋଟିଏ ରୁମ ଭିତରେ ୨ ଦିନ କାଳ ରଖିଥିଲେ।
ଏହି ସମୟରେ ସେମାନେ ତାଙ୍କୁ ମାଡ଼ ମାରିବା ସହ ବାରମ୍ବାର ଦୁଷ୍କର୍ମ କରିଥିଲେ। ନିର୍ଯାତନା ସହି ନ ପାରି ସେ ଅଚେତ ହୋଇ ପଡ଼ିଥିଲେ। ଚେତା ଫେରିବା ପରେ ସେ ଘଟଣାସ୍ଥଳରୁ ଖସି ଆସି ପୂରା ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକଙ୍କ ସହାୟତାରେ ପୀଡ଼ିତା ଜଣଙ୍କ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।
ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଟିଆରଏସ ନେତା ବାଚୁ ଶ୍ରୀନିବାସ କହିଛନ୍ତି, “ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ। ସେମାନେ ଯିଏ ବି ହୁଅନ୍ତୁ, ସେମାନଙ୍କୁ ଆଇନଗତ ଉପାୟରେ ଦଣ୍ଡିତ କରାଯିବ। ବିଜେପି ନେତାଙ୍କ ପୁଅ ହୁଅନ୍ତୁ କି ଟିଆରଏସ୍‌ ନେତାଙ୍କ ପୁଅ, କେହି ବି ଆଇନର ଉପରେ ନୁହନ୍ତି। ସମସ୍ତେ ଆଇନ ଆଖିରେ ସମାନ।”

nis-ad
Leave A Reply

Your email address will not be published.