ସୋନିଆଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଯୋଗଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଦୀର୍ଘଦିନ କଳ୍ପନା ଜଳ୍ପନା ଲାଗି ରହିଛି। ଏବେ ଏହି ଚର୍ଚ୍ଚାର ଏକପ୍ରକାର ଅବସାନ ଘଟିବାକୁ ଯାଉଛି। ଖୁବ୍‌ଶ୍ରୀଘ୍ର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇପାରନ୍ତି। ପ୍ରଶାନ୍ତଙ୍କୁ ଦଳ ଅଫର ଦେଇଥିବା ସୂଚନା ମିଳିଛି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ତାଙ୍କ ବାସଭବନରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ପ୍ରଶାନ୍ତ କିଶୋର ଯୋଗ ଦେଇ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ୍‌ ମ୍ୟାପ ଉପସ୍ଥେପିତ କରିଛନ୍ତି। ଏହା ପରେ ପ୍ରଶାନ୍ତଙ୍କୁ ଦଳରେ ସିଧାସଳଖ ମିଶିବା ନେଇ ଅଫର ମିଳିଛି। ପ୍ରଶାନ୍ତ କିଶୋରଙ୍କର ମଧ୍ୟ ସମତି ଥିବା ଏକ ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ଆଉ ଦଳର ପରାମର୍ଶଦାତା ନୁହେଁ ଜଣେ ସଦସ୍ୟ ତଥା ନେତା ଭାବେ ଯୋଗ ଦେବାକୁ ପ୍ରସ୍ତାବ ମିଳିଛି। ୨୦୨୪ ନିର୍ବାଚନ ପାଇଁ ଦଳରେ ସାଙ୍ଗଠନିକ ପରିବର୍ତ୍ତନ ପାଇଁ ପ୍ରଶାନ୍ତ ଏକ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏହାକୁ ନେଇ ଦଳୀୟ ଅସନ୍ତୋଷ ମଧ୍ୟ ଦେଖାଯାଇଥିଲା। ଏସବୁ ଭିତରେ ପ୍ରଶାନ୍ତଙ୍କ ସହ ଗାନ୍ଧି ପରିବାରର ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ।
ଏହାପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ବୁଝାମଣା ହୋଇ ନପାରିବାକୁ ପ୍ରଶାନ୍ତ କିଶୋର କଂଗ୍ରେସ ଠାରୁ ଦୂରେଇ ଯାଇଥିଲେ। ଏବେ ସେ ପୁଣି କଂଗ୍ରେସ ସହ ମିଶିବା ପାଇଁ ଆଗ୍ରହ ଦେଖାଇଛନ୍ତି। ଏଥିପାଇଁ ସେ ବେଶ କିଛି ମାସ ହେଲା ଗୁପ୍ତରେ ବୁଝାମଣା ମଧ୍ୟ ଆରମ୍ଭ କରିଥିଲେ। ଏହାକୁ ଚୂଡ଼ାନ୍ତ ରୂପ ଦେବାକୁ ଆଜି ପ୍ରଶାନ୍ତ କିଶୋର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ଥିବାରୁ ପ୍ରଶାନ୍ତ କିଶୋର କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ପ୍ରଥମେ ଖବର ମିଳିଥିଲା। ହେଲେ ନିଜେ ପ୍ରଶାନ୍ତ କିଶୋର ଏହାକୁ କାଉଣ୍ଟର କରିଛନ୍ତି। ପିକେଙ୍କ ଫୋକସ କେବଳ ୨୦୨୪ ସାଧାରଣ ନିର୍ବାଚନ ଉପରେ ରହିଛି। ୨୦୨୪କୁ ଦୃଷ୍ଟିରେ ରଖି ହିଁ ପ୍ରଶାନ୍ତ ଆଜି ସୋନିଆ, ରାହୁଲ ଓ ଭେନୁଗୋପାଲଙ୍କୁ ଭେଟିଛନ୍ତି।

nis-ad
Leave A Reply

Your email address will not be published.