ଗ୍ରାମସଭାର ଅନୁମୋଦନକ୍ରମେ ହେମଗିର ବ୍ଲକର ୫ଟି ପଞ୍ଚାୟତ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧୯ଟି ଉନ୍ନୟନ ପ୍ରକଳ୍ପର ଘୋଷଣା…

ବିଶ୍ୱରଂଜନ ହୋତା // ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି

ସୁନ୍ଦରଗଡ଼ : ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯିବା ବେଳେ ପ୍ରଶାସନ ପକ୍ଷରୁ ଜନସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କ ଦ୍ୱାରା ଗ୍ରାମସଭା ସ୍ତରରୁ ପାରିତ ହୋଇ ଆସୁଥିବା ବିଭିନ୍ନ ପ୍ରସ୍ତାବକୁ ବିଚାରକରି ଜିଲ୍ଲାସ୍ତରରେ ଅନୁମୋଦନ କରାଯାଉଛି।

ହେମଗିର ବ୍ଲକର ୫ଟି ପଞ୍ଚାୟତ ଲାଗି ନିକଟରେ ଅନୁମୋଦିତ ୧୧୯ଟି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଦିନ ହେମଗିର ବ୍ଲକର ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସ୍ଥାନୀୟ ଜନସାଧାରଣଙ୍କୁ ଏ ସମ୍ପର୍କରେ ସିଧାସଳଖ ସୂଚନା ଦେଇଛନ୍ତି।

ଏହିସବୁ ପ୍ରକଳ୍ପ ମଧ୍ୟରେ ରହିଛି ଗ୍ରାମ୍ୟ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ପୋଖରୀ ଖନନ ଓ ପୁନରୁଦ୍ଧାର, ମାଛ ଚାଷକୁ ପ୍ରୋତ୍ସାହନ, ଖଣି ପ୍ରଭାବିତ ଅଞ୍ଚଳରେ ଧୂଳି ଧୂଆଁ ନିୟନ୍ତ୍ରଣ ଲାଗି ବ୍ୟବସ୍ଥା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡିଜିଟାଲ ଏକ୍ସରେ ମେସିନ୍ ପ୍ରଦାନ, ଚାଷଜମିକୁ ଜଳସେଚନ ସୁବିଧା ଲାଗି ଚେକ୍ ଡ୍ୟାମ ନିର୍ମାଣ, ମିଶନ ଶକ୍ତି ଗୃହ ନିର୍ମାଣ, ଏସଏଚଜି ମା’ମାନଙ୍କ ଜୀବିକା ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ, ଗୋଷ୍ଠୀ ଶୌଚାଳୟ ନିର୍ମାଣ, ଏଏନଏମ କେନ୍ଦ୍ର ନିର୍ମାଣ ଏବଂ ସର୍ବସାଧାରଣ ସ୍ଥାନରେ ଉଜ୍ଜ୍ୱଳ ଆଲୋକ ପାଇଁ ହାଇମାଷ୍ଟ୍ ଲାଇଟ୍ ପ୍ରତିଷ୍ଠା।

‘‘ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ଲାଗି ଜନସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାନୀୟ ବିକାଶ ପାଇଁ ଲୋକଙ୍କୁ ଯୋଡ଼ି ଗ୍ରାମସଭାକୁ ସୁଦୃଢ଼ କରାଯାଉଛି। ଗାଁ ଗହଳରୁ ସିଧାସଳଖ ଲୋକଙ୍କଠାରୁ ଆସୁଥିବା ପ୍ରସ୍ତାବଗୁଡ଼ିକୁ ବିଚାରକରି ବିଭିନ୍ନ କାର୍ଯ୍ୟକ୍ରମ ଲାଗୁ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ହେମଗିର ବ୍ଲକ ପାଇଁ କେତେକ ପ୍ରମୁଖ କାର୍ଯ୍ୟ ଲାଗି ନିଷ୍ପତ୍ତି ନିଆଯାଇଛି। ଲୋକମାନଙ୍କର ସିଧାସଳଖ ପ୍ରସ୍ତାବ ଏବଂ ସହଭାଗିତାକୁ ଆଧାରକରି ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ’’, ଏହି ଅବସରରେ କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ହେମଗିର ବ୍ଲକର ୫ଟି ପଞ୍ଚାୟତ – ଗୋପାଳପୁର, ଟପରିଆ, ସାନଘୁମୁଡ଼ା, ମୁଣ୍ଡେରଖେତ ଏବଂ ସୁମୁରା ଲାଗି ଏହି ୧୧୯ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ଏହି ପ୍ରସ୍ତାବଗୁଡ଼ିକ ପଞ୍ଚାୟତ ସ୍ତରରେ ଗ୍ରାମସଭାରେ ପାରିତ ହୋଇ ଜିଲ୍ଲା ପ୍ରଶାସନର ଅନୁମୋଦନ ଲାଗି ଆସିଥିଲା। ଏହି ପ୍ରକଳ୍ପଗୁଡ଼ିକ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଭଳି ଭଲ ପ୍ରସ୍ତାବ ଦେଇଥିବାରୁ ଜିଲ୍ଲାପାଳ ହେମଗିର ବ୍ଲକର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ସ୍ୱତନ୍ତ୍ର ଜନ ଯୋଗାଯୋଗ କାର୍ଯ୍ୟକ୍ରମରେ ଡିଏମଏଫ ସିଇଓ ରୀତା ଡାଙ୍ଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ହେମଗିର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ହେମଗିର ବିଡିଓ ଜଗଦୀଶ ମହାନନ୍ଦ, ଅତିରିକ୍ତ ତହସିଲଦାର ତକ୍ଷରାଜ ଭିତିରିଆ, ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସଂପୃକ୍ତ ୫ଟି ପଞ୍ଚାୟତର ସରପଞ୍ଚଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ଡିଏମଏଫର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନୁମୋଦିତ ପ୍ରସ୍ତାବର ତାଲିକା ଅନୁଯାୟୀ ଖୁବଶୀଘ୍ର କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିବାକୁ ଏହି ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ହେମଗିର ବ୍ଲକର ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଆଉ ଏକ ବସ୍ ସେବାର ଶୁଭାରମ୍ଭ କରିଥିଲେ। ବ୍ଲକର ବିଭିନ୍ନ ପଞ୍ଚାୟତର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ନେବା ଆଣିବା କରିବା ପାଇଁ ଆଗରୁ ପ୍ରଶାସନ ପକ୍ଷରୁ ୩ଟି ବସ୍ ଯୋଗାଇ ଦିଆଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଏହି ବସ୍ ସେବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

nis-ad
Leave A Reply

Your email address will not be published.