ସୁନ୍ଦରଗଡ଼ ପୌରାଞ୍ଚଳର ବିକାଶକୁ ଆଗେଇ ନେବେ କି ତନୟା – ଲଲାଟେନ୍ଦୁ

ବିଶ୍ୱରଂଜନ ହୋତା, ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି
ସୁନ୍ଦରଗଡ଼ : ସଦ୍ୟ ସମାପିତ ପୌର ପରିଷଦ ନିର୍ବାଚନରେ ସାରା ରାଜ୍ୟରେ ବାଜିମାତ କରିଥିଲା ବିଜୁ ଜନତା ଦଳ। ମାତ୍ର ସୁନ୍ଦରଗଡ଼ ଭୋଟରଙ୍କ ଭାବନା ଥିଲା ଏକ ବ୍ୟତିକ୍ରମ।ଏହି ଭାବଧାରାରେ ବିଜେଡିର ରଞ୍ଜନା ପଣ୍ଡା ଓ ସ୍ଵାଧୀନ ପ୍ରାର୍ଥୀନୀ ନିଳୀମା ପଟେଲ ଷଡ଼ଙ୍ଗୀଙ୍କୁ ପଛରେ ପକାଇ ସୁନ୍ଦରଗଡ଼ ପୌର ପରିଷଦର ପୌରାଧ୍ୟକ୍ଷା ପଦ ଅଳଙ୍କୃତ କରନ୍ତି ତନୟା ମିଶ୍ର। ବ୍ୟକ୍ତିଗତ ଭାବରେ ତନୟା ମିଶ୍ର ସୁନ୍ଦରଗଡ଼ ରାଜନୀତିରେ ଏକ ନୂତନ ଚେହେରା। ମାତ୍ର ପ୍ରଚ୍ଛଟପଦରେ ତାଙ୍କ ସହିତ ଅଛନ୍ତି ସ୍ଵାମୀ ବଟକିଶୋର ମିଶ୍ର ,ସୁନ୍ଦରଗଡ଼ ବିଜେପିର ଏକ ବଳିଷ୍ଠ ବ୍ୟକ୍ତିତ୍ବ। ଶାସକଦଳର ସମସ୍ତ ଗୋଟିଚାଳନାକୁ ପ୍ରତିହତ କରି ତନୟାଙ୍କୁ ବିଜୟିନୀ କରାଇବାରେ ତାଙ୍କର ଅବଦାନ ଅନେକ। ତନୟା ବଲାଙ୍ଗୀରରେ ଜନ୍ମଲାଭ କରି ସଂସ୍କୃତରେ ସ୍ନାତକୋତ୍ତର ଶିକ୍ଷାଲାଭ କରି ସାରିଲାପରେ ବୋହୂ ହୋଇ ଆସନ୍ତି ସୁନ୍ଦରଗଡର ଏକ ପ୍ରଭାବଶାଳୀ ଏବଂ ରାଜନୈତିକ ପରିବାରକୁ। ସହରରେ ଜଣେ ମିଷ୍ଟଭାଷୀ, ମେଳାପୀ ତଥା ସାଧାରଣ ଲୋକଙ୍କ ସାଙ୍ଗରେ ସହଜରେ ମିଶି ପାରୁଥିବା ଜଣେ ମହିଳା ଭାବରେ ତାଙ୍କର ସ୍ଵତନ୍ତ୍ର ପରିଚୟ ସେ ସୃଷ୍ଟି କରି ପାରିଛନ୍ତି।
ଗତକାଲି ଅନୁଷ୍ଠିତ ଉପନଗରପାଳ ନିର୍ବାଚନ କିନ୍ତୁ ଦେଖିବାକୁ ମିଳିଥିଲା ବିଜେଡିର ପତିଆରା। ଉକ୍ତ ନିର୍ବାଚନରେ ସୁନ୍ଦରଗଡ଼ ପୌରାଞ୍ଚଳର ୬ ନଂ. ୱାର୍ଡରୁ ବିପୁଳ ବ୍ୟବଧାନରେ ବିଜୟୀ ହୋଇ ନିଜ ଲୋକପ୍ରିୟତାର ପ୍ରମାଣ ଦେଇ ବିଜୟୀ ହୋଇଥିବା ଲଲାଟେନ୍ଦୁ ପରିଡ଼ା ନିର୍ଦ୍ଵନ୍ଦରେ ଉପନଗରପାଳ ଭାବରେ ବିଜୟୀ ହୋଇ ନିର୍ବାଚିତ ହୋଇଥିଲେ। ଲଲାଟେନ୍ଦୁ ରାଜଗାଙ୍ଗପୁରସ୍ଥିତ ଡାଲମିଆ ମହାବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ଭାବରେ ଉତ୍ତୀର୍ଣ୍ଣ ହୋଇ ଦିଲ୍ଲୀରେ ଆରମ୍ଭ କରିଥିଲେ ନିଜର କର୍ମମୟ ଜୀବନ। ମାତ୍ର ଜନ୍ମମାଟିର ଆକର୍ଷଣରରେ ଟାଣି ହୋଇ ସୁନ୍ଦରଗଡ଼କୁ ଫେରି ନିଜକୁ ବ୍ୟବସାୟରେ ନିୟୋଜିତ କରିଥିଲେ। ଏହି କାଳଖଣ୍ଡରେ ପ୍ରତିଷ୍ଠିତ ପ୍ରଭାବଶାଳୀ ସୁନ୍ଦରଗଡ଼ ଟ୍ରକ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଓ କାର୍ଯ୍ୟବାହୀ ସଭାପତି ଭାବରେ ଅଧିଷ୍ଠିତ ହୋଇ ନିଜର ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ଉପସଭାପତି ଭାବରେ ନିଜର ସାଂଗଠାନିକ ଦକ୍ଷତା ପ୍ରତିପାଦନ କରିଥିଲେ।
ସୁନ୍ଦରଗଡ଼ ରାଜନୀତିରେ ବର୍ତ୍ତମାନର ପୃଷ୍ଠଭୂମିରେ ତନୟା ଓ ଲଲାଟେନ୍ଦୁ ଭିନ୍ନ ଦଳର ପ୍ରତିନିଧିତ୍ଵ କରୁଥିଲେ ହେଁ ସୁନ୍ଦରଗଡ଼ ପୌରାଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିବେ ବୋଲି ଜନସାଧାରଣ ଆଶାବ୍ୟକ୍ତ କରୁଛନ୍ତି। ଜଣେ ମୋଦୀଙ୍କ ରଚିତ ବିକାଶ ଓ ଅନ୍ୟ ଜଣେ ନବୀନଙ୍କ ରଚିତ ବିକାଶଦାରକୁ ସୁନ୍ଦରଗଡ଼ ପୌରାଞ୍ଚଳରେ ପ୍ରବାହିତ କରିବେ ତାହା ଏବେ ଜନମାନସରେ ଆଲୋଚନାରେ ବିଷୟବସ୍ତୁ। ସହରରେ ପାନୀୟଜଳ, ବିଭିନ୍ନ ୱାର୍ଡର ରାସ୍ତା, ବର୍ଜ୍ୟବସ୍ତୁ ପରିଚାଳନା, ଆଲୋକୀକରଣ ତଥା ଜଳନିଷ୍କାସନ ଇତ୍ୟାଦିର ସମସ୍ୟା ବହୁ ଦିନରୁ ରହି ଆସିଥିବା ବେଳେ ସହରବାସୀ ଏବେ ଏହାର ସମାଧାନ ପାଇଁ ଏହି ଦୁହିଁଙ୍କ ଠାରେ ଆଶା ବାନ୍ଧିଛନ୍ତି। ସହରର ସୌନ୍ଦର୍ଯୀକରଣ ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପ ଗୁଡ଼ିକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ କିପରି ସମାପନ କରାଯିବ ତାହା ନଗରପାଳ ଓ ଉପନଗରପାଳଙ୍କ ଦାୟୀତ୍ବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ସହରରେ ଥିବା ଜଳାଶୟ ସମୂହର ପୁନୋରୁଦ୍ଧାର ତଥା ସହରର ଜମିହୀନ ବସ୍ତିବାସିନ୍ଦାଙ୍କ ସମସ୍ୟାଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ ଦିଗରେ ଉଭୟଙ୍କ ଆଭିମୁଖ୍ୟ ଜାଣିବାକୁ ଏବେ ସମସ୍ତେ ଆଗ୍ରହୀ।

ପୂର୍ବତନ ପରିଷଦ ଗୁଡ଼ିକ ତୁଳନାରେ ଏହି ପୌରପରିଷଦ କିଭଳି ଯତ୍ନବାନ ଓ ପ୍ରଗତିଶୀଳ ହୋଇ କାମ କରିବ ତାହା ଏହି ଦୁହିଁଙ୍କ ନେତୃତ୍ୱ ଓ ପ୍ରବନ୍ଧନ ଉପରେ ନିର୍ଭରଶୀଳ। ରାଜନୈତିକ ବିରୋଧାଭାସ ମଧ୍ୟରେ ମାଟି ମାଆ ର ଉନ୍ନତି ପାଇଁ କିଭଳି ସମସ୍ତେ ଦଳମତନିର୍ବିଶେଷରେ ସାମୁହିକ ଅବଦାନ ଦେବେ, ତାହା ପ୍ରମାଣ କରିବ ଏହି ପରିଷଦର କର୍ତ୍ତବ୍ୟନିଷ୍ଠତା।

nis-ad
Leave A Reply

Your email address will not be published.