ରାଜଧାନୀର ୩ ନଗର ନିଗମ ମିଶି ଗୋଟିଏ ହେବ, ରାଜ୍ୟସଭାରେ ବିଲ୍‌ ପାସ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ୩ ନଗର ନିଗମ ବ୍ୟବସ୍ଥା ରହିବ ନାହିଁ। ୩ଟି ଯାକ ନଗର ନିଗମ ବା ମ୍ୟୁନସିପାଲ କର୍ପୋରେସନ ଏକାଠି ହୋଇ ଗୋଟିଏ ନିଗମରେ ପରିଣତ ହେବେ। ଏ ସଂକ୍ରାନ୍ତ ବିଲ୍‌ ଆଜି ରାଜ୍ୟସଭାରେ ପାସ୍‌ ହୋଇଛି। ପୂର୍ବରୁ ଏହା ଲୋକସଭାରେ ମଧ୍ୟ ପାରିତ ହୋଇଥିଲା।
ଆଜି ରାଜ୍ୟସଭାରେ ବିଲ୍‌କୁ ବିରୋଧ କରି ପ୍ରବଳ ହଟ୍ଟଗୋଳ ହୋଇଥିଲା। ତଥାପି କ୍ଷମତାସୀନ ବିଜେପି ସରକାର ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ବିଲ୍‌ ପାରିତ ହୋଇଛି। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଲ୍‌ ଉପରେ ମୋହର ମାରିବା କ୍ଷଣି ଏହା ଆଇନରେ ପରିଣତ ହୋଇଯିବ।
ବର୍ତ୍ତମାନ ରାଜଧାନୀରେ ପୂର୍ବ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ, ଉତ୍ତର ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ଓ ସାଉଥ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ନାମରେ ୩ଟି ନଗମ କାର୍ଯ୍ୟ କରୁଛି। ୩ ନଗର ନିଗମ ଯୋଗୁ ରାଜସ୍ୱ ଆଦାୟ ଠିକ ଭାବେ ହୋଇପାରୁ ନାହିଁ। ବିକାଶ ପାଇଁ ଭିତ୍ତିଭୂମିର ମଧ୍ୟ ଅଭାବ ପଡ଼ୁଛି। ଏଥିପାଇଁ କର୍ମଚାରୀଙ୍କୁ ଦରମା ଓ ଅବସର ପରେ ପେନସନ ପ୍ରଦାନରେ ଅନେକ ସମସ୍ୟା ଉପୁଜୁଛି। ତେଣୁ କେନ୍ଦ୍ର ସରକାର ଏହାକୁ ନଜର ରଖି ୩ ନଗର ନିଗମକୁ ଗୋଟିଏରେ ପରିଣତ କରିବାକୁ ବିଲ ପାରିତ କରିଥିବା କହିଛନ୍ତି।
୨୦୧୨ରେ ୟୁପିଏ ସରକାର ଦିଲ୍ଲୀରେ ୩ ନଗର ନିଗମ ବ୍ୟବସ୍ଥା ପ୍ରଚଳନ କରିଥିଲେ। ସେବେଠାରୁ ଏହି ନଗର ନିଗମ ଗୁଡ଼ିକ ସ୍ୱଂୟଶାସିତ ଭାବେ କାର୍ଯ୍ୟ କରୁଥିଲେ। ଏବେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ସଂଶୋଧନ (ଏମସିଡି)ବିଲ୍‌ ଜରିଆରେ ଏହି ବ୍ୟବସ୍ଥାକୁ ବଦଳାଇ ଦେଇଛନ୍ତି।
ଆଜି ରାଜ୍ୟସଭାରେ ବିଲ୍‌ ଉପରେ ମତ ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀର କ୍ଷମତାସୀନ ଆପ୍‌କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ୩ ନଗର ନିଗମକୁ ଦିଲ୍ଲୀ ସରକାର ସାବତା ମା’ ଭଳି ବ୍ୟବହାର କରୁଥିବା ସେ ଅଭିଯୋଗ କରିଥିଲେ। ସେ କହିଛନ୍ତି, ୨୦୧୨ରେ କ’ଣ ପାଇଁ ଦିଲ୍ଲୀରେ ୩ ନଗର ନିଗମ ବ୍ୟବସ୍ଥା କରାଗଲା, ସେ ସମ୍ପର୍କରେ ରେକର୍ଡ ନାହିଁ। ସେ ଯାହା ବି ଏହି ଘଟଣାକୁ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ କିଛି ବି ଲାଭ ମିଳିନି।
ଲୋକଙ୍କୁ ଉତ୍ତମ ସେବା ଦେବା ଲକ୍ଷ୍ୟରେ ନିଶ୍ଚିତ ୩ ନଗର ନିଗମର ବ୍ୟବସ୍ଥା କରାଯାଇଥିଲା। ହେଲେ ଏଯାଏ କେହି ବି ଲାଭ ପାଇନାହାନ୍ତି। ବର୍ତ୍ତମାନ ୩ ନଗର ନିଗମର ନୀତି ଅଲଗା। ଗୋଟିଏ ସହରରେ ୩ଟି ଯାକ ନିଗମ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଏକତା ନାହିଁ।
ଏହାର ଅର୍ଥ ଏହାକୁ ୩ ଭାଗରେ ବିଭକ୍ତ କରିବା ବେଳେ ଏହାର ମାନବସମ୍ବଳ ଓ ଦାୟିତ୍ୱକୁ ଆକଳନ କରାଯାଇ ନଥିଲା। କୌଣସି ରାଜ୍ୟରେ ୨ଟି ପୌରପାଳିକା ନାହିଁ। ଏବେ ଦିଲ୍ଲୀରେ ମଧ୍ୟ ସମାନ ନୀତି ପ୍ରଣୟନ କରାଯିବ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.