ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା: ସିଂହଦ୍ବାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବାର ସୂଚନା ମିଳିଛି। ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଚୁଲି ଭଙ୍ଗାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏକ ଲିଖିତ ଅଭିଯୋଗ ସିଂହଦ୍ଵାର ଥାନାରେ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଏଣେ ଗତକାଲି ଏହି ଘଟଣାର ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ ହୋଇଛି। ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୪ଜଣଙ୍କୁ ଜେରା କରାଯାଇଛି। ଧୋପଖାଳ, ପାଇକ, ଦ୍ବାରପାଳିଆ ଓ ଅଙ୍ଗାରିଆ‌ ସେବାୟତଙ୍କୁ ଜେରା କରାଯାଇଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରୋଷଘରେ ଗତକାଲି ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦିଆଯାଇଥିଲା। ପିଠାଆଡ଼ର ୧୫, ଥାଳି ଆଡର ୧୦/୧୨ଟି, ସାତପୁରୀର ୧୦/୧୨ଟି, ଅହିଆ(ଡ଼ାଲି, ତରକାରୀ ରନ୍ଧା ପାଇଁ ବଡ ଚୁଲି) ୨ଟା, କୋଠ ଭୋଗ ଚୁଲି ୨ଟା, ତୁଣ ସୁଆରଙ୍କ ୨ଟି ଚୁଲି ଆଦି ରହିଛି। ଗତକାଲି ବଡ଼ସିଂହାର ଭୋଗ ଶେଷ ପରେ ଏଭଳି କାଣ୍ଡ କେହି ଭିଆଇ ଥିବା ଅନୁମାନ କରାଯାଉଛି। ଚୁଲିକୁ ନେଇ ସେବାୟତଙ୍କ ବିବାଦ ଏହାର କାରଣ ବୋଲି କେହି କହୁଛନ୍ତି। ଅନ୍ୟପଟେ ରୋଷ ଦୁଆରୀ, ରୋଷ ପାଇକ ପାଉଣା ବିବାଦ ପାଇଁ ଏଭଳି ହୋଇଥାଇପାରେ ବୋଲି କେହି କେହି କହୁଛନ୍ତି। ରୋଷ ଘରେ ସିସି ଟିଭି ଲାଗିଥିବାରୁ ଏହାର ବିଧିବଦ୍ଧ ଯାଞ୍ଚ ପାଇଁ ସେବାୟତ ମହଲ ଦାବି କରିଛନ୍ତି। କୋଠ ଭୋଗ ଚୁଲା ଭାଙ୍ଗି ଯାଇଥିବାରୁ ବହୁ ଦିନ ପରେ ଆଜି କଡେଇରେ କୋଠ ଭୋଗ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଲାଗି ହୋଇଥିଲା।

nis-ad
Leave A Reply

Your email address will not be published.