ଯୁଦ୍ଧ ସତ୍ତ୍ବେ ରୁଷ ଭିତରେ ପୁଟିନଙ୍କ ଲୋକପ୍ରିୟତା ବଢୁଛି : ସର୍ଭେ

ନ୍ୟୁୟର୍କ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ବିଶ୍ବରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଲୋକପ୍ରିୟତା ହ୍ରାସ ପାଇଛି । ପାଶ୍ଚାତ୍ୟ ଗଣମାଧ୍ୟମ ତାଙ୍କୁ ଜଣେ ଖଳନାୟକ ଓ ହିଟଲରଙ୍କ ପରି ଏକଛତ୍ରବାଦୀ ରୂପେ ଚିତ୍ରିତ କରିବାକୁ ଉଦ୍ୟମ ଜାରି ରଖିଛି । କିନ୍ତୁ ରୁଷ ଭିତରେ ପୁଟିନଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି ବୋଲି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।
ଲିଭାଣ୍ଡା ସେଣ୍ଟର ନାମକ ଏକ ସର୍ଭେ ସଂସ୍ଥା ପକ୍ଷରୁ ଗତ ଗୁରୁବାରଦିନ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଗତ ଜାନୁଆରି ତୁଳନାରେ ମାର୍ଚ୍ଚରେ ପୁଟିନଙ୍କ ଆପ୍ରୁଭାଲ ରେଟିଂ (ଲୋକ ସମର୍ଥନ) ବୃଦ୍ଧି ପାଇଛି । ସର୍ଭେ ଅନୁସାରେ ୮୩ ପ୍ରତିଶତ ରୁଷୀୟ ପୁଟିନଙ୍କ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଛନ୍ତି, ଯାହାକି ଜାନୁଆରି ମାସରେ ୬୯ ପ୍ରତିଶତ ଥିଲା ।
ରୁଷ ଉପରେ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ଲଗାଇଥିବା କଠୋର ଆର୍ଥିକ କଟକଣା ଏହି ସମର୍ଥନ ବୃଦ୍ଧିର କାରଣ ବୋଲି କୁହାଯାଉଛି । ପୁଟିନ ଏବେ ଚାପରେ ଥିବାବେଳେ ରୁଷବାସୀ ତାଙ୍କ ପ୍ରତି ସମର୍ଥନ ଜ୍ଞାପନ କରୁଛନ୍ତି । କେବଳ ପୁଟିନ ନୁହେଁ, ରୁଷର ବିଭିନ୍ନ ସରକାରୀ ସଂସ୍ଥା ପ୍ରତି ସମର୍ଥନ ବଢୁଛି ।
ତେବେ ଏହି ସର୍ଭେ ପ୍ରକୃତ ବାସ୍ତବିକତାକୁ ପ୍ରତିଫଳିତ କରୁନାହିଁ ବୋଲି କେତେକ ବିଶେଷଜ୍ଞ କହିଛନ୍ତି । ରୁଷ ଗଣମାଧ୍ୟମରେ ଯୁଦ୍ଧର ପ୍ରକୃତ ଚିତ୍ର ଦେଖାଯାଉନାହିଁ । ଯୁଦ୍ଧ ବଦଳରେ ତାହାକୁ ୟୁକ୍ରେନର ସାମରିକ ପ୍ରତିଷ୍ଠାନ ଉପରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି ଦର୍ଶାଯାଉଛି ।

nis-ad
Leave A Reply

Your email address will not be published.