ମଦବେପାରୀଠୁ ୫ହଜାର ଲାଞ୍ଚ ନେଇ ଏଏସ୍‌ଆଇ ଗିରଫ

ଭୁବନେଶ୍ୱର: ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ମଞ୍ଚେଶ୍ୱର ଥାନାର ଏଏସ୍‌ଆଇ ରବିନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଠାରୁ ରସାୟନ ମିଶ୍ରିତ ନଗଦ ୫ହଜାର ଟଙ୍କା ଜବତ ହୋଇଛି । ଏନେଇ ଭିଜିଲାନ୍ସ କେସ୍ ନଂ ୨/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ଶନିବାର ରାତିରେ ଭିଜିଲାନ୍ସର ଏକ ଟିମ୍ ରବିଙ୍କ ଆଚାର୍ଯ୍ୟବିହାର ସ୍ଥିତ ବାସଭବନରେ ଚଢ଼ଉ କରି ଯାଞ୍ଚ ଚଳାଇଛି ।

ସୂଚନା ଅନୁଯାୟୀ, ଗୁରୁବାର ମଞ୍ଚେଶ୍ୱର ଥାନା ପୁଲିସ ପାଣ୍ଡରା ଅଞ୍ଚଳରେ ଥିବା ଏକ ଢାବାରେ ଚଢ଼ଉ କରି ୪୦ରୁ ଅଧିକ ମଦ ବୋତଲ ଜବତ କରିଥିଲା । ଏନେଇ ଢାବା ମାଲିକଙ୍କ ବିରୋଧରେ ଓଡ଼ିଶା ଅବକାରୀ ଆଇନ ୨୦୦୮ରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ତେବେ ତାଙ୍କ ବିରୋଧରେ କୋହଳ ଦଫା ଲଗାଇ ବେଲ କରିଦେବାରେ ସାହାଯ୍ୟ କରିବାକୁ କହି ରବି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସର କହିବା ମୁତାବକ, ଢାବା ମାଲିକଙ୍କ ଜଣେ ସମ୍ପର୍କୀୟ ଶୁକ୍ରବାର ଅପରାହ୍ନରେ ରବିଙ୍କୁ ରୟାସନ ମିଶ୍ରିତ ଟଙ୍କା ଦେଇଥିଲେ । ଏହାପରେ ଭିଜିଲାନ୍ସ ଟିମ୍ ଉକ୍ତ ଟଙ୍କାକୁ ରବିଙ୍କଠୁ ଜବତ କରି ପରୀକ୍ଷା କରିବା ପରେ ତାହା ଲାଞ୍ଚ ଟଙ୍କା ବୋଲି ଜଣାପଡ଼ିଥିଲା । ତେଣୁ ତାଙ୍କୁ ଗିରଫ କରାଯାଇଛି ।

nis-ad
Leave A Reply

Your email address will not be published.