ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi visit Hyderabad ) । ଏହି ଅବସରରେ ହାଇଦ୍ରାବାଦର ପାଟନଚେରୁରେ ଥିବା ଅନ୍ତର୍ଜାତୀୟ ଫସଲ ଗବେଷଣା କେନ୍ଦ୍ର ICRISAT(International Crops Research Institute for the Semi-Arid Tropics)ର ୫୦ତମ ପ୍ରତିଷ୍ଠା ଦିବସରେ ସାମିଲ ହେବେ ।
ଦିନ ୨ଟା ୪୫ମିନିଟ ସମୟରେ ସେ ICRISAT କ୍ୟାମ୍ପସରେ ପହଞ୍ଚିବେ । ଏହା ପରେ ସଂନ୍ଧ୍ୟା ୫ଟା ସମୟରେ ‘ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି’କୁ ଉଦଘାଟନ କରିବେ ।
୨୧୬ ଫିଟ ଉଚ୍ଚତା ବିଶିଷ୍ଟ ‘ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି’ ସନ୍ଥ ରାମାନୁଜ ଆଚାର୍ଯ୍ୟଙ୍କ ସ୍ମୃତିରେ ନିର୍ମାଣ କରାଯାଇଛି । ଜାତି ଏବଂ ଧର୍ମ ସମେତ ଜୀବନର ସମସ୍ତ କ୍ଷେତ୍ରରେ ସମାନତାକୁ ପ୍ରୋତ୍ସାହିତ କରିଥିଲେ ରାମାନୁଜ । ସୁନା, ରୂପା, ତମ୍ବା, ପିତଳ, ଏବଂ ଜଙ୍କ୍ ଏହି ପରି ୫ଟି ଧାତୁର ମିଶ୍ରଣରେ ଏହି ପ୍ରତିମୂର୍ତ୍ତିଟି ନିର୍ମିତ ହୋଇଛି । ଏହା ଦୁନିଆର ସବୁଠୁ ଉଚ୍ଚତମ ଧାତବ ମୂର୍ତ୍ତି ମଧ୍ୟରୁ ଅନ୍ୟତମ । ‘ଭଦ୍ର ବେଦୀ’ ନାମକ ୫୪ ଫୁଟ ଉଚ୍ଚତା ବିଶିଷ୍ଟ ଏକ କୋଠା ଉପରେ ବସିଥିବା ଅବସ୍ଥାରେ ରାମାନୁଜାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି ।
ଏହି କୋଠା ମଧ୍ୟରେ ବୈଦିକ ଡିଜିଟାଲ ଲାଇବ୍ରେରିସ,ପ୍ରାଚୀନ ଭାରତୀୟ ଗ୍ରନ୍ଥ, ରିସର୍ଚ୍ଚ ସେଣ୍ଟର, ଥିଏଟର ଓ ରାମାନୁଜଙ୍କ କାର୍ଯ୍ୟ ବିଷୟରେ ଏକ ଶିକ୍ଷଣୀୟ ଗ୍ୟାଲେରୀ ମଧ୍ୟ ରହିଛି । ତେବେ ପ୍ରତିମୂର୍ତ୍ତି ଉଦଘାଟନ ସମୟରେ ରାମାନୁଜଙ୍କ ଜୀବନଯାତ୍ରା ଉପରେ 3Dମାଧ୍ୟମରେ ଏକ ଭିଡିଓ ପ୍ରଦର୍ଶିତ କରାଯିବ । ଏହି ୧୦୦୦ କୋଟିର ପ୍ରକଳ୍ପ ସଂପୂର୍ଣ୍ଣ ରୂପେ ଭକ୍ତଙ୍କ ଦାନରେ ନିର୍ମିତ ହୋଇଛି ।