ରାୟଗଡ଼ା : ରାୟଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ ପରିବେଶ ଓ ଶିଳ୍ପାନୁଷ୍ଠାନ ମଧ୍ୟରେ ସନ୍ତୁଳନ ରକ୍ଷା ନେଇ ଏକ ସେମିନାର ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ନାଗରିକ ମଞ୍ଚର ସଭାପତି ଡଃ ବାଦଲ କୁମାର ତା’ଙ୍କ ତତ୍ୱାବଧାନରେ ମଞ୍ଚର ସଦସ୍ୟ ଶ୍ୟାମ ଦାଶ ପରିଚାଳନା କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରଚାରକ ଅନ୍ନଦା ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ସଂଘର ପ୍ରଚାରକ ଦୀପକ ରାଉତ ଯୋଗ ଦେଇଥିଲେ । ଏହି ସେମିନାରରେ ରାୟଗଡ଼ାର ବିଭିନ୍ନ ସଙ୍ଗଠନର ମୁଖ୍ୟ ତଥା ସାମାଜିକ, ବ୍ୟବସାୟିକ ଓ ଧାର୍ମିକ ଅନୁଷ୍ଠାନ ମାନେ ଯୋଗ ଦେଇଥିବା ବେଳେ ଜ଼ିଲ୍କାର ସମସ୍ତ ବ୍ଲକର ପ୍ରତିନିଧି ମାନେ ମଧ୍ୟ ଯୋଗ ଦେଇଥିଲେ । ଉପରୋକ୍ତ ବିଷୟ ଆଗାମୀ ପିଢ଼ି ତଥା ମାନବ ସମାଜ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଭାବେ ମାନବ ସମାଜ ସମ୍ମୁଖରେ ଉଭା ହୋଇଛି ବୋଲି ମତ ପ୍ରକାଶ ପାଇଛି ।
ସେମିନାରରେ ଯୋଗ ଦେଇଥିବା ପ୍ରତିନିଧି ମାନେ ଯେପରି ବିଭିନ୍ନ ଶିକ୍ଷାନୁଷ୍ଠାନ, କଳକାରଖାନା, ସରକାରୀ ବିଭାଗ, ଜ଼ିଲ୍ଲାର ୧୧ ବ୍ଲକରୁ ଆସିଥିବା ଅନେକ ପ୍ରତିନିଧି, ସାମ୍ବାଦିକ, କ୍ଷୁଦ୍ର ଶିଳ୍ପାନୁଷ୍ଠାନ ବିଭିନ୍ନ ଦିଗକୁ ନେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ । ଡଃ ତା ନିଜର ବକ୍ତବ୍ୟରେ ବେଦାନ୍ତ ଆଲୁମିନାର କିଛି ଦିନ ତଳେ ଭାଙ୍ଗି ଯାଇଥିବା ୩୦ କୋଟି ଲିଟରର ରେଡ ମଡ ପଣ୍ଡ ବିଷୟରେ ଆଲୋଚନା କରି ଯେଉଁଭଳି ଭାବରେ ବିସ୍ତୃତ ଆଲୋଚନା କରିଥିଲେ ତାହା ଉକ୍ତ ଶିଳ୍ପ ପ୍ରତିଷ୍ଠାନର ପାର୍ଶ୍ଵବର୍ତ୍ତୀ ଓ ପ୍ରଭାବିତ ଅଞ୍ଚଳ ସହ ବଂଶଧାରା ଅବବାହିକାରେ ବସବାସ କରୁଥିବା ଜନବସତି ପାଇଁ କେତେ କ୍ଷତିକାରକ ତାହା ଜଣାପଡିଥିଲା । ଏହା ସହ ଉକ୍ତ ଅଂଚଳରେ ମାଡି ଯାଇଥିବା ଚାଷ ଜମି ନଷ୍ଟ ହେବା ସହ ଉକ୍ତ ନିଷ୍କାସିତ ବିଷାକ୍ତ ଜଳ ନଦୀରେ ମିଶିବା ପରେ ନଦୀର ମାଛ ମରିଯାଇଥିବା ଭଳି ଦୃଶ୍ୟ ପରିବେଶର ସୁରକ୍ଷା ପ୍ରତି ଚିନ୍ତାର କାରଣ ପାଲଟିଛି ବୋଲି କହିଥିଲେ । ସେହିଭଳି ମିଟସ୍ ଗ୍ରୁପ ତରଫରୁ ଯୋଗ ଦେଇଥିବା କୃଷି ବିଜ୍ଞାନ ପ୍ରଧ୍ୟାପକ ଡ ବିକାଶ ଦାଶ କହିଥିଲେ ଯେ ନାଗାବଳୀ ନଦୀର ଜଳ ମୁଖ୍ୟତଃ ଶିଳ୍ପାନୁଷ୍ଠାନ ପାଇଁ ପ୍ରଦୂଷିତ ହେଉଛି , ଯାହାକୁ ରୋକିବା ନିହାତି ଆବଶ୍ୟକ ନଚେତ ଏହା ଭବିଷ୍ୟତରେ ଜନବସତି ପାଇଁ ଚିନ୍ତାର ବିଷୟ ପାଲଟିବ । ସମ୍ମାନିତ ଅତିଥି ଶ୍ରୀ ରାଉତ ବେଦାନ୍ତର ରେଡ୍ ମଡ଼ ପଣ୍ଡ ଭାଙ୍ଗି ଥିବା ଘଟଣାକୁ ନେଇ ସେବା ଭାରତୀ ଦ୍ୱାରା କରାଯାଇଥିବା ସର୍ଭେ ବିଷୟରେ ନିଜର ଅନୁଭୂତି ବଖାଣିଥିଲେ । ସେହିଭଳି ଉତ୍କଳ ଆଲୁମିନାରୁ ଯୋଗ ଦେଇଥିବା ପରିବେଶ ବିଭାଗର ମୁଖ୍ୟ ସତ୍ୟଜିତ ଆଚାର୍ଯ୍ୟ କହିଥିଲେ ଯେ ଉତ୍କଳ ଆଲୁମିନା ୨୦୪୦ ମସିହା ବେଳକୁ କାର୍ବନ ନ୍ୟୁଟ୍ରାଲ ଓ ୨୦୩୦ ବେଳକୁ ୱାଟର ନ୍ୟୁଟ୍ରାଲ୍ କରିବାକୁ ଲକ୍ଷ୍ୟ ରଖିଛି । ସେହିଭଳି ସୋସାଇଟି ଫର୍ ଫାଷ୍ଟ ଜଷ୍ଟିସ ତରଫରୁ ଯୋଗ ଦେଇଥିବା ରଶ୍ମି ରଞ୍ଜନ ଦୋରା ଜେକେ ପେପରମିଲ ତରଫରୁ ନାଗାବଳୀ ନଦୀରେ ବେଆଇନ ଆଡ଼ିବନ୍ଧ କରି ପାଣି ବ୍ୟବାହାର କରୁଥିବା ବେଳେ ବ୍ୟବହାର ପରେ ପ୍ରଦୁଷିତ ଜଳକୁ ନଦୀ ଗର୍ଭକୁ ନିଷ୍କାସିତ କରୁଥିବା ଓ ଏ ନେଇ ବାରମ୍ୱାର ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ଅଣଦେଖା କରି ଚୁପ୍ ରହିବା, ଦିନ ଆସିବ ନାଗାବଳୀ ଅବବାହିକାରେ ବସବାସ କରୁଥିବା ରାୟଗଡ଼ ବାସୀଙ୍କ ପାଇଁ କାଳ ପାଲଟିବା ଥୟ ବୋଲି କହିଥିଲେ । ଏହା ସହ ସୂଚନା ଅଧିକାରି କର୍ମୀ ରବିନ୍ଦ୍ର ପାଟଖଣ୍ଡାଳ ରେଡ ମଡ ପଣ୍ଡ କୁ ରକ୍ତର ପୋଖରୀ ବୋଲି ଆଖ୍ୟା ଦେଇଥିବା ବେଳେ ଶିଳ୍ପ ପ୍ରତିଷ୍ଠାନ ଗୁଡିକ ପରିବେଶ ନିୟମାବଳୀକୁ ଅଣଦେଖା କରୁଥିବା ନେଇ ଭର୍ତ୍ସନା କରିଥିଲେ । ଶେଷରେ ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଶିଳ୍ପାନୁଷ୍ଠାନ ଗୁଡିକ ପ୍ରତି ୮ ବର୍ଷରେ ସେମାନଙ୍କ ରେଡ୍ ମଡ ପଣ୍ଡ ନିଜେ ଭାଙ୍ଗିବା ନିଶ୍ଚିତ । ହେଲେ ଆମର କର୍ତ୍ତବ୍ୟ କଣ ତାହା ଆମେ ପାଳନ କରୁଛେ କି ବୋଲି ପ୍ରଶ୍ନ କରିଥିଲେ । ଆମେ ସର୍ବଦା ଅନ୍ୟର ଭୁଲକୁ ଦେଖିବା ସହ ଆମର କର୍ତ୍ତବ୍ୟ କଣ ରହିଛି ଓ ଏହାର ସମାଧାନର ବାଟ କାଢ଼ିବାକୁ ଚେଷ୍ଟିତ କି ? ଆମେ ସର୍ବଦା ଶିଳ୍ପକୁ ଧ୍ୟାନ ଦେଉଛେ କିନ୍ତୁ କୃଷି ଭିତ୍ତିକ ଶିଳ୍ପ କିମ୍ୱା ପାରମ୍ପରିକ ଶିଳ୍ପକୁ ଗୁରୁତ୍ବ ଦେଲେ ଆମେ ଆମର ପରିବେଶକୁ ସନ୍ତୁଳିତ କରି ରଖିପାରିବା । ବର୍ତ୍ତମାନ ଆମ ଦେଶରେ ପ୍ରତି ନାଗରିକଙ୍କ ପିଛା ୨୬ ଟି ବୃକ୍ଷ ରହିଥିବା ବେଳେ ଏହା ପ୍ରକୃତରେ ୫୬ ଟି ରହିବା କଥା ଯାହାକି ଏକ ସାମାନ୍ୟ ଗଣନା । ଆଉ ଏହା ମଧ୍ୟ ସତ ଯେ ଯଦିଓ ଆମେ ଏବେଠାରୁ ଆମର କର୍ତ୍ତବ୍ୟ ତଥା ପରିବେଶ ପ୍ରତି ଜାଗ୍ରତ ହେବା ନାହିଁ ତାହାଲେ ଭବିଷ୍ୟତ ୨୦୦ ବର୍ଷ ପରେ ରାୟଗଡ଼ ଜିଲ୍ଲା ମରୁଭୂମିରେ ପରିଣତ ହେବ ଏହା ଆକଳନ ହୋଇଯାଇଛି । ତେଣୁ ଆମେ ପ୍ରଥମେ ଆମର କର୍ତ୍ତବ୍ୟ କରିବା ସହ ଶିଳ୍ପାନୁଷ୍ଠାନ ଗୁଡିକୁ ସେମାନଙ୍କର ନିୟମାନୁସରଣ କରିବାକୁ ସଚେତନ କରିବା, ଚାପ ପ୍ରୟୋଗ କରିବା । ଏହା ଗାଁ ସ୍ତରରୁ ଆରମ୍ଭ କରିବା ଶ୍ରେୟସ୍କର ବୋଲି କହିଥିଲେ । ଆମେ ପରିବେଶକୁ ସନ୍ତୁଳିତ କରୁନାହୁଁ, ବରଂ ପରିବେଶ ଆମକୁ ସନ୍ତୁଳିତ କରୁଥିବାରୁ ଆମେ ଏପର୍ଯ୍ୟନ୍ତ ବଞ୍ଚିଛୁ । ସେମିନାରରେ ବ୍ୟକ୍ତବ୍ୟ ରଖିଥିଲେ ବିଦୁଲତା ହୁଇକା, ଧରୁଣୀ ସାରକା, ବସନ୍ତ ଉଲ୍ଲକା, ଧିରୁ ପାଣିଗ୍ରାହୀ, ପ୍ରଭା ଦୋରା, ସୁଧୀର ମିଶ୍ର, ନରେନ କୁମୁନ୍ଦନ, ରଞ୍ଜନ ରଥ, ଅମୂଲ୍ୟ ସାହୁ ଓ ଅନ୍ୟାନ୍ୟ ଅତିଥିଗଣ । ଶେଷରେ ଶ୍ୟାମ ଦାଶ ଯୋଗ ଦେଇଥିବା ଅତିଥି ଓ ପ୍ରତିନିଧିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।