ଡିସେମ୍ବର ୨୪ରେ କଳାକାର ପ୍ରତିବାଦ ଶୋଭାଯାତ୍ରା

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ” ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍ ପରିସରରେ ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଉପସଭାପତି ଶଙ୍କର୍ଷଣ ସାବତ ମଂଚାସୀନ ଥିଲେ। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ କ୍ରମରେ ସମାଜ ସଂସ୍କାରକ ଭଳି ଏକ ମହାର୍ହ ବୃତ୍ତିକୁ କଳାକାର ସମାଜ ନିର୍ବାହ କରୁଥିବା ବେଳେ ସେମାନଙ୍କୁ ସରକାରୀ କଳ ଦ୍ୱାରା କିପରି ଉପେକ୍ଷା କରାଯାଉଛି ତାହାର ବିଶଦ ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ସର୍ବଶ୍ରୀ ଦେବେନ୍ଦ୍ର ପ୍ରସାଦ ଶର୍ମା, କଳାପ୍ରାଣ କୈଳାସ ପାଣିଗ୍ରାହୀ, ଟି. ତାରିଣୀ ରାଓ, ସୁରେନ୍ଦ୍ର ପ୍ରଧାନ, ହରିଶ ଚନ୍ଦ୍ର ବରଡ଼, ଗୁରୁ ପ୍ରସାଦ ଦୀକ୍ଷିତ, ପାଣ୍ଡଵ ପ୍ରଧାନ, ବଳଦେବ ସାହୁ, ଅଭିରାମ ରାଉଳ, ମୃତ୍ୟୁଞ୍ଜୟ ତ୍ରିପାଠୀ, ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଆଲୋଚନା କରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାକୁ ସଂସ୍କୃତି ବିଭାଗ କଳାକାର ଭତ୍ତାରେ ରୂପାନ୍ତରିତ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ କଳାକାର ଭତ୍ତା ବୃଦ୍ଧି ସମେତ କେତେକ କଳା ଓ କଳାକାର ହିତୈଷୀ ଦାବି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ନେଇ ସ୍ଥିର କରାଗଲା। ଚଳିତ ଡିସେମ୍ବର ୨୪ ତାରିଖ ପୂର୍ବାହ୍ନ ଦଶ ଘଟିକା ସମୟରେ ଏକ କଳାକାରଙ୍କ ପ୍ରତିବାଦ ଶୋଭାଯାତ୍ରା ଆର. ଡ଼ି. ସି. ଅଫିସ ଅଭିମୁଖେ ଗିରି ରୋଡ଼ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ପରିସରରୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଅଧିନାୟକତ୍ୱରେ ବାହାରିବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର କଳାକାର ତଥା ସାଂସ୍କୃତିକ ଦଳମାନ ସାମିଲ ହେବେ। ଏହି ଅବସରରେ ସଂଘର ଦିନ ପଞ୍ଜିକା ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ କୁନୁ ବେହେରା, ସୁଦାମ ପଟ୍ଟନାୟକ, ବଳରାମ ପ୍ରଧାନ, ଜି. କାମରାଜୂ ପାତ୍ର, କିଶୋର ମହାରଣା, ସୁବାସ ସାହୁ ମାମା, ଚିତ୍ତ ରଞ୍ଜନ ଦଳାଇଛବିରାଣୀ ମହାନ୍ତି, ଅନୁରାଧା ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.