ସମ୍ବଲପୁର: ବୁର୍ଲା ଭୀମସାରରୁ ଶିଶୁ ଚୋରି ଘଟଣାର ଖୁଲାସା l ବିକ୍ରି ପାଇଁ ନୁହେଁ ବରଂ ଲାଳନପାଳନ ପାଇଁ ଶିଶୁଟିକୁ ଚୋରି କରିଥିଲେ ମହିଳା ଜଣଙ୍କ l ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ହରେଶ ଚନ୍ଦ୍ର ପାଣ୍ଡେ l ମହିଳାଙ୍କ ସନ୍ତାନ ନଥିବାରୁ ସେ ମାନସିକ ନିର୍ଯାତନାର ଶିକାର ହେଉଥିଲେ l ଏଥିରୁ ବର୍ତ୍ତିବାକୁ ଶିଶୁକୁ ମେଡିକାଲରୁ ଚୋରି କରିନେଇଥିଲେ ମହିଳା ଜଣଙ୍କ l ଶିଶୁ ଚୋରି ପରେ ସ୍ବାମୀଙ୍କୁ ଡାକି ଅଟୋରେ ମହିଳା ଜଣଙ୍କ ନେଇ ପଳାଇଥିବା ନେଇ କହିଛନ୍ତି ଏସପି l
ସୂଚନାଯୋଗ୍ୟ, ଗତ ନଭେମ୍ବର ୨୬ରେ ବୁର୍ଲା ଭୀମସାରରୁ ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଥିଲା । ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା ଜଣଙ୍କ। ଗତ ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳାଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ । ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିଲେ l ଏନେଇ ଅଭିଯୋଗ ହେବ ପରେ ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସେପଟେ ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଥିଲେ ଶିଶୁର ମାଆ ।
ଅନ୍ୟପଟେ ଶିଶୁପୁତ୍ରକୁ ମହିଳା ଜଣକ ମେଡ଼ିକାଲରୁ ଚୋରି କଲା ପରେ ଏକ ଅଟୋ ଜରିଆରେ ମେଡିକାଲରୁ ଅଇଁଠାପାଲି ବସଷ୍ଟାଣ୍ଡ ନିକଟକୁ ଯାଇଥିଲେ । ସେଠାରୁ ପୁଣି ଆଉ ଏକ ଗାଡିରେ ରେଙ୍ଗାଲି ଗଣେଶ ନଗର ସ୍ଥିତ ତାଙ୍କ ଭଡା ଘରକୁ ଯାଇ ଲୁଚି ଯାଇଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ମହିଳାଙ୍କ ଧରିବା ପାଇଁ ତଦନ୍ତ ଚଳାଇଥିଲେ । ପୋଲିସ ପକ୍ଷରୁ ଚୋରକୁ ଧରିବା ପାଇଁ ୪ଟି ଟିମ ଗଠନ କରାଯାଇଥିଲା । ଏହାପରେ ତଦନ୍ତ କରି ଶେଷରେ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରିଥିଲା ପୋଲିସ । ରେଙ୍ଗାଲିରୁ ଉକ୍ତ ନବଜାତକକୁ ଉଦ୍ଧାର କରିବା ସହ ଚୋରି କରିଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ l