ଝାଡଖଣ୍ଡରେ ବିଜେପି ହାରିଲା କାହିଁକି ?

ରାଞ୍ଚୀ ୨୩।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଶାସକ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସପକ୍ଷରେ ଯାଇଛି। ଏଣୁ ହେମନ୍ତ ସୋରେନ ପୁଣି କ୍ଷମତା ହାତେଇ ରଖିବାରେ ସଫଳ ହୋଇଛନ୍ତି। ପ୍ରାରମ୍ଭିକ ଭୋଟ ଗଣନା କାଳରେ ଆଗରେ ଥିବା ବିଜେପି ପରେ ଲଗାତାର ପଛେଇବାରେ ଲାଗିଥିଲା ଓ କ୍ରମଶଃ ଏନଡିଏ ମେଣ୍ଟ ବହୁମତରୁ ଢେର ପଛେଇ ଯାଇଛି। ତେବେ ଏପରି କଣ ହେଲା ଯେ ଝାଡ଼ଖଣ୍ଡରେ ବିଜେପି ପୁଣି ଥରେ ପଛେଇ ଗଲା। ଆସନ୍ତୁ ଜାଣିବା କେଉଁ କାରଣରୁ ହେମନ୍ତ ସୋରେନଙ୍କ ଗଡକୁ କାହିଁକି ହଲେଇ ପାରିଲାନି ବିଜେପି?

ହେମନ୍ତ ସୋରେନଙ୍କ ଲାଗି ସହାନୁଭୁତି
ବିଧାନସଭା ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଜେଲରୁ ମୁକୁଳିଥିବା ହେମନ୍ତ ସୋରେନଙ୍କ ଲାଗି ନିର୍ବାଚନରେ ସହାନୁଭୁତି ବେଶ୍ କାମ କରିଛି ଓ ବିଜେପିକୁ ଏହାର ଝଟକା ଲାଗିଛି। ହେମନ୍ତ ସୋରେନଙ୍କୁ ୮.୩୬ ଏକର ଜମି ଜବରଦଖଲ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୩୧ ଜାନୁୟାରୀ ୨୦୨୪ରେ ଗିରଫ କରିଥିଲା। ଏହା ପରେ ସୋରେନଙ୍କ ବିରୋଧରେ ବିଜେପିକୁ ଦୁର୍ନୀତିର ଏକ ବଡ଼ ପ୍ରସଙ୍ଗ ମିଳିଯାଇଥିଲା ଓ ପାର୍ଟି ଲଗାତାର ଭ୍ରଷ୍ଟାଚାର ଅଭିଯୋଗକୁ ନେଇ ଆକ୍ରମକ ଥିଲା। ତେବେ ଏହି ରଣନୀତି ନିର୍ବାଚନରେ ବିଜେପି ଲାଗି ଓଲଟା ପଡିଛି। 

କାମ ଦେଲାନି ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଝାଡ଼ଖଣ୍ଡ ବିଜେପି ସହ ପ୍ରଭାରୀ ହିମାନ୍ତ ବିଶ୍ୱାଶର୍ମା  ପାର୍ଟିର ସବୁ ପ୍ରଚାରକ ବିଧାନସଭା ନିର୍ବାଚନରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ପୁରା ଜୋରରେ ଉଠାଇଥିଲେ। ଏହି ପ୍ରସଙ୍ଗରେ ବିଜେପି କଡ଼ା ଆଭିମୁଖ୍ୟ ଗ୍ରହଣ କରି ରାଜ୍ୟରେ ସରକାର ହେଲେ ବାଂଲାଦେଶୀ ମୁସଲମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେବ ବୋଲି ଘୋଷଣା କରିଥିଲା। ନିର୍ବାଚନ ପ୍ରଚାର କାଳ ବରିଷ୍ଠ ବିଜେପି ନେତାମାନେ ଦାବି କରିଥିଲେ ଯେ ଝାଡଖଣ୍ଡର କିଛି ଅଞ୍ଚଳ ଖାସ କରି ସାନ୍ତାଳୀ ପ୍ରଗଣା ମିନି ବାଂଲାଦେଶରେ ପରିଣତ ହୋଇଥିବା କହିଥିଲେ। ତେବେ ଶାସନରେ ଥିବା ମେଣ୍ଟ ପ୍ରସଙ୍ଗରେ ଜନତାଙ୍କୁ ବିଶ୍ୱାସ ଦିଆଇବାରେ ସଫଳ ହୋଇଛି। 

ବିଜେପି ବାଛିନଥିଲା ମୁଖ୍ୟମନ୍ତ୍ରୀ ଚେହେରା  
ବିଜେପି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଉପସ୍ଥାପନ କରିନଥିଲା। ଯାହା କ୍ଷମତାସୀନ ମେଣ୍ଟ ବିପକ୍ଷରେ ବିରୋଧୀଦଳ ଲାଗି କ୍ଷତିକାରକ ସାବ୍ୟସ୍ତ ହୋଇଛି। ଅନ୍ୟପଟେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହା ସ୍ପଷ୍ଟ ଥିଲା ଯେ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହେମନ୍ତ ସୋରେନ ଅଟନ୍ତି। ଏଣୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ନଥିବାରୁ ଭୋଟର ନେତୃତ୍ୱ ନେଇ ଭ୍ରମରେ ଥିଲେ। 

ଇଡି ଓ ସିବିଆଇ ଚଢଉ
କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ (ଇଡି ଓ ସିବିଆଇ) କ୍ଷମତାସୀନ ପାର୍ଟିର ଶୀର୍ଷ ନେତାଙ୍କ ଉପରେ ଚଡଉ କରିବା ଓ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରାୟ ଚର୍ଚ୍ଚାରେ ଅଛନ୍ତି। ଏପରିକି ନିର୍ବାନ ପ୍ରଚାର କାଳରେ ମଧ୍ୟ ସିବିଆଇ ଚଢଉର ନଜିର ରହିଛି। ଯେଉଁଥି ପାଇଁ ଇଣ୍ଡି ମେଣ୍ଟକୁ ଏହା ଦାବି କରିବାକୁ ସୁଯୋଗ ମିଳିଲା ଯେ ଏପରି କାର୍ଯ୍ୟାନୁଷ୍ଠାନ ରାଜନୀତି ପ୍ରେରିତ ଓ ପକ୍ଷପାତ ପୂର୍ଣ୍ଣ। ନିର୍ବାଚନରେ ବିଜେପି ଦୁର୍ନୀତି ପ୍ରସଙ୍ଗକୁ ଉଠାଇବାକୁ ଭରପୁର ପ୍ରୟାସ କରିଥିଲା। ହେଲେ କେଉଁଠି ନା କେଉଁଠି ଏହାକୁ ଭୋଟର ଗ୍ରହଣ କରିନାହାନ୍ତି। 

ଦଳବଦଳ ହେଲା କାଳ
ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନଙ୍କଠାରୁ ଆରମ୍ଭ କରି ନିକଟତମ ଚମ୍ପେଇ ସୋରେନଙ୍କୁ ବିଜେପି ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଥିଲା। ତେବେ ଦଳବଦଳକାରୀଙ୍କ ସହିତ ରାଜନୈତିକ ଲାଭ ବିଜେପିକୁ ମିଳିପାରି ନାହିଁ। ଫଳରେ ନିର୍ବାଚନରେ ବିଜେପି ଆଶା କରିଥିବା ଲାଭ ପାଇପାରିଲା ନାହିଁ।  

nis-ad
Leave A Reply

Your email address will not be published.