ଭାରତ ହାତରେ ପଞ୍ଚମ କାଂସ୍ୟ: କୁସ୍ତିରେ ଅମନଙ୍କୁ ପ୍ରଥମ ପଦକ

ପ୍ୟାରିସ୍‌: ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରୁ ଭାରତକୁ ଶୁକ୍ରବାର ଷଷ୍ଠ ପଦକ ଆସିଯାଇଛି ପଞ୍ଚମ କାଂସ୍ୟ ରୂପରେ। ୫୭ କେଜି ପୁରୁଷ ଫ୍ରିଷ୍ଟାଇଲ୍‌ କୁସ୍ତିରେ ୨୧ ବର୍ଷୀୟ ଅମନ ସେରାୱତ ଭାରତକୁ ଚଳିତ ସଂସ୍କରଣରେ ପ୍ରଥମ ଏବଂ ଅଲିମ୍ପିକ୍ସ ଇତିହାସରେ ଅଷ୍ଟମ କୁସ୍ତି ପଦକ ଭେଟି ଦେଇଛନ୍ତି। ଶୁକ୍ରବାର କାଂସ୍ୟ ପଦକ ମୁକାବିଲାରେ ପୁର୍ତ୍ତୋରିକୋର ଡାରିଆନ୍‌ ତୋଇ କ୍ରୁଜ୍‌ଙ୍କୁ ୧୩-୫ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ମ୍ୟାଚ୍‌ର ପ୍ରଥମ ପିରିୟଡ୍‌ରେ ଅମନ ୬-୩ରେ ଅଗ୍ରଣୀ ପାଇଥିଲା ବେଳେ ଦ୍ବିତୀୟରେ ୭-୨ ପଏଣ୍ଟ ପାଇ ଏକତରଫା ଭାବେ ଜିତିଥିଲେ। ଫଳରେ ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୪୧ରେ ପହଞ୍ଚିଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଜିତିଥିବା ୬ ପଦକର ସମକକ୍ଷ ବି ହୋଇଛି ଭାରତ। ‌ତେବେ ଗତ ସଂସ୍କରଣ ୭ ପଦକଠୁ ଗୋଟିଏ ପଛରେ ରହିଛି।
ଏଥିପୂର୍ବରୁ ସେମିଫାଇନାଲ୍‌ରେ ପ୍ୟାରିସ୍‌ ଅଲିମ୍ପିକ୍ସର ସର୍ବକନିଷ୍ଠ ପୁରୁଷ କୁସ୍ତିଯୋଦ୍ଧା ଅମନ ଜାପାନ୍‌ର ରେଇ ହିଗୁଚିଙ୍କଠାରୁ ପରାସ୍ତ ହୋଇଥିଲେ। ରାଉଣ୍ଡ-୧୬ରେ ନର୍ଥ ମାସିଡୋନିଆର ବ୍ଲାଦିମିର୍‌ ଇଗୋରଭ୍‌ଙ୍କୁ ୧୦-୦ରେ ଓ କ୍ବାର୍ଟରଫାଇନାଲ୍‌ରେ ଆଲ୍‌ବାନିଆର ଜେଲିମ୍‌ଖାନ୍‌ ଅବାକାନୋଭ୍‌ଙ୍କୁ ୧୨-୦ରେ ହରାଇ ଥିଲେ ଅମନ୍‌। ଏହାଦ୍ବାରା ଅଲିମ୍ପିକ୍ସରେ କୁସ୍ତିରୁ ପଦକ ଜିତିବାରେ ସେ ସପ୍ତମ ପୁରୁଷ ଖେଳାଳି ହୋଇପାରିଛନ୍ତି ଏବଂ ୨୦୦୮ ପରଠୁ ଭାରତ ଲଗାତାର ଭାବେ ପ୍ରତ୍ୟେକ ଅଲିମ୍ପିକ୍‌ ସଂସ୍କରଣରେ ପଦକ ଜିତିବା ଧାରା ଜାରି ରଖିପାରିଛି। ଅମନଙ୍କ ପୂର୍ବରୁ ଅଲିମ୍ପିକ୍ସରୁ ଭାରତ ପାଇଁ କେଡି ଯାଦବ (କାଂସ୍ୟ-୧୯୫୨), ସୁଶୀଲ କୁମାର (କାଂସ୍ୟ-୨୦୦୮, ରୌପ୍ୟ-୨୦୧୨), ଯୋଗେଶ୍ବର ଦତ୍ତ (କାଂସ୍ୟ-୨୦୧୨), ସାକ୍ଷୀ ମଲ୍ଲିକ (କାଂସ୍ୟ-୨୦୧୬), ରବିକୁମାର ଦାହିୟା (ରୌପ୍ୟ-୨୦୨୦), ବଜରଙ୍ଗ ପୁନିଆ (କାଂସ୍ୟ-୨୦୨୦) କୁସ୍ତି ପଦକ ଜିତିଥିଲେ।

nis-ad
Leave A Reply

Your email address will not be published.