ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ଜିଲ୍ଲାସ୍ତରୀୟ ରଜ ଉତ୍ସବ ଓ ସାଂସ୍କୃତିକ ମେଳା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବନଜ୍ୟୋସ୍ନା ତରଫରୁ ଆଗାମୀ ତା ୧୩.୬ ଠାରୁ ୧୭.୬.୨୪ ପର୍ଯ୍ୟନ୍ତ ପାଞ୍ଚ ଦିବସ ବ୍ୟାପି ରଜ ଉତ୍ସବ ଓ ସାଂସ୍କୃତିକ ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହି ଉତ୍ସବ ଚଳିତ ବର୍ଷ ମାଷ୍ଟରପଡା ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ । ଉତ୍ସବକୁ ନିଶୁଳ୍କ ଭାବେ ସମସ୍ତ ଜନତା ଉପଭୋଗ କରିପାରିବେ । ପ୍ରତିଦିନ ଅପରାହ୍ଣ ୪ ଘଣ୍ଟା ରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ମେଳା ଜାରି ରହିବ । ଏଥିରେ ବିଭିନ୍ନ ବର୍ଗର ମହିଳା ମାନଙ୍କ ସମେତ କିଶୋର,କିଶୋରୀ ଏବଂ ଛୋଟ ପିଲାଙ୍କ ପାଇଁ ଓଡିଆ ସଂସ୍କୃତି ଭିତିକ ପାରମ୍ପରିକ କ୍ରୀଡା, ନୃତ୍ୟ, ଗୀତ, ମଞ୍ଚପ୍ରତିଯୋଗିତା ସହିତ ରଜପାନ,ପିଠା,ରଜ ଦୋଳି,କାଚ କଉଡି, ଲୁଡୁ, କାଂଜିଆ ପଟା,ଗଂଜପା ଖେଳ ସମେତ ମେଳା ପରିସରରେ ବିଭିନ୍ନ ପ୍ରକାର ବିପଣୀ ସାମଗ୍ରୀ ,ଚଟପଟା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ବହୁ ସାଂସ୍କୃତିକ ଦଳ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବେ । ପ୍ରତିଦିନ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଲୋଚନାରେ ଅଂଶଗ୍ରହଣ କରିବା ସହ ୧୬.୬.୨୪ (ରବି ବାର) ଦିନ ଅପରାହ୍ଣ ୩ ଟାରେ ଦ୍ୱିଭାଷି କବି ସମ୍ମିଳନୀର ଆୟୋଜନ କରାଯାଇଛି । ଏଥିରେ ବହୁ ଓଡିଆ ଓ କୁଇ ଭାଷାର କବି ଅଂଶ ଗ୍ରହଣ କରିବେ । ଏହି ଦିନ ଜିଲ୍ଲାର ବହୁ ପ୍ରତିଭାଧାରୀ ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ପାଞ୍ଚ ଦିନର ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯିବା କାର୍ଯ୍ୟକ୍ରମ ରହିଛି । ରଜ ଉତ୍ସବରେ ବିପୁଳ ସଂଖ୍ୟାରେ ଜିଲ୍ଲାବାସୀ ଯୋଗ ଦେବାକୁ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଅନୁରୋଧ କରାଯାଇଛି । ଆଜି ର ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରା ଙ୍କ ସମେତ,ଶରତଚନ୍ଦ୍ର ମହାନ୍ତି, ସୋମନାଥ ସାହୁ, କଳ୍ପନା ରାଣୀ ପାତ୍ର, ବିରାଜିନୀ ମହାପାତ୍ର,ସୁଶ୍ରୀ ମୁସ୍କାନ,ଶୁଭ୍ରାରାଣୀ ପଟ୍ଟନାୟକ,ସରସ୍ୱତୀ ସାହୁ,ବୈଜୟନ୍ତୀ ମାଳା ମହାପାତ୍ର ,ରୂପାମ୍ବିକା ତ୍ରିପାଠୀ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ଡଳ୍ଟର କାହ୍ନୁ ଚରଣ ଶତପଥୀ ସଭାକାର୍ଯ୍ୟ ସଂଚାଳନ କରିଥିଲେ ।

nis-ad
Leave A Reply

Your email address will not be published.