ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ନିର୍ବାଚନ ମଣ୍ଡଲିର ଭୋଟ ଯେତିକି ଯେତିକି ପାଖେଇ ଆସୁଛି ଦଳୀୟ ପ୍ରାର୍ଥୀଙ୍କ ହୃଦୟର ସ୍ପନ୍ଦନ ସେତିକି ସେତିକି ବଢିବାରେ ଲାଗିଛି।ନିର୍ବାଚନ ବିଗୁଲ ବାଜିବା ପରଠାରୁ କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ମାନଙ୍କର ଆଖିରୁ ନିଦ ହଜିଯାଇଛି। ନିର୍ବାଚନ ପ୍ରଚାର କରିବା ପାଇଁ ସମୟ ମଧ୍ୟ କମ, ଏହି କମ ସମୟ ମଧ୍ୟରେ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବା କାଠିକର ପାଠ ହୋଇଥିଲେ ମଧ୍ୟ ପ୍ରାର୍ଥୀମାନେ ଅଗ୍ନି ପରୀକ୍ଷା ଦେଇ ଚାଲିଛନ୍ତି।
ପ୍ରତି ବ୍ଲକର ପଂଚାୟତ, ଗାଁ ଓ ୱାର୍ଡକୁ ୱାର୍ଡ ଵୁଲି ନିର୍ବାଚନ ପ୍ରଚାର କରିବା ସହ ଭୋଟଭିକ୍ଷା କରୁଛନ୍ତି।ବୈଶାଖର ଏହି ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରାର୍ଥୀମାନେ ନିଜ ନିଜ କର୍ମୀ ଓ ସମର୍ଥକ ମାନଙ୍କୁ ଧରି ବୁଲୁଥିବା ଦେଖିବାକୁ ମିଳୁଛି। ସ୍ଥାନେ ସ୍ଥାନେ କର୍ମୀ ସମ୍ମିଳନୀ ଓ ସଭା ସମିତି କରାଯାଉଛି।ଉମରକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ସନରାଜ ଗଣ୍ଡ।ପୂର୍ବରୁ ସେ ରାଇଘର ବ୍ଲକ କୁନ୍ଦେଇ ପଂଚାୟତରେ ସରପଞ୍ଚ ଭାବେ କାର୍ଯ୍ୟ କରୁଥିଲେ,ସେ ଜଣେ ଦକ୍ଷ ସାଙ୍ଗଠନିକ ଓ ଜିଲ୍ଲା କୃଷକ ସଂଗଠନର ଜିଲ୍ଲା ସଭାପତି ଦାୟିତ୍ୱ ତୁଲେଇ ଆସୁଛନ୍ତି।ଉଚ୍ଚ ଶିକ୍ଷିତ ଏବଂ ପେସାରେ ଜଣେ ଓକିଲ ମଧ୍ୟ।ଦଳ ତାଙ୍କ ଭିତରେ ରହିଥିବା ଦକ୍ଷତାକୁ ଦୃଷ୍ଟିରେ ରଖି ବିଧାୟକ ପ୍ରାର୍ଥୀ ଭାବେ ଦଳୀୟ ଟିକିଟ ପ୍ରଦାନ କରି ଛିଡା କରିଛନ୍ତି।କଂଗ୍ରେସ ପ୍ରାର୍ଥୀ ସନରାଜ ଗଣ୍ଡ ଆଜି ଉମରକୋଟ ବ୍ଲକର ବିଭିନ୍ନ ପଂଚାୟତ ବୁଲିବା ସହ ଏକମ୍ବା ପଂଚାୟତର ଅଂଚଳା ଗ୍ରାମ ଠାରେ କଂଗ୍ରେସର ଏକ ମିଶ୍ରଣ ପର୍ବର ଆୟୋଜନ କରିଥିଲେ,ଯେଉଁଥିରେ କି ଅନେକ ବିଜେପି ଓ ବିଜେଡି କର୍ମୀମାନେ ନିଜ ନିଜ ଦଳ ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି।ସମସ୍ତ କର୍ମୀ ମାନଙ୍କୁ ଉତ୍ତରୀୟ ଦେଇ କଂଗ୍ରେସ ଦଳକୁ ସ୍ୱାଗତ କରାଯାଇ ଅଛି।ନୂତନ କର୍ମୀ ମାନଙ୍କ ମଧ୍ୟରେ ବନ କଲାର, ରବି ପନକା, ଚନ୍ଦନ ପନକା, କର୍ଣ୍ଣ ଭତରା, ଧନସିଂ ଭତରା, ବଳରାମ ମାଲି, ରାମବତୀ ହରିଜନ, ଘନ ହରିଜନ, ଉମେଶ ହରିଜନ, ଜଳନ ହରିଜନ, ଲଖଣ ହରିଜନ,ସୁମନ ଭତରା, ଜଗମନ ଗଣ୍ଡ, ମଙ୍ଗଳ ପନକା, ଅର୍ଜୁନ ଭତରା ପ୍ରମୁଖ ବିଜେଡି ଓ ବିଜେପି ଛାଡି କଂଗ୍ରେସର ଦଳୀୟ ପାର୍ଟିରେ ଯୋଗଦାନ କରିଛନ୍ତି।