ନୟାଗଡ଼ : ନୟାଗଡ଼ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ମାଛ ଚାଷ ଉତ୍ପାଦନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସେଥିପାଇଁ ନୟାଗଡ଼ ଜିଲ୍ଲାରେ ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ମହାନଦୀ ରେ ମାଛ ଉତ୍ପାଦନ ହ୍ରାସ ପାଉଥିବାରୁ ମତ୍ସ୍ୟଜୀବି ମାନଙ୍କର ଜୀବନ ଜୀବିକା ପ୍ରଭାବିତ ହେଉଛି । ତେଣୁ ଏହି ମତ୍ସ୍ୟଜୀବି ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ବିଭାଗର ମିଳିତ ପ୍ରୟାସରେ ପାଇଲଟ୍ ପ୍ରୋଜେକ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ୩ଲକ୍ଷ ୫୦ହଜାର ଯାଆଁଳା ଖଣ୍ଡପଡ଼ା ବ୍ଲକ ନିକଟରେ ଥିବା ମହାନଦୀ ଘାଟରେ ଛଡାଯାଇଛି । ମଧୁର ଜଳ ମାଛ ଚାଷର ଚାହିଦା ଥିବାରୁ ସରକାର ବି ଏଦିଗରେ ଗୁରୁତ୍ବ ପ୍ରଦାନ କରିଛନ୍ତି । ଉନ୍ନତ ମାନର ରୋହି , ଭାକୁର, ମିରିକାଳି ମାଛର ଯାଆଁଳା କେନ୍ଦ୍ର ସରକାରଙ୍କ ଘରୋଇ ଯାଆଁଳା ଉତ୍ପାଦନ କେନ୍ଦ୍ରରୁ ଆଣି ଉକ୍ତ ଘାଟରେ ଛଡାଯାଉଛି । ଏଥି ପାଇଁ ମତ୍ସ୍ୟ ବିଭାଗ ତରଫରୁ ଏକ କାର୍ଯ୍ୟକ୍ରମ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀ , ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ବିଡ଼ିଓ ଅଙ୍କୁର ଅଭିଳାଷ , ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶୁଭଶ୍ରୀ ମିଶ୍ର, ସ୍ନେହଂଶୁ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ସ୍ଥାନୀୟ ସରପଞ୍ଚ ପ୍ରତିମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ମତ୍ସ୍ୟ ଅଧିକାରୀ ଦେବାଶିଷ ଜେନା କାର୍ଯକ୍ରମ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.