ପାରାଦୀପ ବନ୍ଦରର ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: କେନ୍ଦ୍ରମନ୍ତ୍ରୀ

PARADEEP-PORT

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପାରାଦୀପରେ ବୈଇତ ବନ୍ଦାଣ ଉତ୍ସବ ପାଳନ ହେବା ପରେ ପାରାଦୀପ ବନ୍ଦରର ବିକାଶରେ ରାଜ୍ୟ ସରକାର ବାଧା ସାଜିଛନ୍ତି ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ।

ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ଶ୍ରୀପଦ ନାଏକ କହିଛନ୍ତି ଯେ, ପାରାଦୀପ ବନ୍ଦରକୁ ସଡ଼କ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ରାଜ୍ୟ ସରକାରଙ୍କ ତତ୍ପରତା ଅଭାବ ରହିଛି। ଏହାର ଅଭିବୃଦ୍ଧିରେ ବଡ଼ ଅନ୍ତରାୟ ସାଜିଛି। ସେ ଦର୍ଶାଇଛନ୍ତି ଯେ ବନ୍ଦରକୁ ସଂଯୋଗ କରୁଥିବା ସଙ୍କୀର୍ଣ୍ଣ ଓ ଖରାପ ରାସ୍ତା ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ, ଯାହା ବନ୍ଦରଟି ଦେଶର ଅନ୍ୟ ବନ୍ଦର ଭଳି ବିକାଶ ହୋଇପାରିନି ବୋଲି ସେ କହିଛନ୍ତି।

ସେହିପରି ରାସ୍ତା ପ୍ରଶସ୍ତିକରଣ ପାଇଁ ବନ୍ଦର ପକ୍ଷରୁ ସହାୟତା ପାଇଁ କରାଯାଇଥିବା ଆବେଦନ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟାକୁ ନେଇ ଶ୍ରୀପଦ ନାଏକ କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ସହାୟତା କରିବାକୁ ଇଚ୍ଛୁକ ଥିଲେ ମଧ୍ୟ ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ କରୁନାହାନ୍ତି ବୋଲି ସେ କହିଛନ୍ତି।

ଶ୍ରୀପଦ ନାଏକ ଆହୁରି କହିଛନ୍ତି, ଏହି ସଡ଼କର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ସହଯୋଗର ହାତ ବଢ଼ାଇଥିବା ବେଳେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ପାରାଦ୍ୱୀପ ବନ୍ଦର ଆସନ୍ତା ବର୍ଷକ ମଧ୍ୟରେ ଭାରତର ଏକ ନମ୍ବର ବନ୍ଦର ହୋଇପାରିବ ବୋଲି ସେ ଦୋହରାଇଛନ୍ତି।

ପାରାଦୀପ ବନ୍ଦର ପରିଚାଳନା ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିବା ସହିତ ଶ୍ରୀପଦ ନାଏକ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ନେଇ ନିଜର ଉଦବେଗ ପ୍ରକାଶ କରିଥିଲେ।

ଓଡ଼ିଶାରେ ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ରହିଛି ବୋଲି ସେ ସ୍ୱୀକାର କରିଥିଲେ ମଧ୍ୟ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଅଧିକ ସକ୍ରିୟ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ଶ୍ରୀପଦ ନାୟକ ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ‘ପ୍ରସାଦ’ ଓ ‘ସ୍ୱଦେଶୀ ଦର୍ଶନ ଯୋଜନା’ ଭଳି ଯୋଜନାକୁ ସେ ପର୍ଯ୍ୟଟନ ବିକାଶ ପ୍ରତି ପ୍ରତିବଦ୍ଧତାର ଉଦାହରଣ ବୋଲି ଦର୍ଶାଇଛନ୍ତି।

nis-ad
Leave A Reply

Your email address will not be published.