ଗଞ୍ଜାମ ଜିଲ୍ଲାର ଚାଷୀଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ…

ଜଳବାୟୁ ସହନଶୀଳତା ଏବଂ ସ୍ଥାୟୀ କୃଷି ଅଭ୍ୟାସକୁ ଦେଉଛି ପ୍ରୋତ୍ସାହନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନନ୍ଦିକା ଗାଁର ଚାଷୀ ସୁବାସ ଚନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ କୌଣସି ଚିରନ୍ତନ ଅଭିଶାପଠାରୁ କମ୍ ନଥିଲା। ବର୍ଷକୁ ବର୍ଷ ତାହା ତାଙ୍କର ଠିଆ ହୋଇଥିବା ଫସଲକୁ କୌଣସି ନା କୌଣସି ଉପାୟରେ ନଷ୍ଟ କରିଦେଉଥିବାରୁ ସେ ଆର୍ଥିକ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଉଥିଲେ। ସେ ପ୍ରାୟ ସବୁ ଆଶା ହରାଇସାରିଥିଲେ। ତେବେ ତାଙ୍କ ସହାୟତା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଆଗେଇ ଆସିବାରୁ ଏବେ ସେହି ୫୧ ବର୍ଷୀୟ ପାନ ଚାଷୀଙ୍କ ମୁହଁରେ ହସ ଫେରିଆସିଛି ।

୨୦୧୯ ପରେ ଯେତେବେଳେ ଟାଟା ଷ୍ଟିଲ ଫାଉଣ୍ଡେସନ ଆମକୁ ସହାୟତାର ହାତ ବଢ଼ାଇଲା, ସେତେବେଳେ ପରିସ୍ଥିତି ବଦଳିବା ଆରମ୍ଭ ହୋଇଥିଲା। ଏହା ସହଯୋଗରେ ମୋର ପାନ ଚାଷରେ ଯଥେଷ୍ଟ ଉନ୍ନତି ଘଟିଛି। ଏବେ ମୁଁ ମାସିକ ୫୦,୦୦୦ଟଙ୍କାରୁ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ଉପାର୍ଜନ କରୁଛି ଏବଂ ମୋର ଏବଂ ମୋ ପରିବାରର ଉନ୍ନତ ଭବିଷ୍ୟତ ସୁରକ୍ଷିତ କରୁଛି ବୋଲି ସେ କହିଛନ୍ତି।

ଗଞ୍ଜାମ ଜିଲ୍ଲାରେ ବାତ୍ୟା, ପ୍ରବଳ ବର୍ଷା, ବନ୍ୟା, ଝଡ଼ତୋଫାନ ଓ ବଜ୍ରପାତ ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଏହାର ପ୍ରକୋପ ବୃଦ୍ଧି ପାଇଛି । ନିକଟ ଅତୀତରେ ଏହି ଅଞ୍ଚଳରେ ଅନେକ ବାତ୍ୟା ସ୍ଥଳଭାଗ ଛୁଇଁବା ସହ ଧନଜୀବନ ଓ ଚାଷ ଜମିର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହି ଜିଲ୍ଲା ବାତ୍ୟା ପ୍ରବଣ ଅଂଚଳ ଭାବେ ଜଣାଯାଉଛି।

ସୁବାସଙ୍କ ଭଳି ଅନେକ ଚାଷୀଙ୍କୁ ଟିଏସଏଫ ଉପଯୁକ୍ତ ପ୍ରଶିକ୍ଷଣ, ବାଉଁଶ ଭଳି ଅତ୍ୟାବଶ୍ୟକ ଉପକରଣ ଓ ୧୦ ହଜାରରୁ ଅଧିକ ପାନ ଗଛ ଚାରା ଓ ବୈଷୟିକ ସହାୟତା ପ୍ରଦାନ କରିଛି । ଏହାବ୍ୟତୀତ ସେମାନଙ୍କ ଚାଷରେ ଉନ୍ନତି ଆଣିବା ପାଇଁ ନିରନ୍ତର ତଦାରଖ, କୀଟପତଙ୍ଗଙ୍କଠାରୁ ରକ୍ଷା ପାଇଁ ହଳଦିଆ ଜାଲ ଏବଂ ଜୈବିକ ସାର ପ୍ରଦାନ କରାଯାଇଛି ।

ଗଂଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ପଂଚମା ଗ୍ରାମର ଚାଷୀ ଘନଶ୍ୟାମ ମଣ୍ଡଳ (୪୭) କହନ୍ତି, “ପୂର୍ବରୁ ବାରମ୍ବାର ବାତ୍ୟା ମୋ ଫସଲକୁ ନଷ୍ଟ କରୁଥିଲା । ଏବେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ପୂର୍ବ ସୂଚନା ଓ ସହାୟତା ଯୋଗୁଁ କ୍ଷୟକ୍ଷତି ଯଥେଷ୍ଟ ହ୍ରାସ ପାଇଛି। ଟିଏସଏଫ ମୋତେ ବାଉଁଶ, ସାମୁଦିଆ କାଠି, ଜୈବିକ ସାର ଏବଂ ପାନ ବରଜ ଚାଷ ପାଇଁ ଉପକରଣ ଯୋଗାଇ ଦେଉଛି।”

ସେହି ଗ୍ରାମର ଅନ୍ୟ ଜଣେ ପାନଚାଷୀ କୃଷ୍ଣ ଚନ୍ଦ୍ର ମଣ୍ଡଳ (୩୬) କୁହନ୍ତି, “ମୋର ଚାରି ଜଣିଆ ପରିବାର ଅଛି ଏବଂ ଆମେ କେବଳ ଚାଷ ଉପରେ ନିର୍ଭର କରୁ । ପାନ ଚାଷ ପାଇଁ ଟିଏସଏଫର ସହାୟତାରେ ମୁଁ ଏବେ ଏଥିରୁ ବାର୍ଷିକ ୬୦,୦୦୦ରୁ ୭୦,୦୦୦ ଟଙ୍କାରୁ ଅଧିକ ରୋଜଗାର କରୁଛି। ଆମର ପାନ ପତ୍ର ବନାରସ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ରପ୍ତାନୀ ହେଉଛି।’’

ଉଲ୍ଲେଖଯୋଗ୍ୟ ଯେ, ବନ୍ଦର ସହର ଗୋପାଳପୁର ସମେତ ଗଞ୍ଜାମ ଜିଲ୍ଲାର ବାତ୍ୟା ପ୍ରବଣ ଅଂଚଳରେ ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ଉନ୍ନତ କରିବାପାଇଁ ଫାଉଣ୍ଡେସନ୍ ସହଯୋଗର ହାତ ବଢ଼ାଇଛି। ଟିଏସଏଫ ଏବେ ସୌର ପ୍ୟାନେଲ ଏବଂ ଜଳ ଜଳସେଚନ ପମ୍ପ ସ୍ଥାପନ କରିବାରେ କୃଷକମାନଙ୍କୁ ସାହାଯ୍ୟ କରୁଛି। ସୌର ଶକ୍ତିର ଉପଯୋଗ କରି ଚାଷୀମାନେ ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସଫଳ ହୋଇଛନ୍ତି ଏବଂ ସ୍ଥାୟୀ ଶକ୍ତି ପଦ୍ଧତି ଆପଣାଉଛନ୍ତି।

ଗୋପାଳପୁରସ୍ଥିତ ଟାଟା ଷ୍ଟିଲ୍ ଫାଉଣ୍ଡେସନର ୟୁନିଟ୍ ମୁଖ୍ୟ ରକି ମାର୍ଟିନ୍ ଏହି ଅଂଚଳରେ ଟିଏସଏଫ୍ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି କହିଛନ୍ତି ଯେ, ‘ରାଜ୍ୟ ସରକାରଙ୍କ ସହ ଆମର ସହଯୋଗରେ ଗୋପାଳପୁର ଓ ଗଞ୍ଜାମ ଅଞ୍ଚଳରେ ଅନେକ ଜଳବାୟୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପଦକ୍ଷେପଗୁଡ଼ିକ ଏହାବ୍ୟତୀତ ବିଶେଷ କରି କୃଷକମାନଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଆମର ଦୃଢ଼ ସମର୍ପଣ ଏବଂ ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି।’

ଅଧିକନ୍ତୁ, ଆହ୍ୱାନପୂର୍ଣ୍ଣ ପାଣିପାଗ ସ୍ଥିତି ସମୟରେ ମଧ୍ୟ ଜଳସେଚନ ପମ୍ପର ଉପଲବ୍ଧତା ଦକ୍ଷ ଜଳ ପରିଚାଳନା ସହ ସମ୍ବଳର ସର୍ବୋତ୍ତମ ବ୍ୟବହାର ସୁନିଶ୍ଚିତ କରିଛି। ଏହି ପଦକ୍ଷେପ ଗୁଡ଼ିକ କେବଳ ଯେ ଜଳବାୟୁ ସହନଶୀଳତା ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି ତାହା ନୁହେଁ ବରଂ କୃଷକମାନଙ୍କୁ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବାକୁ ସଶକ୍ତ କରୁଛି, ଯାହା ଏହି ଅଂଚଳର କୃଷି ସମ୍ପ୍ରଦାୟ ପାଇଁ ଅଧିକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ସୃଷ୍ଟି କରିବାରେ ସହାୟକ ହେଉଛି।

nis-ad
Leave A Reply

Your email address will not be published.