ପ୍ରତିକୂଳ ପରିସ୍ଥିତିରେ ସଫଳତାର ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀନିବାସ…

ମାଲକାନଗିରି/ଚିତ୍ରକୋଣ୍ଡା:(୨୭/୧୧) ସମସ୍ତ ପ୍ରକାରର ସାଧନୀ ଥାଇ ମଧ୍ୟ ଅନେକ ସମୟରେ ସେଭଳି କୌଣସି ବିରାଟ ସିଦ୍ଧି ଦେଖାଯାଇ ପାରେନି ହୁଏତ ତାହା ସାଧନାର ଅଭାବ ବା ଅଧ୍ୟବସାୟର ଅଭାବ କିମ୍ବା ମନୋବଳର ଅଭାବ ହୋଇଥାଇପାରେ । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ସମ୍ଭାବନାରେ ଯେ ନୂତନ ପୃଷ୍ଠା ଯୋଡ଼ା ଯାଇପାରେ ତାହା ବେଳେ ବେଳେ ଦେଖାଯାଇଥାଏ। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଅଞ୍ଚଳ ଅଧିକାଂଶ ସମୟରେ ଉପାନ୍ତ, ଆଦିବାସୀ ଅଧ୍ୟୁଷିତ ତଥା ମାଓ ଉପଦ୍ରୁତ ଅଞ୍ଚଳ ଭାବେ ଆଲୋଚନାର ପରିସରକୁ ଆସିଥାଏ ତ ବେଳେ ବେଳେ ସ୍ବାଭିମାନ ଅଞ୍ଚଳ ଭାବେ ଜଣାଶୁଣା ଥାଏ । ତେବେ ଏଭଳି ଏକ ଅଞ୍ଚଳରେ ପଙ୍କରେ ପଦ୍ମ ଭଳି ବର୍ତ୍ତମାନ ଚତୁର୍ଥ ଶ୍ରେଣୀର ଜନୈକ କର୍ମଚାରୀ ଜନସାଧାରଣରେ ଉଦାହରଣ ପାଲଟିଛନ୍ତି । ଉଚ୍ଚ ଶିକ୍ଷାର ଅଭାବ ସତ୍ତ୍ଵେ ୪୭ ବର୍ଷୀୟ ଗଣ୍ଡୁପାଲ୍ଲୀ ଶ୍ରୀନିବାସ ରାଓ ଦୀର୍ଘ ୨୮ ବର୍ଷ ଧରି ବାଲିମେଳା ମାଟିବନ୍ଧ ଯୋଜନାରେ ଏକ ଚତୁର୍ଥ ଶ୍ରେଣୀର କର୍ମଚାରୀ/ହେଲ୍ପର ଭାବେ ଦାୟିତ୍ବ ନିର୍ବାହ କରନ୍ତି । ୱାଚ୍ ମ୍ୟାନ୍ ଥିବା ତାଙ୍କ ବାପାଙ୍କ ଆକସ୍ମିକ ମୃତ୍ୟୁ ପରେ ପରେ ଘରର ଜ୍ୟେଷ୍ଠ ସନ୍ତାନ ଭାବେ ଦାୟିତ୍ୱର ବୋଝ ପଡ଼ିଯାଏ ଶ୍ରୀନିବାସଙ୍କ ମୁଣ୍ଡ ଉପରେ ଏଣୁ ପଢ଼ାରେ ଡୋରି ବାନ୍ଧି ସରକାରଙ୍କ ଥଇଥାନ ଯୋଜନା ଭିତରେ ବାଲିମେଳା ମାତିବନ୍ଧ ଯୋଜନାରେ କର୍ମଚାରୀ ଭାବେ ସେ ଯୋଗ ଦିଅନ୍ତି । ଛାତ୍ରାବସ୍ଥାରୁ ହିଁ ଇଂରାଜୀ ଭାଷା ପ୍ରତି ଅହେତୁକ ଦୁର୍ବଳତା ରଖି ଆସୁଥିବା ଶ୍ରୀନିବାସ ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳରେ ଟ୍ୟୁସନ୍, କୋଚିଂ ଜରିଆରେ ନିଜର ଅଧ୍ୟବସାୟକୁ ଅବ୍ୟାହତ ରଖିଆସୁଥିଲେ । ତେବେ ନିଜର ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ଭିତରେ ଅବସର ସମୟକୁ ସେ ସ୍ଵାସ୍ଥ୍ୟ, ଆଧ୍ୟାତ୍ମିକତା, ଜୀବନର ଉଦ୍ଦେଶ୍ୟ ତଥା ପ୍ରେରଣା ଦାୟକ ବିଭିନ୍ନ ପ୍ରକାରର ନୀତିବାଣୀ ଲେଖି ଅନେକ ଇଂରାଜୀ ଖବରକାଗଜ ତଥା ତେଲୁଗୁ ଖବର କାଗଜରେ ପ୍ରକାଶ କରି ଆସୁଥିଲେ। ଇତି ମଧ୍ୟରେ ଚେନ୍ନାଇ ସ୍ଥିତ ନୋସନ୍ ପ୍ରେସ୍ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼ ଶ୍ରୀନିବାସଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟାକୁ ସାଧୁବାଦ୍ ଜଣାଇ ଏକ ସଙ୍କଳନ ପ୍ରକାଶ କରିବା ନିମନ୍ତେ ସେମାନଙ୍କ ସଂସ୍ଥା ପକ୍ଷରୁ ଆଗ୍ରହ ପ୍ରକାଶ କରିଥିଲେ । ଫଳରେ ଶ୍ରୀନିବାସ ନିଜର ନୀତିବାଣୀ ଓ ଲୋକଶିକ୍ଷାକୁ ନେଇ ଏକ ସଂକଳନ ଲେଖିଛନ୍ତି ଯାହା “My Thoughts Are Pearls For You” ପୁସ୍ତକ ଜରିଆରେ ପ୍ରକାଶିତ ହୋଇଛି । ଲେଖକଙ୍କ କହିବା ମୁତାବକ ଏହି ପୁସ୍ତକ ଭାରତ ସମେତ ଅନ୍ୟ ସାତୋଟି ଦେଶରେ ଉନ୍ମୋଚିତ ହେବାର ଅବସର ପାଇଥିବା ବେଳେ ଆମ ଦେଶର ଆମାଜନ୍, ଫ୍ଲିପକାର୍ଟ ଭଳି ଅନଲାଇନ୍ ବ୍ୟବସାୟ ସଂସ୍ଥା ଗୁଡ଼ିକରେ ମଧ୍ୟ ଏହି ପୁସ୍ତକ ବିକ୍ରୟ ଜାରି ରହିଛି । ପୁସ୍ତକକୁ ନେଇ ଲେଖକ କୁହନ୍ତି ଯେ, ଏହି ପୁସ୍ତକଟି ମାନବ ଜୀବନର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତଥା ବିଭିନ୍ନ ବୟସ ବର୍ଗର ପାଠକ ପାଠିକା ମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଥିବା ସହ ପୁସ୍ତକରେ ରହିଥିବା ଆଧ୍ୟାତ୍ମିକତା ଓ ମାନବିକତାର ଛାପ ସମସ୍ତଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ ପାରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଆଗାମୀ କିଛି ଦିନ ମଧ୍ୟରେ “The Ultimate Wisdom” ନାମକ ଏକ ନୂତନ ପୁସ୍ତକ ପ୍ରକାଶ ପାଇବାକୁ ଯାଉଥିବା ମଧ୍ୟ ସେ କହିଛନ୍ତି ।

ତେବେ ତଳ ଶ୍ରେଣୀର ଜନୈକ କର୍ମଚାରୀଙ୍କ ଏଭଳି ଉଦ୍ୟମକୁ ସହକର୍ମୀ ବନ୍ଧୁ ଏବଂ ପରିବାର ବର୍ଗରେ ଖୁବ୍ ଗ୍ରହଣୀୟତା ଦିଆଯାଇଥିବା ସ୍ଥଳେ ସ୍ଥାନୀୟ ଅଞ୍ଚଳରେ ତାଙ୍କ ହିତାକାଙ୍କ୍ଷୀ, ଶୁଭେଚ୍ଛୁ ଏବଂ ବୁଦ୍ଧିଜୀବି ମହଲରୁ ପ୍ରଶଂସାର ସୁଅ ଛୁଟିଛି। ତେବେ ଶ୍ରୀନିବାସଙ୍କ ଏଭଳି ପ୍ରଚେଷ୍ଟାକୁ ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ଏବଂ ସହଯୋଗ ମିଳି ପାରିଲେ ପରବର୍ତ୍ତୀ ସମୟରେ ଶ୍ରୀନିବାସଙ୍କ ଭଳି ଅନେକ ପ୍ରତିଭା ବଣରେ ଫୁଟି ବଣରେ ହିଁ ମାଉଳିଯିବାରୁ ବଞ୍ଚି ଯାଇପାରିବେ ବୋଲି ସମାଜସେବୀ ରାଧାକାନ୍ତ ମଣ୍ଡଳ ମତଦେଇଛନ୍ତି।

nis-ad
Leave A Reply

Your email address will not be published.