ସାପ କାମୁଡ଼ାରେ ମା ଓ ଝିଅ ମୃତ୍ୟୁ ଘଟଣାର ନୂଆଁ ମୋଡ : ଚରିତ୍ରକୁ ସନ୍ଦେହ କରି ପତ୍ନୀ ଓ ଦୁଇ ବର୍ଷର ଛୁଆ କୁ ହତ୍ୟା କରିଥିଲା ସ୍ୱାମୀ…


ବିଷଧର ସାପର ବ୍ୟବହାର କରି ହତ୍ୟାକାଣ୍ଡ ରୁ ଖସି ଯିବାକୁ କରିଥିଲା ଷଡ଼ଯନ୍ତ୍ର

ବ୍ରହ୍ମପୁର , ୨୩/୧୧(): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ଏକ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରୁ ନିଜକୁ ବଞ୍ଚାଇବା ପାଇଁ ବିରାଟ ବଡ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ। ଘଟଣାର ପ୍ରାୟ ଦେଢ ମାସ ପରେ ଘଟଣାର ପର୍ଦ୍ଦାଫାଶ କରିଛି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ ଓ ତାଙ୍କ ଟିମ୍। ପତ୍ନୀର ଚରିତ୍ର କୁ ସନ୍ଦେହ କରି ସ୍ବାମୀ ନିଜ ସ୍ତ୍ରୀ ଓ ୨ ବର୍ଷର ଝିଅକୁ ବିଷଧର ସାପକୁ ବ୍ୟବହାର କରି ହତ୍ୟା କରିଥିଲା । ଶେଷରେ ପୋଲିସ ର ତଦନ୍ତରୁ ଖସି ପାରିଲା ନାହିଁ ଅଭିଯୁକ୍ତ। ଗୁରୁବାର ଏହି ମାମଲାରେ କବିସୂର୍ଯ୍ୟନଗର ଥାନା ଅଢେଇବରଗାଁର ଅଭିଯୁକ୍ତ ସ୍ବାମୀ କେ. ଗଣେଶ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଅଢେଇବରଗାଁର ବି. ଖଲି ପାତ୍ରଙ୍କ ଦ୍ଵିତୀୟ ଝିଅ ବାସନ୍ତୀ ପାତ୍ରଙ୍କ ସହ କବିସୂର୍ଯ୍ୟନଗର ଥାନା ଅଢେଇବରଗାଁର କେ. ଧନୁ ପାତ୍ରଙ୍କ ସାନ ପୁଅ କେ. ଗଣେଶ ପାତ୍ରଙ୍କ ସହ ୨୦୨୦ ମସିହାରେ ବାହାଘର ହୋଇଥିଲା । ଗତ ବର୍ଷ କୌଣସି କାରଣରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ବାସନ୍ତୀ, ସ୍ବାମୀଙ୍କ ବିରୋଧରେ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ମାମଲାରେ ଗଣେଶ ଥାନାରୁ ଲିଖିତ ପ୍ରତିଶ୍ରୁତି ଦେବା ସହ ଜାମିନରେ ଘରକୁ ଫେରିଥିଲେ । ଏହାପରେ ଉଭୟ ଗତ କିଛି ମାସ ହେଲା ପୁଣି ଏକାଠି ଗଣେଶଙ୍କ ଘରେ ମିଶି ରହୁଥିଲେ। ବିଭିନ୍ନ ସମୟରେ ଗଣେଶ ଉକ୍ତ କେଶ କୁ କାଟିବା ପାଇଁ ବାସନ୍ତୀଙ୍କ ଉପରେ ଚାପ ପକାଇବ ସହ ତାଙ୍କୁ ଓ ତାଙ୍କର ୨ ବର୍ଷର ଝିଅ କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ଗତ ଅକ୍ଟୋବର ୭ ତାରିଖ ଭୋର ସକାଳ ୫ଟା ସମୟରେ ଗଣେଶ ଜୋରରେ ନିଜ ଘରେ ପାଟି କରିବାରୁ ସମସ୍ତ ସାହି ବାସିନ୍ଦା ଘର ସମ୍ମୁଖରେ ଏକାଠି ହୋଇଥିଲେ। ଏହି ସମୟରେ ବାସନ୍ତୀଙ୍କ ବାପା ଖଲି ପାତ୍ର ଘର ଭିତରକୁ ଯାଇ ଦେଖିବା ସମୟରେ ଗଣେଶ ହାତରେ ବାଡ଼ି ଟିଏ ଧରି ଗୋଟିଏ ବିଷଧର ନାଗସାପକୁ ମାରିଥିବା ଦେଖିବାକୁ ପାଇଥିଲେ । ଉଭୟ ମା ଓ ଝିଅକୁ ସାପ କାମୁଡ଼ାରେ ଆହତ ହୋଇ ସଂଜ୍ଞାହୀନ ହୋଇପଡ଼ିଥିବାରୁ ପରିବାର ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କବିସୂର୍ଯ୍ୟନଗର ପୁଲିସ ହିଞ୍ଜିଳିକାଟୁ ଡାକ୍ତରଖାନାରେ ପହଞ୍ଚି ୨ଟି ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିଲା । ଗତ ୧୨ ତାରିଖରେ ମୃତକଙ୍କ ବାପା ଖଲି ପାତ୍ର ନିଜ ଝିଅ ଓ ନାତୁଣୀ କୁ ହତ୍ୟା କରାଯାଇଥିବା ନେଇ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ କବିସୂର୍ଯ୍ୟନଗର ଥାନାର କେସ ନଂ – ୬୧୫/୨୩ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଜଣଙ୍କ ପୋଲସରା ଥାନା ଅନ୍ତର୍ଗତ ମୂକ୍ତାମାଳଦେଇପୁରଶାସନ ଗ୍ରାମର ଜଣେ ସାପ ଧରାଳି ଠାରୁ ସାପ ଆଣି ନିଜେ ପତ୍ନୀ ଓ ୨ ବର୍ଷର ଶିଶୁ କନ୍ୟା କୁ କାମୁଡେଇ ମାରିଥିବା ସ୍ବୀକାର କରିଥିବା ଥାନା ଅଧିକାରୀ ପ୍ରଭାତ ସାହୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସଂପୃକ୍ତ ଘଟଣାର ତଦନ୍ତ ପାଇଁ ପୋଲିସ ସ୍ନେକ ହେଲ୍ପ ଲାଇନର ସହାୟତା ନେଇଥିଲେ। ଗତ ରବିବାର ଦିନ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ଦକ୍ଷିଣ ଓଡ଼ିଶା ସଂଯୋଜକ ସ୍ଵାଧୀନ କୁମାର ସାହୁ ସମେତ ୫ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିଲେ। ଏହାପରେ ଏକମାସ ଧରି ଶିଥିଳ ପଡିଥିବା ମାମଲାଟି ଆଗକୁ ବଢିଥିଲା। ଗୁରୁବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେ.ଗଣେଶ ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ସ୍ନେକ ହେଲ୍ପ ଲାଇନ ସବୁବେଳେ ଆଇନ କୁ ସମ୍ମାନ ଦେଉଛି ଏବଂ ଆଇନର ସହାୟତା କରିବାକୁ ପ୍ରସ୍ତୁତ ରହିଥିବା ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.