ଟ୍ରକ ଧକ୍କାରେ ଗୁରୁତର ମିଶନ ଶକ୍ତି ମହିଳା ମୃତ : ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ମିଶନ ଶକ୍ତି ମହିଳାଙ୍କୁ ବୀମା ପ୍ରଦାନ ଦାବୀ…

ଦେବଗଡ,୨୧୧୧, ଗତ ଶୁକ୍ରବାର ଦିନ ତିଲେଇବଣି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇଥିବା ମିଶନ ଶକ୍ତିର ଜଣେ ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାକୁ କେନ୍ଦ୍ର କରି ଦେବଗଡ ଜିଲା ମିଶନ ଶକ୍ତିର ମହିଳା ମାନେ ଆଜି ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ମୃତ ମହିଳାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ମହିଳା ମାନଙ୍କ ସୁରକ୍ଷା ପାଇଁ ୫୦ ଲକ୍ଷ ଟଙ୍କାର ସରକାରୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରିଛନ୍ତି । ଆଜି ଅପରାହ୍ନରେ ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ବହୁ ମହିଳା ରୀନା ଦ୍ୱିବେଦୀ ଓ ଦେବଗଡ ପୌର ପରିଷଦ ୧୦ ନମ୍ବର ୱାର୍ଡର କାଉନଶିଲର ଈତିଶ୍ରୀ ମିଶ୍ରଙ୍କ ସହିତ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏମର୍ମରେ ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏଥିସହ ଦାବୀ ପୂରଣ କରାନଗଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ତିଲେଇବଣି ବ୍ଲକ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶ କ୍ରମେ ଲଇମୁରା ପଂଚାୟତରେ ଏମ୍‌ବିକେ ଭାବେ କାର୍ଯ୍ୟରତ ସାଲୋହି ଗ୍ରାମର ଯୋଶବନ୍ତୀ କିସାନ ଗତ ଶୁକ୍ରବାର ବ୍ୟାଙ୍କ ଋଣ ସମ୍ବନ୍ଧିତ ବୈଠକରେ ଯୋଗ ଦେବା ପାଇଁ ଆସିଥିଲେ । ବୈଠକ ସାରି ଯୋଶବନ୍ତୀ ତାଙ୍କ ସ୍ୱାମୀ ସନ୍ତୋଷ କିସାନଙ୍କ ସହ ଏକ ସ୍କୁଟର ଯୋଗେ ଘରକୁ ଫେରୁଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ଟ୍ରକ ତିଲେଇବଣୀ ଛକ ନିକଟରେ ଧକ୍କା ଦେବାରୁ ଯୋଶବନ୍ତୀ ଓ ତାଙ୍କ ସ୍ୱାମୀ ସନ୍ତୋଷ ରାସ୍ତା ଉପରକୁ ଛିକିଟି ପଡିବା ସହ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଉଦ୍ଧାର କରାଯାଇ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଯୋଶବନ୍ତୀଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା । ମାତ୍ର ପରିବାର ଲୋକ ସମ୍ବଲପୁର ଜିଲାର ଏକ ଘରୋଇ ଡାକ୍ତରଖାନାରେ ଯୋଶବନ୍ତୀଙ୍କ ଚିକିତ୍ସା କରାଉଥିବା ବେଳେ ଗତକାଲି ରାତି ପ୍ରାୟ ସାଢେ ୯ ଟା ସମୟରେ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ମିଶନ ଶକ୍ତି ମହିଳାଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇବା ସହ ମୃତ ମହିଳାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଗୋଷ୍ଠି ସହାୟିକା, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କ ମିତ୍ର, ଜୀବିକା ସହଯୋଗୀ ଓ ଦକ୍ଷ ଖାତା ପତ୍ର ଲେଖାଳୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ୫୦ଲକ୍ଷ ଟଙ୍କାର ସରକାରୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଆଜି ଉପରୋକ୍ତ ଦାବୀ ଉପସ୍ଥାପନ କରାଯାଇଥିଲା ।

nis-ad
Leave A Reply

Your email address will not be published.