ବିଜେଡ଼ି ସରକାର ବିରୁଦ୍ଧରେ ୧୪ ରୁ ୧୮ ଯାଏଁ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି…

Screenshot-2023-11-13-181414

ନୂଆପଡ଼ା: ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ଆସନ୍ତାକାଲି ଅର୍ଥାତ୍ ୧୪ ରୁ ୧୮ ତାରିଖ ଯାଏଁ ସମଗ୍ର ରାଜ୍ୟରେ ବିଜେଡ଼ି ସରକାର ବିରୁଦ୍ଧରେ ଆନ୍ଦୋଳନ। ବିଭିନ୍ନ ପ୍ରସଙ୍ଗ ଉଠାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ବିଜେପି। ଏନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ଶ୍ରୀଜି ମଣ୍ଡପଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା।

୨୩ ବର୍ଷର ସ୍ଥାଣୁ, ଅପାରଗ, ନିଷ୍କ୍ରିୟ, ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ, କୁଶାସନ ଗ୍ରସ୍ତ ରାଜ୍ୟ ସରକାର ବିରୁଦ୍ଧରେ ସମସ୍ତ ୩୧୪ ବ୍ଲକ ଘେରାଉ କରି ଜୋରଦାର ଲଢେଇ ଆରମ୍ଭ କରାଯିବ। ଓଡ଼ିଶାରେ ବର୍ଷକୁ ଏକ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି, ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପଞ୍ଚାୟତ, ବ୍ଲକ, ଜିଲ୍ଲା, ଥାନା, ଆର.ଆଇ ଭଳି କାର୍ଯ୍ୟାଳୟ ଗୁଡିକରେ ବ୍ୟାପକ ଦୁର୍ନୀତି ହେବା ସହିତ ବିଜେଡିର ଦଳୀୟ କାର୍ଯ୍ୟାଳୟ ପରି ବ୍ୟବହାର ହେବାର ଅଭିଯୋଗ ବାଢିଥିଲେ ଶ୍ରୀ ପଣ୍ଡା। ନବୀନ ଓଡିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ନାମରେ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଅର୍ଥ ଓ ପଞ୍ଚାୟତକୁ ପ୍ରଦତ୍ତ କ୍ଷମତାକୁ ରାଜ୍ୟ ସରକାର ହରଣଚାଲ କରି ୫୦% ର ଦୁର୍ନୀତି ମାଧ୍ୟମରେ ଆଦାୟ ଅର୍ଥରେ ନିର୍ବାଚନ ଲଢ଼ି ଜିତିବା ପାଇଁ ହୀନ ଉଦ୍ୟମ କରୁଛି। ତେଇଶ ବର୍ଷର ଶାସନରେ ଓଡିଶା ଯଦି କଣ ପାଇଛି, ତାହା ହେଉଛି ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ବିରୋଧୀ ହିଂସା ଓ ଏକ ଅଗଣତନ୍ତ୍ରିକ ଓ ଅଣ ରାଜନୈତିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥା।

ରାଜ୍ୟରେ ପଞ୍ଚାୟତରୁ ନେଇ ବ୍ଲକ, ତହସିଲ, ଜିଲ୍ଲାପାଳ ଅଫିସଠାରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ଖୁଲମଖୁଲା ଦୁର୍ନୀତି ଚାଲିଛି। ସେହିଭଳି ଧାନ ମଣ୍ଡି, ବିଜୁଳି ବିଭାଗରେ ଟାଟା କମ୍ପାନୀର ଦୌରାତ୍ମ୍ୟ, ଜିଲ୍ଲାର ଦାଦନ ସମସ୍ୟା, ବକେୟା ଫସଲ ବିମା ପ୍ରଦାନ ଓ ଏଥିରେ ହୋଇଥିବା ଦୁର୍ନୀତିର ତଦନ୍ତ, ମକା ମଣ୍ଡି ଓ କପା ମଣ୍ଡି ଖୋଲିବା ପାଇଁ ବ୍ୟବସ୍ଥା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ରାଜ୍ୟ କେଡର ହଟେଇ ଜିଲ୍ଲା କେଡର କରିବା ଭଳି ଦାବି ରହିଛି। ସେହିପରି ଜିଲ୍ଲାରେ ବିଫଲଗାମୀ ମନରେଗା ଯୋଜନାର ଦୁର୍ନୀତି ବନ୍ଦ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ନିର୍ମାଣ ଶ୍ରମିକଙ୍କ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା, ଖାଲି ଥିବା ସମସ୍ତ ଡାକ୍ତର ପଦବୀ ପୁରଣ କରିବା, ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇବା, ବେନିୟମ ଭାଟି କୋଠି ବନ୍ଦ କରିବା, ସମସ୍ତ ଦରଖାସ୍ତକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗେଇବା ଇତ୍ୟାଦି ଦାବି ରହିଛି।

ଉକ୍ତ ଦାବି ନେଇ ନୂଆପଡାରେ ଆନ୍ଦୋଳନ ହେବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀଙ୍କ ସହ ଉପସ୍ଥିତ ବିଜେପି ନେତା ଓ କର୍ମୀ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶ୍ରୀ ଠାକୁର ଓ ପୂର୍ବ ବିଧାୟକ ହିତେଶ ବଗର୍ତ୍ତି, ଦେବଦେବ ସିଂ ଦେଓ, ମୋହନ ଭୋଇ, ଦେବଦତ୍ତ ଯୋଶୀ, ସୁକୃ ବାଗ ପ୍ରମୁଖ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.