ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ରୋଜଗାର ଭିତ୍ତିକ କାର୍ଯ୍ୟ ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଉଦଘାଟନ…

  • ପ୍ରଥମ ଦିନରେ ତାଲିମ ନେଲେ ୨୯୮ ଜଣ ବନ ସୁରକ୍ଷା ସମିତି ସଭ୍ଯ/ସଭ୍ୟା
  • ଚାରୋଟି ପର୍ଯ୍ୟାୟରେ ତାଲିମ ନେବେ ୬୩୯ ଜଣ ଏସଏଚଜି ଓ ସିଆଇଜି ସଭ୍ଯ/ସଭ୍ୟା

ସୁନ୍ଦରଗଡ – ୧୩/୦୮/୨୩ ବିକଳ୍ପ ଜୀବିକା ତଥା ନୂତନ ରୋଜଗାର ସୃଷ୍ଟି ପୂର୍ବକ ଗାଁ ଗାଁ ରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ନୂତନ ଜଙ୍ଗଲ ସୃଷ୍ଟି କରିବା, ଉଜୁଡା ଜଙ୍ଗଲର ପୁନରୁଦ୍ଧାର ତଥା ତୃଣମୂଳ ସ୍ତରରେ ଲୋକଙ୍କୁ ଏକତାବଦ୍ଧ କରି ଗ୍ରାମ୍ୟ ସ୍ତରୀୟ ବିକାଶ ଯୋଜନା ପ୍ରସ୍ତୁତ କରିବା, ପ୍ରତ୍ଯେକ ବର୍ଗର ଲୋକଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରିବା ତଥା ସଂଗଠନ ସୁଦୃଢୀକରଣ ଉପରେ ଦୀର୍ଘ ୫ ବର୍ଷ ଧରି ସୁନ୍ଦରଗଡ ବନଖଣ୍ଡର ୧୫୬ ଟି ବନ ସୁରକ୍ଷା ସମିତିରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟରତ। ଏହି ପରିପ୍ରେକ୍ଷୀରେ ଉଜ୍ଜଳପୁର ବନାଞ୍ଚଳର ଉଜ୍ଜଳପୁର ବନ ଚେତନା କେନ୍ଦ୍ର ଠାରେ ଆଜି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ରୋଜଗାର ଭିତ୍ତିକ କାର୍ଯ୍ୟ ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଉଦଘାଟନ ହେଇଯାଇଛି । ଆଜି ଉଦଘାଟନୀ ଦିବସରେ ୨ ଟି ବ୍ୟାଚରେ ୧୪ ଟି ବନ ସୁରକ୍ଷା ସମିତିର ୨୯୮ ଜଣଙ୍କୁ “ ପନିପରିବା ଚାଷ” ଉପରେ ତାଲିମ ପ୍ରଦାନ କରାଯାଇଛି। ପ୍ରଥମ ବ୍ୟାଚରେ କଟ୍ରା-ବୁଡାବାହାଲ, କଟ୍ରା-ଲିମ୍ଡ଼ିହୀ, କନକଜୋରା-ଚାରପଡା, ପଟେଲପଡା, ତିନିକୁଡା, ତସୁପଡା ଓ ଫୁଲ୍ଧୁଡି ବନ ସୁରକ୍ଷା ସମିତିର ୧୪୨ ଜଣ ତଥା ଦ୍ଵିତୀୟ ବ୍ୟାଚରେ ଗମ୍ଭାରିଡ଼ିହି-ବଡବାହାଲପଡା, ସାଗରପାଲି, ଝୁରିମାଲ, ଦିଆମୁଣ୍ଡା, ବାଲିଜୋରି, ମେଘଡେଗା ଓ ତୁରୁଙ୍ଗାଗଡ ବନ ସୁରକ୍ଷା ସମିତିର ୧୫୬ ଜଣ ସଭ୍ଯ/ସଭ୍ୟାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବରେ କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡର ବରିଷ୍ଠ ବୈଜ୍ଞାନିକ ଡ. ମନୋଜ କୁମାର ଜେନା ଯୋଗଦାନ କରି ପନିପରିବା ଚାଷ ଉପରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅନ୍ଯତମ ପ୍ରଶିକ୍ଷକ ଭାବରେ ତୁରୁଙ୍ଗାଗଡର ଦୁଇ ଜଣ ସଫଳ ଚାଷୀ ନବୀନ ଭୋଇ ଓ ଅନନ୍ତ ମାଝୀ ଯୋଗଦାନ କରି ପନିପରିବା ଚାଷରେ ନିଜର ଅନୁଭବ ସଙ୍ଗେ ସଙ୍ଗେ ଜୈବିକ ପଦ୍ଧତିରେ ପନିପରିବା ଚାଷ, ରୋଗ ପୋକ ନିୟନ୍ତ୍ରଣ, ଅନ୍ତଃ ଚାଷ ଉପରେ ବିସ୍ତ୍ରୁତ ଭାବରେ ତାଲିମ ପ୍ରଦାନ କରିଥିଲେ। ସହକାରୀ କ୍ଷେତ୍ର ପରିଚାଳନା ଏକକ ମୁଖ୍ୟ

ହେମବତୀ ସିଂହ ଯୋଗଦାନ କରି ଆବର୍ତ୍ତନ ପାଣ୍ଠିର ସୁପରିଚାଳନା ଦ୍ଵାରା ବହୁବିଧ ରୋଜଗାର ସୃଷ୍ଟି କରି ଜୀବିକାର ମାନରେ ଉନ୍ନତି ଆଣିବା ନିମନ୍ତେ ଆହ୍ଵାନ ଦେଇଥିଲେ। ସୁନ୍ଦରଗଡ ବନଖଣ୍ଡ ତରଫରୁ ବିଷୟଗତ ବିଶେଷଜ୍ଞ ଗୋପାଳ ଚନ୍ଦ୍ର ଶୁକ୍ଳଙ୍କ ନେତୃତ୍ବରେ ବନପାଳ ତଥା ଟିମ ଲିଡର ଦିଗାମ୍ବର ଉପାଧ୍ଯାୟ, ଏଫ.ଏମ.ୟୁ. ସଂଯୋଜକ ରାଜେଶ କୁମାର ମହାପାତ୍ର, ଉନ୍ନୟନ ଅଧିକାରୀ ହରିପ୍ରିୟା ନାଏକ ଓ ମନୋରଞ୍ଜନ ମଲ୍ଲିକ ତଥା ଡି.ଇ.ଓ. ଅର୍ପିତା ସରାଫ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବର୍ତ୍ତମାନର ସମୟରେ ପ୍ରାୟ ସମସ୍ତ ପନିପରିବାର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଏହି ପଦକ୍ଷେପ ତୃଣମୂଳ ସ୍ତରରେ ମହିଳାଙ୍କ ନିମନ୍ତେ ରୋଜଗାରର ଏକ ନୂତନ ଆଶା ସଂଚାର କରିବା ସଙ୍ଗେ ସଙ୍ଗେ ଅନେକ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି। ପ୍ରକୃତପକ୍ଷରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ର ଏହି ପଦକ୍ଷେପ ଆବର୍ତ୍ତନ ପାଣ୍ଠି ଉପରେ ବିଭିନ୍ନ ଗୋଷ୍ଠୀର ଆଗ୍ରହ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବିଭିନ୍ନ ରୋଜଗାରର ପନ୍ଥା ଯୋଗାଇବ ବୋଲି ଅଂଶଗ୍ରହଣକାରୀ ମାନେ ମତପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.