ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ମାଲକାନଗିରି (୦୬/୦୮) : ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଏଫଓ, ଶ୍ରୀ ପ୍ରତାପ କଟାପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ,ସାଧାରଣ, ଶ୍ରୀ ତ୍ରିନାଥ ମାଝୀ ଓ ଉପଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଉପସ୍ଥିତ ଥିଲେ। ଶ୍ରୀ ନାଏକ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଥିଲେ ଏବଂ ସେ ନିଜର ପ୍ରତିଟି ଦାୟିତ୍ଵକୁ ସୁଚାରୁ ରୁପେ ସମ୍ପାଦନ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଲକାନଗିରିରେ ଥିବା କାର୍ଯ୍ୟକାଳ ମଧ୍ୟରେ ଯେଉଁଭଳି ଭାବେ ମୋଟୁ ଅଞ୍ଚଳ ରେ ହୋଇଥିବା ବନ୍ୟା ପରିସ୍ଥିତି ହେଉ କିମ୍ୱା ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ୫ଟି ବିଦ୍ୟାଳୟ ସ୍ଥାପନ ଏବଂ ବିସିପି କ୍ଷେତ୍ରରେ କାର୍ଯ୍ୟ ନିର୍ବାହ କରିଥିଲେ ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ । ସୂଚନା ଥାଉ କି ଶ୍ରୀ ନାଏକ ଜୁଲାଇ ୨୦୨୩ ରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଜିଲ୍ଲାରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ସେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେବେ । ଏହି ଅବସରରେ ଓଡ଼ିଶା ପ୍ରଶାସନିକ ସେବା ଓ ଓଡିଶା ରାଜସ୍ବ ସେବା ସଂଘର ସଦସ୍ୟ ମାନେ ଶ୍ରୀ ନାଏକଙ୍କ କାର୍ଯ୍ୟ ଦକ୍ଷତା ସଂପର୍କରେ ମତବ୍ୟକ୍ତ କରିଥିଲେ। ଏହାପରେ ସ୍ମୃତି ସନ୍ତକ, ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ନାଏକଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ, ଶ୍ରୀ ନାଏକ ଜଣେ ଦକ୍ଷ ପ୍ରଶାସକ ଏବଂ ମେଳାପି ବ୍ୟକ୍ତି ଥିଲେ ବୋଲି ଉପଜିଲ୍ଲାପାଳ ଡଃ ଖେମୁଣ୍ଡୁ ମତବ୍ୟକ୍ତ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ସମସ୍ତ ବିଡିଓ , ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.