ଯଦି ଦଳ ଜିତେ, ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଘେଲଙ୍କ ନାମ ପ୍ରଥମେ ବିବେଚନା କରାଯିବ: ଟି.ଏସ୍ ସିଂହଦେଓ

ନୂଆଦିଲ୍ଲୀ: ଚଳିତ ବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ କଂଗ୍ରେସ-ବିଜେପି ଏବେଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏଥି ସହ ଉପମୁଖ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ମିଳିତ ନେତୃତ୍ୱ ଅଧୀନରେ କଂଗ୍ରେସ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଯଦି ଦଳ ଜିତେ, ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଘେଲଙ୍କ ନାମ ପ୍ରଥମେ ବିବେଚନା କରାଯିବ।
ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭୂପେଶ ବଘେଲ ଏବଂ ସିଂହଦେଓଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ସିଂହଦେଓ ୨୦୧୮ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଭୂପେଶ ବଘେଲଙ୍କୁ ବି‌ରୋଧ କରିବାକୁ ଯାଇ ସେ ନିଜ ସରକାର ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ। ବିବାଦ ମଧ୍ୟରେ ସିଂହଦେଓଙ୍କ ସମର୍ଥକ ଅଢ଼େଇ-ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବା ଫର୍ମୁଲା ଆପଣାଇବାକୁ ଦାବି କରିଥିଲେ। ଅର୍ଥାତ୍ ଏହି ଫର୍ମୁଲା ଲାଗୁ ହୋଇଥିଲେ ବଘେଲ ଅଢ଼େଇ ବର୍ଷ ଓ ସିଂହଦେଓ ଅଢ଼େଇ ବର୍ଷ ପ‌ାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥାନ୍ତେ। ହେଲେ ଦୀର୍ଘ ଦିନର ବିବାଦ ପରେ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ଘୋଷଣା କରିଥିଲା। ଏହା ପରେ ସିଂହଦେଓଙ୍କ ମନୋଭାବ ବଦଳିବା ସହ ସେ ବଘେଲଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଦଳ ଜିତିଲେ ବଘେଲ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ସିଂହଦେଓ।

nis-ad
Leave A Reply

Your email address will not be published.