ଜହ୍ନରେ କରିବା ଘର

ଜୟନ୍ତ ପଟ୍ଟନାୟକ

୨୦୧୯ ସେପ୍ଟେମ୍ବର ୨ ତାରିଖ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ISRO- Indian Space Research Organisa tion ସରକାରୀ ଭାବେ ଘୋଷଣା କଲା ଯେ ଭାରତର ୨ୟ,ଚନ୍ଦ୍ରଯାନ-୨,ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ‘ଲ୍ୟାଣ୍ଡର ବିକ୍ରମ’ ବିଫଳ ହୋଇଛି । ଇସ୍ରୋର ତତ୍କାଳୀନ ଅଧ୍ୟକ୍ଷ କେ.ଶିବନ ଏଇବିଫଳତାରେ ମର୍ମାହତ ହୋଇ କାନ୍ଦି ପକାଇଥିଲେ,ଉପସ୍ଥିତଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବନଙ୍କ ପିଠି ଥାପୁଡେଇ ଦେଇ ଆଲିଙ୍ଗନକରି କହିଥିଲେ,”ଆପଣମାନେ ଶେଷ ପର୍ଯ୍ୟନ୍ତ ନିଷ୍ଠାପର ଉଦ୍ୟମ କରିଛନ୍ତି, ମନ ଦୁଃଖ କରନ୍ତୁ ନାହିଁ,ଚନ୍ଦ୍ରଯାନ-ଦୁଇ,୭୦% ସଫଳହୋଇଛି,ଆମେମାନେ ଯୋଜନାନୁଯାୟୀ ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରିନାହେଁ । କିନ୍ତୁ ଯଥାସମ୍ଭବ ଚନ୍ଦ୍ରର ଅତି ନିକଟକୁ ଆପଣମାନେ ଯାଇ ପାରିଛନ୍ତି,ଧୈର୍ଯ୍ୟର ସହିତ ଆଉଥରେ ଆଗେଇ ଯାନ୍ତୁ,ସଫଳତା ନିଶ୍ଚିତ ମିଳିବ। ” ଏଇ ତ୍ରୁଟି ବିଚ୍ୟୁତିର ଗଭୀର ଅନୁଶୀଳନର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ୨୦୨୩ ଜୁଲାଇ୧୪ତାରିଖ ଦିବା ୨.୩୫ମିନିଟ ରେ ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ ହେଲା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ,ଇସ୍ରୋର ବାହୁବଳୀ ରକେଟ୍LVM (Launch Vehicle Mark)-lll ମାଧ୍ୟମରେ । କଠିନ ଓ ତରଳ ଇନ୍ଧନ ସହିତ ସଜ୍ଜିତ ଏହି ରକେଟ୍ ଅଧିକ କ୍ଷମତାର ପେଲୋଡ ପଠାଇବା ପାଇଁ ପ୍ରସିଦ୍ଧ । ହେଭି ଡ୍ୟୁଟି ବିଶିଷ୍ଟ ଏହି ରକେଟର ଏହା ୪ର୍ଥ ସଫଳ ଅଭିଯାନ,ଯାହା”ଫ୍ୟାଟ ବୟ”ଭାବେ ନାମିତ, ୧୩୦ଟି ହାତୀର ଓଜନ ସହିତ ସମାନ ଏହି ରକେଟର ପ୍ରକୃତ ଓଜନ ୬୪୨ ଟନ୍ ଓ ଉଚ୍ଚତା୪୩.୫ ମିଟର।ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପୁନଃବ୍ୟବହାର ଯୋଗ୍ୟ ଉତକ୍ଷେପଣ ରକେଟ୍,ଯାହା ଅନ୍ୟ ବିକଶିତ ଦେଶକୁ ମଧ୍ୟ ଆଶ୍ଚର୍ଯ୍ୟାନିତ୍ୱ କରିଥାଏ । ଏହାର କଠିନ ଇନ୍ଧନ ବୁଷ୍ଟରଗୁଡିକ ପ୍ରାରମ୍ଭିକ ଥ୍ରଷ୍ଟ ପ୍ରଦାନ କରୁଥିବାବେଳେ ତରଳ ଇନ୍ଧନ କୋର ଷ୍ଟେଜ୍ ରକେଟକୁ କକ୍ଷପଥରେ ପ୍ରଵେଶ କରାଇବା ପାଇଁ ସ୍ଥାୟୀ ଶକ୍ତି ପ୍ରଦାନ କରିବ।ଉତକ୍ଷେପଣ ର ୧୫ ମିନିଟପରେ ଚନ୍ଦ୍ରଯାନ-୩ ରକେଟରୁ ଅଲଗା ହୋଇଯାଇଥିଲା । ୨୨ଦିନର ଯାତ୍ରା ପରେ ୩.୮୪ ଲକ୍ଷ କି.ମି. ଅତିକ୍ରମକରି ଚନ୍ଦ୍ରଯାନ-୩ ଚନ୍ଦ୍ରକକ୍ଷରେ ପହଞ୍ଚିବ ଅଗଷ୍ଟ ୫ରେ।ଅତିସତର୍କତାର ସହିତ କରାଯାଇଥିବା ଯୋଜନା ଅନୁସାରେ ସବୁକିଛି ଯଦି ଠିକ୍ ଚାଲେ, ଲ୍ୟାଣ୍ଡର ବିକ୍ରମ(ସେହି ପୂର୍ବ ନାମ)ଚନ୍ଦ୍ରପୃଷ୍ଠରେ ଅବତରଣ କରିବାପରେ ‘ରୋଭର-ପ୍ରଜ୍ଞା’ ଏହାର ଵିଭିନ୍ନ ରହସ୍ୟଭେଦ କରିବା ପାଇଁ ତଥ୍ୟ ସଂଗ୍ରହ କରିବ । ଏହି ତଥ୍ୟର ବ୍ୟାପକ ପରୀକ୍ଷା ନିରୀକ୍ଷା ହେବ ଏବଂ ଚନ୍ଦ୍ରର ରହସ୍ୟଭେଦ କରିବା ପାଇଁ ଏହା ନିର୍ଣ୍ଣାୟକ ହେବ ।
ପ୍ରଣିଧାନର ବିଷୟ ୧୯୬୯ରେ ଇସ୍ରୋ ଗଠନ ହେବାପରେ ୧୯୭୫ରେ ଭାରତର ୧ମ ସ୍ବଦେଶୀ ଉପଗ୍ରହ ଆର୍ଯ୍ୟଭଟ୍ଟ, ଥୁମ୍ବା (କେରଳ), ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରୁ ଛଡାଯାଇଥିଲା ।ମାତ୍ର ବିଡ଼ମ୍ବନାର ବିଷୟ କ’ଣ ଜାଣନ୍ତି,ଦେଶର ପ୍ରଥମ ରକେଟ୍, ନାସା ପ୍ରଦତ୍ତ, ‘ନାଇକ-ଆପାଚେ,ସାଉଣ୍ଡ ରକେଟ୍’ ସାଇକେଲରେ(୧୯୬୩,ସେତେବେଳେ ପ୍ରାକ୍ତନ ଲୋକଙ୍କ ରାଷ୍ଟ୍ରପତି,ପ୍ରାତଃ ସ୍ମରଣୀୟ ଡଃ କଲାମ ଜଣେ ଯୁବ ମହାକାଶ ବିଜ୍ଞାନୀ) ଉତକ୍ଷେପଣ ନିମନ୍ତେ ଓ ପରେ ଶଗଡ଼(କୌଣସି ଚୁମ୍ବକୀୟ କ୍ଷେତ୍ରର ପ୍ରଭାବମୁକ୍ତ) ରେ, ୧୯୮୧- APPLE, ଉତକ୍ଷେପଣ କେନ୍ଦ୍ରକୁ ପଠାଯାଇଥିଲା, କାରଣ ସେତେବେଳକୁ,୧୯୬୩ ଥୁମ୍ବାକୁ ଭଲ ରାସ୍ତା ନଥିଲା ଏକଥା ଜାଣିଲେ ଯେକେହି ହସିବା ସ୍ବାଭାବିକ,କାରଣ ମହାକାଶକୁ ରକେଟ ଉତକ୍ଷେପଣ,ତା ପୁଣି ଶଗଡ଼ ଏବଂ ସାଇକେଲରେ ପରିବହନ ।ଏକଥାରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା,ନାସା ହସିଥିଲା,କିନ୍ତୁ ଭାରତୀୟ ମହାକାଶ ଗବେଷଣାର ନିରନ୍ତର ଓ ଉତ୍କର୍ଷ ସଫଳତାରେ ସେଇ ନାସା ଏବେ ମହାକାଶ ଗବେଷଣାରେ ଇସ୍ରୋର ସହଭାଗିତା ଚାହୁଁଛି।ସେତିକିରେ କଥାସରିନି,ଚଳିତ ଚନ୍ଦ୍ରଯାନ-୨ ଉତକ୍ଷେପଣ ପରିପ୍ରେକ୍ଷୀରେ ନାସା ଏକ”ପାସିଭ ଲେଜର ରିଟ୍ରୋଫ୍ଲେକଟର ଆରେ” ପ୍ରଦାନ କରିଛି ଚନ୍ଦ୍ରର ଲେଜର ପରିସର ଅନୁସନ୍ଧାନ ପାଇଁ ‌।କେବଳ ସେତିକି ନୁହେଁ,ନାସା ମୁଖ୍ୟ ବିଲ ନେଲସନ ଏହି ଅଭିଯାନ ନିମନ୍ତେ ଇସ୍ରୋକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ- ଛନ୍ତି ।ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବାବେଳେ ଚନ୍ଦ୍ରପୃଷ୍ଠରେ ମାନବୀୟ ଓ ରୋବୋଟିକ୍ ଅନୁସନ୍ଧାନ ପାଇଁ ନାସା ନେତୃତ୍ଵାଧୀନ”ଆର୍ଟେମିସ ଆକର୍ଡସ”ରେ ସ୍ବାକ୍ଷର କରିଥିଲେ,ଏହିଚୁକ୍ତିରେ ଭାରତ ତା’ର ନେତୃତ୍ୱ ପ୍ରଦର୍ଶନକରୁଛି ବୋଲି ନାସା ମୁଖ୍ୟ କହିଛନ୍ତି ଏଇଅବସରରେ।ଭାରତର ଏଇସାଫଲ୍ୟରେ ରାଷ୍ଟ୍ରପତି,ଉପ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଓ ଅନେକ ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବାରେ ଅଦ୍ୟାବଧି ୩ଟି ଦେଶ ସଫଳ ହୋଇ- ଛନ୍ତି,ଆମେରିକା,ଋଷିଆ ଓ ଚୀନ୍,କେବଳ ଚୀନ ପ୍ରଥମ ଉଦ୍ୟମରେ ସଫଳ ହୋଇଥିଲା । ଏହି ମହତ୍ତ୍ଵାକାଂକ୍ଷୀ ତଥା ଗୌରଵାବହ ଅଭିଯାନରେ ସଫଳ ହେଲେ ଭାରତ ଏହି କ୍ଲବ
(ଅନ୍ତରୀକ୍ଷ କ୍ଲବ)ର ୪ର୍ଥ ସଦସ୍ୟ ହେବ । ଏହି ମିସନକୁ ଭାରତର ଭୂ-ରାଜନୈତିକ ଉଚ୍ଚା- ଭିଳାଷର ଏକ ଅଂଶଭାଵେ ଦେଖାଯାଉଛି।ଇସ୍ରୋର ୨ୟ ଚନ୍ଦ୍ର ଅଭିଯାନ ଶେଷ ମୁହୂର୍ତ୍ତରେ ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧କି.ମି.ଦୂରରୁ ବିଫଳ ହେବାରୁ ବୈଜ୍ଞାନିକଗଣ ବହୁତକିଛି ଶିଖିଛନ୍ତି, ସେଥିପାଇଁ ଚଳିତଥର ଲ୍ୟାଣ୍ଡରରୁ ରୋଭରର ସଫ୍ଟଲ୍ୟାଣ୍ଡିଙ୍ଗ୍ ବାକୋମଳ(ମୃଦୁ)ଅବତରଣ ସକାଶେ ବହୁତକିଛି ପଦକ୍ଷେପ ନିଆଯାଇଛି ।ଥ୍ରଷ୍ଟ କନଫିଗ୍ୟୁରେସନ,ଲ୍ୟାଣ୍ଡିଙ୍ଗ ଗାୟନ ଏବଂ କମ୍ପ୍ୟୁଟର ସଫ୍ଟୱେର ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି,୨ୟ ଥର ଅପେକ୍ଷା ଲ୍ୟାଣ୍ଡିଙ୍ଗ ସ୍ଥାନକୁ ଅଧିକ ବ୍ୟାପକ କରାଯାଇଛି।ଇସ୍ରୋର ପ୍ରାକ୍ତନ ଅଧ୍ୟକ୍ଷ ମାଧବନ୍ ନାୟାର କହିଛନ୍ତି ଚନ୍ଦ୍ରଯାନ-୩ ସଫଳ ହେବାର ଆଶା ଅଧିକ।ଚନ୍ଦ୍ରଯାନ-୩ର ନିରାପଦ ଓ ସ୍ବାଭାବିକ ଅବତରଣ ଉପରେ ଏବେ ସମଗ୍ରବିଶ୍ୱର ନଜର । ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରପୃଷ୍ଠରେ ଗୋଟିଏ ଅହୋରାତ୍ର କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି,ଯାହା ପୃଥିବୀରେ ପ୍ରାୟ ୧୪ଦିନ ସହ ସମାନ । ଚନ୍ଦ୍ରଯାନ-୩ ର ବଜେଟ୍ ପ୍ରାୟ ୬୧୫ କୋଟି ଯାହା ଅନ୍ୟ ଦେଶ ତୁଳନାରେ ଅନେକ ପରିମାଣରେ ଖର୍ଚ୍ଚସାଶ୍ରୟୀ । ଚନ୍ଦ୍ରଯାନ-୨ରେ ୬୦୩ କୋଟି ଖର୍ଚ୍ଚହୋଇ ଥିଲା,ଉତକ୍ଷେପଣର ଖର୍ଚ୍ଚ ୩୭୫କୋଟି ବ୍ୟତୀତ ଉଲ୍ଲେଖଯୋଗ୍ୟ, ଭାରତରେ ନିକଟ ଅତୀତରେ ରିଲିଜ୍ ହୋଇଥିବା ବଲିଉଡ୍ ସିନେମା ‘ଆଦିପୁରୁଷ’ର ବଜେଟ ୭୦୦ କୋଟି ।
ସେଇ ସମାନ କାମକୁ ଭାରତରେ କିପରି ଏତେ କମ୍ ଖର୍ଚ୍ଚରେ କରାଯାଇପାରୁଛି,ଏଥିରେ ଆମେରିକା,ଜାପାନ ଆଦି ଦେଶ ବିସ୍ମୟ-ପ୍ରକଟ କରିଛନ୍ତି।ଏଇ ହେତୁରୁ ଇସ୍ରୋକୁ ଅନେକ ଦେଶର ଉପଗ୍ରହ ଉତକ୍ଷେପଣର ଅର୍ଡର ମିଳୁଛି ଓ ଏସଵୁଥିରେ ସଫଳ ରେକର୍ଡ କରି ଇସ୍ରୋର ଆୟରେ ଯଥେଷ୍ଟ ବୃଦ୍ଧି ଘଟିଛି ।ନିକଟ ଅତୀତରେ ଇସ୍ରୋ ଏକାଦିକ୍ରମେ ୧୦୪ଟି ଉପଗ୍ରହ ଉତକ୍ଷେପଣ(୨୦୧୭)ର ବିରଳ ସଫଳତା ଲାଭ କରିଥିଲା,ପୂର୍ବରୁ ମହାକାଶରେ “ଆଣ୍ଟି ସାଟେଲାଇଟ ଟେଷ୍ଟିଙ୍ଗ୍” କରି ଇତିହାସ ରଚିସାରିଛି ।
ଆଜିପର୍ଯ୍ୟନ୍ତ କୌଣସି ଦେଶ ଅବତରଣ କରିନଥିବା ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଅବତରଣ କରିବାର ସ୍ଥିର କରାଯାଇଛି।ଚନ୍ଦ୍ରଯାନ-୩ରେ ଏକ ପ୍ରପୋଲ୍ୟୁସନ ମଡ୍ୟୁଲ,ଲ୍ୟାଣ୍ଡର ବିକ୍ରମ(୨ ମିଟର ଉଚ୍ଚ)ଓ ରୋଭର ପ୍ରଜ୍ଞା ତିନୋଟି ମୁଖ୍ୟଅଙ୍ଗ ରହିଛି (ସମୁଦାୟ ଓଜନ ୩,୯୦୦ କି.ଗ୍ରା.),ଅଗଷ୍ଟ ୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ରକକ୍ଷରେ ପହଞ୍ଚିବା- ପରେ ଅଗଷ୍ଟ୨୩ସନ୍ଧ୍ୟା ସମୟରେ ଲ୍ୟାଣ୍ଡର କ୍ରମ,ରୋଭର ପ୍ରଜ୍ଞାକୁ ସଫ୍ଟ ଲ୍ୟାଣ୍ଡିଙ୍ଗ ବା ନିୟନ୍ତ୍ରିତ ଅବତରଣ କରାଇବ ।ଏଥିପାଇଁ ଚଳିତ ଥର ଅବତରଣ କ୍ଷେତ୍ରକୁ ୫୦୦×୫୦୦ ମିଟରରୁ ୪×୨.୫ କି.ମି. ପର୍ଯ୍ୟନ୍ତ ସମ୍ପ୍ରସାରିତ ଓ ଲକ୍ଷଠାରୁ ଦୂରରେ ଅବତରଣ କରିବା ନିମନ୍ତେ ଅଧିକ ଇନ୍ଧନ ଭରାଯାଇଛି, ଅଧିକ ଶକ୍ତିପ୍ରଦର୍ଶନ ସକାଶେ ଲ୍ୟାଣ୍ଡରରେ ଅଧିକ ସୌର ପ୍ୟାନେଲ ଖଞ୍ଜାଯାଇଛି ଅର୍ଥାତ୍ ସଫଳ ମୃଦୁ(ଧୀର)ଅବତରଣ ନିମନ୍ତେ ସର୍ବଶେଷ ଏବଂ ସର୍ବଶ୍ରେଷ୍ଠ ପ୍ରଚେଷ୍ଟା କରାଯାଇଛି ।
ଚନ୍ଦ୍ର ଅଭିଯାନ ଆରମ୍ଭଠାରୁ ଅନେକ ସରକାରୀ ଓ ଘରୋଇ ଉଦ୍ୟୋଗ ଚନ୍ଦ୍ରଯାନ ନିମନ୍ତେ ବିଭିନ୍ନ ଯନ୍ତ୍ରାଂଶ ଯୋଗାଇବାରେ ଇସ୍ରୋକୁ ସହଯୋଗିତା କରିଆସୁଛନ୍ତି । ଏଥିରେ ଆମରାଜ୍ୟ ଓଡ଼ିଶାର,ରାଜଧାନୀ ଭୁବନେଶ୍ଵର ପଟିଆସ୍ଥିତ ସେଣ୍ଟ୍ରାଲ ଟୁଲରୁମ ଏଣ୍ଡଟ୍ରେନିଂ
ସେଣ୍ଟର(ସିଟିଟିସି)ଏକ ବୃହତ୍ତ ସହଯୋଗୀ ରହିଆସିଛି । ଗତ ଚନ୍ଦ୍ରଯାନ-୨ ପରଠୁ ୨ବର୍ଷ ଲାଗି ସିଟିଟିସିର ଅଧ୍ୟାପକ ଓ ଶିକ୍ଷାର୍ଥୀଗଣ ମିଶି ୧୨ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ (୧୭,୦୦୦)ଚନ୍ଦ୍ରଯାନ-୩ ନିମନ୍ତେ ପ୍ରସ୍ତୁତ କରିଥିଲେ । ସେଗୁଡିକ ହେଲା, ଭାଲଭ, ଇଣ୍ଟର୍ନାଲ ନେଭିଗେସନ ସିଷ୍ଟମ୍,ତାପମାତ୍ରା ସମ୍ବେଦକ,ଏରୋସ୍ପେଶ୍ ଗାଇରୋସ୍କୋପ୍, ଆରଜିପିଡିର ଉତ୍ପାଦନ ଓ ଆହୁରି ଅନେକ ଯନ୍ତ୍ରାଂଶ ।ସୁଦୀର୍ଘ ୨୩ଵର୍ଷହେଲା ଏହିସଂସ୍ଥା ଇସ୍ରୋ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିଆସୁଛି,ପୁଣି ଏହିସଂସ୍ଥାରୁ ପ୍ରଶିକ୍ଷିତ ଟେକନିସିଆନ,ଜଗତ ସିଂପୁର ଡେରାବିଶ ବ୍ଲକର ମୁକୁନ୍ଦପୁର ଗ୍ରାମର ଯୁବକ ଶ୍ରୀ ଶୁଭାଶିଷ ନାୟକ(୨୮) ଚଳିତ ଅଭିଯାନର ଏକ ଅଂଶ ହୋଇଥିବାରୁ ଏହା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ !
ଆମ ନିଜ ମାମୁଁ ବ୍ୟତିରେକେ ଜହ୍ନ ଆମର ମାମୁଁ ବୋଲି ସମସ୍ତେ ପିଲାଦିନୁ ଜାଣନ୍ତି ଆଜିବି ପୂର୍ଣ୍ଣିମା ରାତିରେ ଜ୍ୟୋସ୍ନାର ପ୍ଲାବନ ମନୁଷ୍ୟ ମନରେ ନୂତନ ପୁଲକ,ଉଦବେଳନ ଏବଂ ରୋମାଞ୍ଚ ସୃଷ୍ଟି କରେ । ମାତ୍ର ଆଜିର ବସ୍ତୁବାଦୀ ଦୁନିଆ ଓ ବିଜ୍ଞାନ ଉଭୟେ ମଣିଷ ମନର ଭାବାନ୍ତରର ବାହାରକୁ ଯାଇ ଚନ୍ଦ୍ରର କଠିନ ପୃଷ୍ଠର ତର୍ଜମା କରିବାକୁ ବାଧ୍ୟ କରିଛି ଆସନ୍ତା ୨୦୨୫ରେ ସମଗ୍ର ବିଶ୍ଵରେ ଜନସଂଖ୍ୟା ୮୦୦ କୋଟିକୁ ଟପିଯିଵ,ଯାହା ମାନବ ସମାଜକୁ ବିକଳ୍ପ ବିଶ୍ବ ସକାଶେ ବାଧ୍ୟ କରୁଛି,ଯାହାର ଫଳ ଏଇ ସବୁ ଅନ୍ତରୀକ୍ଷ ଅଭିଯାନ ଆମେରିକାରେ ତ ଅନେକ ଚନ୍ଦ୍ରରେ ଘର କରିବା ନିମନ୍ତେ ଜାଗା କିଣି ସାରିଲେଣି,ସତେ ଯେମିତି ଚନ୍ଦ୍ର ଆମେରିକାର ନିଜସ୍ବ ସମ୍ପତ୍ତି, ଆମ ଦେଶରେ ମଧ୍ୟ କେହି କେହି ଚନ୍ଦ୍ରରେ ଘର କରିବା କଥା ଚିନ୍ତା କରୁଛନ୍ତି !ଏତେ ସବୁ ସତ୍ତ୍ୱେ ଜହ୍ନମାମୁଁ(ଚନ୍ଦ୍ର)ତା’ର ଆଵେଗିକ ଆକର୍ଷଣ ବଜାୟ ରଖିଛି ମଣିଷ ମନର କୋଉ କୋଣରେ ।ଶେଷରେ ଏତିକି ପ୍ରାର୍ଥନା/ଆଶା କରିବା ଯେ,’ଚନ୍ଦ୍ରାଲୋକ’ ଭଳି ଏଥର “ଚନ୍ଦ୍ରଯାନ-୩” ର ଚନ୍ଦ୍ର ସ୍ପର୍ଶ ସ୍ନିଗ୍ଧ,କୋମଳ ଏବଂ ମୁଲାୟମ ହେଉ !ଗଲା ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ଉତକ୍ଷେପଣର ସିଧା ପ୍ରସାରଣ ଦେଖିସାରି ବାହାରକୁ ଆସିଲାବେଳେ ଦେଖିଲି କିଛି ପିଲା ଖେଳୁଥିଲେ ଏବଂ ଗୀତ ଗାଉଥିଲେ,”ଚାଲ ଜହ୍ନରେ କରିବା ଘର,ସେତ ପିଲାଦିନୁ ମାମୁଁ ଆମର ।”
ମୋ : ୯୦୯୦୧ ୯୦୦୬୯

nis-ad
Leave A Reply

Your email address will not be published.